ଶିକ୍ଷିତ ସମାଜର ମନୋରଞ୍ଜନ ଲାଗି ଆଦିବାସୀ ସଂସ୍କୃତି ଓ ନିରୀହ ଜନଜାତିକୁ ଉପହସିତ କରି ପ୍ରଶଂସା ସାଉଁଟୁଛି ‘ଦମନ’

ଦମନ ଯଦି ସତ୍ୟ ତେବେ ଏହା କଣ ସରକାରଙ୍କ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ?

ଡାକ୍ତରମାନଙ୍କର ରୋଗୀମାନଙ୍କ ଉପରେ ହେଉଥିବା ଅସଲ ଦମନର ନିରାକରଣ କେବେ ??

ମାଲକାନଗିରି : ନିକଟ ଅତୀତରେ ଅର୍ଥାତ୍ ଚଳିତ ନଭେମ୍ବର ୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ ଦମନ ‘ ରସାତଳଗାମୀ ଓଲିଉଡ ଜଗତକୁ ପୁନର୍ବାର ଜୀବନ୍ୟାସ ହୋଇଥିବା ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ଗତ ୧୮ ନଭେମ୍ବର ୨୦୨୨ ଶୁକ୍ରବାରରେ ସିନେମା ହଲ୍ ଗୁଡ଼ିକରେ ଉକ୍ତ ଚଳଚ୍ଚିତ୍ରକୁ କରମୁକ୍ତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା ।

ଦମନ ଚଳଚ୍ଚିତ୍ରର କଥାବସ୍ତୁଟି ହେଲା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସହରରୁ ସିଦ୍ଧାର୍ଥ ମହାନ୍ତି (ବାବୁଶାନ୍) ଡାକ୍ତର ଭାବେ ସ୍ଥାନୀୟ ଜାନବାଇ ପ୍ରାଥମିକ ଚିିକିତ୍ସାଳୟରେ ନିଯୁକ୍ତି ପାଆନ୍ତି । ପ୍ରଥମେ ସେହି ଅଞ୍ଚଳର ଅବସ୍ଥାକୁ ଦେଖି ସହରକୁ ପ୍ରତ୍ୟାଗମନ କରିବା ନିମନ୍ତେ ଡ଼.ମହାନ୍ତି ମନସ୍ଥ କରନ୍ତି କିନ୍ତୁ ଜଣେ ଆଦିବାସୀ ବ୍ୟକ୍ତି ନିଜ ଝିଅକୁ ବଞ୍ଚାଇବାର ଆକୁଳ କ୍ରନ୍ଦନ ଓ ଡାକ୍ତରଖାନା କାନ୍ଥରେ ଚିତ୍ରିତ ନୀତିବାଣୀକୁ ଦେଖି ଡାକ୍ତରଙ୍କ ମନ ପରିବର୍ତ୍ତନ ହୁଏ । ପରେ ପରେ ସେ ଉକ୍ତ ଅଞ୍ଚଳରେ ମ୍ୟାଲେରିଆ ରୋଗ ନିବାରଣ ପାଇଁ ଲାଗି ପଡ଼ନ୍ତି । ଏପରିକି ଜଣେ ଅନ୍ତସତ୍ତ୍ବା ନାରୀଙ୍କୁ କାନ୍ଧରେ ବୋହି ଡ଼ାକ୍ତରଖାନାରେ ଅପରେସନ କରିବାର ଦୁଃସାହସିକ କାର୍ଯ୍ୟ ମଧ୍ୟ କରନ୍ତି । ଉକ୍ତ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ‘ଅପରେସନ ଦମନ’ ରେ ଡ଼ାକ୍ତରଙ୍କ ପ୍ରମୁଖ ଭୂମିକା ଥିବା କଥା ଦେଖିବାକୁ ମିଳିଛି । ବିଭିନ୍ନ ଅତ୍ୟାଧୁନିକ କୌଶଳ ମାଧ୍ୟମରେ ଲୋକଙ୍କ ମନରୁ ଦିଶାରୀ ମାନଙ୍କର ଅନ୍ଧବିଶ୍ୱାସରୁ ଦୂରେଇ ଦମନ ଯୋଜନାକୁ ସଫଳ କରିବା, ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବା ଓ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହେବା ଚିତ୍ରଣ ହୋଇଛି । ସିନେମାର ଶେଷ ଦୃଶ୍ୟରେ ଡାକ୍ତରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନାଟି ଅତ୍ୟନ୍ତ ହୃଦୟବିଦାରକ ଭାବେ ଅଙ୍କନ କରାଯାଇଛି ।


