କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଔଷଧ ସେବନ କାର୍ଯ୍ୟକ୍ରମ

ଫୁଲବାଣୀ : ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟଏକ ମଶାବାହିତ ରୋଗ। ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ଵାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ । ପୁରୁଷ ଲୋକର ଅଣ୍ଡକୋଷ ଫୁଲେ ଏବଂ ସ୍ତ୍ରୀ ଲୋକଙ୍କ ସ୍ତନ ଫୁଲି ଯନ୍ତ୍ରଣା ହୁଏ । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲାର କେତେକ ଗ୍ରାମରେ ରାତ୍ରିକାଳୀନ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ଫାଇଲେରିଆ ରୋଗର ସଂକ୍ରମଣ ଅଛିବୋଲି ଜଣାପଡ଼ିଛି । ତେଣୁ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୭ ମାର୍ଚ୍ଚ ୨୦୨୨ରୁ ୧୬ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ ।

ବିଗତ ଦିନ ମାନଙ୍କରେ ଏହି ରୋଗ ନିରାକରଣ ପାଇଁ ଘର ଘର ବୁଲି ଔଷଧ ବିତରଣ କରାଯାଉଥିଲା । ମାତ୍ର ଦେଖାଗଲା ପ୍ରାୟ ଲୋକ କୌଣସି ନା କୌଣସି କାରଣରୁ ଏହାକୁ ସେବନ କରୁନଥିଲେ । ଫଳରେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେଉନଥିଲା। କିନ୍ତୁ ଚଳିତ ବର୍ଷ ଏହାକୁ ସେବନ କରାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ୟକ୍ତି ଡି.ଇ.ସି. ଓ ଆଲ୍‌ବେଣ୍ଡାଜୋଲ୍ ବଟିକା ସେବନ କରିବା ପାଇଁ ବ୍ୟବସ୍ଥା ରହିଛି । କେବଳ ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା, ଅତିଶୟ ରୁଗ୍ଣ ବ୍ୟକ୍ତି ବିଶେଷଙ୍କୁ ଏହି ଔଷଧ ସେବନରୁ ବାଦ୍ ଦିଆଯିବ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜନସାଧାରଣ ଜିଲ୍ଲାର ୱାର୍ଡ଼ ମେମ୍ବର, ସମାଜସେବୀ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପୂର୍ଣ ସହଯୋଗ କରିବାକୁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ତି. ନିବେଦନ କରିଛନ୍ତି। ଏହି ଅଭିଯାନକୁ ସହଯୋଗ କରି ଫାଇଲେରିଆ ମୁକ୍ତ କନ୍ଧମାଳ ଗଠନରେ ସାମିଲ ହୁଅନ୍ତୁ। ଏଥିପାଇଁ ଜିଲ୍ଲାପାଳ ଜିଲ୍ଲାର ଜନସାଧାରଣଙ୍କର ପୂଣ୍ଣ ସହଯୋଗ କାମନା କରିଛନ୍ତି । ଡି.ଇ.ସି. ଓ ଆଲ୍‌ବେଣ୍ଡାଜୋଲ୍ ବଟିକା ସମ୍ପୂର୍ଣ ନିରାପଦ ଅଟେ । ତାକୁ ଆଶା ଦିଦିଙ୍କ ସମମ୍ମୁଖରେ ଖାଦ୍ୟ ଖାଇ ସାରିବା ପରେ ଖାଇବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଥିଲେ ଯେ, ଜିଲ୍ଲାର ସମୁଦାୟ ୪ହଜାର ୧୭ ଗୋଟି ଗ୍ରାମ ଓ ୩ ଗୋଟି ସହରାଞ୍ଚଳରେ ଔଷଧ ସେବନ କରାଇବା କାର୍ଯ୍ୟକ୍ରମରେ ୧୨ ଗୋଟି ସି.ଏଚ୍.ସି., ୧୭୧ ଗୋଟି ସବ୍ ସେଣ୍ଟର, ୨୭୦ ଜଣ ସୁପରଭାଜର୍‌, ୨୭୦୦ ଜଣ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେଟର୍ ସହଯୋଗ କରିବେ । ବଟିକା ନ ଖାଇଲେ ମଶା ମାଧ୍ୟମରେ ଗୋଟିଏ ସୁସ୍ଥ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି ଏବଂ ଏହି ରୋଗ ମଣିଷକୁ ଲେପ୍ରୋସି ଭଳି ସମ୍ପୂର୍ଣ୍ଣ ବିକଳାଙ୍ଗ କରିଦେଇପାରେ ବୋଲି ଡା. ପ୍ରଭାକର ସାହୁ ପ୍ରକାଶ କରିଥିଲେ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଭୟ ନକରି ବଟିକା ଖାଇବାକୁ ଲୋକମାନଙ୍କୁ ସଚେତନ କରିବାକୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଅନୁରୋଧ କରିଥିଲେ । ସେହିପରି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଜୋନାଲ୍ କୋଡ଼ିନେଟର୍‌ ଡା, ସମ୍ବିତ୍ ପ୍ରଧାନ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ମନୋରଞ୍ଜନ ସାହୁ ବାତଜ୍ଵର ମୁକ୍ତ କନ୍ଧମାଜ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ କୁମୁଦ ଚନ୍ଦ୍ର ସାହୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ସହିତ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.