ଏହି ଚଳଚ୍ଚିତ୍ର ‘ ଦମନ ‘ର କଥାବସ୍ତୁରେ ଅନେକ ଜନ ବିରୋଧୀ ତତ୍ତ୍ଵ ନିହିତ ଥିବା ସତ୍ତ୍ଵେ ତାହାର ଲୋକପ୍ରିୟତା ହାସଲ କରୁଥିବା କାରଣଟି ମଧ୍ୟ ଅତ୍ୟନ୍ତ ଗମ୍ଭୀର। ପ୍ରଥମ କଥା ହେଲା ଦମନରେ ଅନେକ ମିଛକଥାକୁ ସତ ଘଟଣା ବୋଲି ଚିତ୍ରଣ କରାଯାଇଛି । ଦ୍ଵିତୀୟରେ ଆଦିବାସୀ ସଂସ୍କୃତିକୁ ବିକୃତ କରି ଚିତ୍ରଣ କରିବା ସହ ନିରୀହ ସାଧାରଣ ଆଦିବାସୀଙ୍କୁ ଅସମ୍ବେଦନଶୀଳ ତଥା ଉପହାସ କରି ଚିତ୍ରଣ କରାଯାଇଛି । ଏଣୁ କୁହାଯାଇପାରେ ଯେ , ମୁଖ୍ୟସ୍ରୋତର ସମାଜରେ ଉପାନ୍ତ ଅଞ୍ଚଳକୁ ଦେଖିବାର ଦୃଷ୍ଟିଭଙ୍ଗୀ ରଖୁଥିବା ଦର୍ଶକ , ବିଶେଷ କରି ତଥାକଥିତ ବୁଦ୍ଧିଜୀବୀଙ୍କ ଭିତରେ ଏଭଳି ପୂର୍ବାଗ୍ରହ ପୂର୍ବରୁ ହିଁ ମହଜୁଦ ଅଛି । ପ୍ରଥମତଃ କାହାଣୀର କଥାବସ୍ତୁ ଯାହା କି ସତ୍ୟ ଘଟଣା ବୋଲି ବର୍ଣ୍ଣିତ ହୋଇଛି , ଏ ଅଞ୍ଚଳରେ ସେଭଳି କୌଣସି ଘଟଣା ଘଟି ନାହିଁ ଯଥା; ଜଣେ ଡ଼ାକ୍ତର ସମର୍ପିତ ହୋଇ ଉପାନ୍ତ ବିଚ୍ଛିନ୍ନାଞ୍ଚଳରେ ସେବା ଯୋଗାଇବା , ଅନ୍ତସତ୍ତ୍ବା ମହିଳାଙ୍କୁ ଖଟିଆ ଦ୍ଵାରା କାନ୍ଧରେ ବୋହି ପାହାଡ଼ିଆ ରାସ୍ତାରେ ୧୨କି.ମି. ବୋହି ଆଣିବା , ବାହାର ସ୍ଥାନରୁ ଆସି ଆଦିବାସୀଙ୍କ ପ୍ରତି ସମର୍ପିତ ହୋଇ ସେବା ଯୋଗାଇ ଲୋକପ୍ରିୟତା ହାସଲ କରିବା ଭଳି ଘଟଣା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ । ଏହା ଛଡ଼ା ଅଧିକ ଭାବରେ ଚର୍ଚ୍ଚା ହେଉଥିବା ମାଲକାନଗିରି ଜିଲ୍ଲାର ପ୍ରାକୃତିକ ସୋନ୍ଦର୍ଯ୍ୟ ପ୍ରକୃତରେ ଏହି ଅଞ୍ଚଳରେ ସୁଟିଂ ହିଁ ହୋଇ ନାହିଁ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ୍ ମୌର୍ଯ୍ୟ ଦମନ ଚଳଚ୍ଚିତ୍ରର ଉଇକିପିଡ଼ିଆରେ ମଧ୍ୟ ଏହାକୁ ଏକ ଜୀବନୀମୂଳକ ଚଳଚ୍ଚିତ୍ର ବୋଲି ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ , ଚଳଚ୍ଚିତ୍ରକୁ ଯାହାଙ୍କ ଜୀବନୀ ବୋଲି ଦର୍ଶାଯାଉଛି ଏବଂ ଯେଉଁ ଡାକ୍ତର ନିଜକୁ ଉକ୍ତ ଚଳଚ୍ଚିତ୍ରର ଅସଲ ହିରୋ ବୋଲି ବୁଲି ବୁଲି ବିଭିନ୍ନ ମିଡ଼ିଆରେ ପ୍ରଶଂସା ସାଉଁଟିବାର ଅପଚେଷ୍ଟା କରୁଛନ୍ତି ତାଙ୍କ ନାମ ହେଲା; ଡ଼. ଓମ୍‌କାର ହୋତା । ଡ଼.ହୋତା ପ୍ରକୃତରେ ୨୯ ମାର୍ଚ୍ଚ ୨୦୧୭ ରେ ତତ୍କାଳୀନ ଗୁମ୍ମା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଜାନବାଇଠାରୁ ଭିନ୍ନ, କାଲିମେଳା ବ୍ଲକ୍ ଅନ୍ତର୍ଭୁକ୍ତ ପପୁଲୁରୁ ଅଞ୍ଚଳରେ ନିଯୁକ୍ତି ପାଇଥିଲେ ।

ଉକ୍ତ ସମୟର ଫାର୍ମାସିଷ୍ଟ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଅନୁଯାୟୀ ଯେତେବେଳେ ସରିଗେଟା ଗ୍ରାମର ଜଣେ ମହିଳାଙ୍କର ପ୍ରସୂତି କାର୍ଯ୍ୟକୁ ନେଇ ଚଳଚ୍ଚିତ୍ରଟି ବେଶ୍ ଚର୍ଚ୍ଚିତ ସେତେବେଳେ ଡ଼.ହୋତା ଛୁଟି ନେଇ ଅବସରରେ ଥିଲେ । ଏହି କ୍ରମେ ରୋଗୀକୁ କାନ୍ଧରେ ବୋହି ୧୨କି.ମି. ନେଇଥିବା ଘଟଣା ମଧ୍ୟ ପ୍ରାୟୋଜିତ ବୋଲି ହିଁ କୁହାଯାଇପାରେ । ଅନ୍ୟପକ୍ଷେ P.H.C. ରେ ରକ୍ତ ୟୁନିଟ୍ ନ ରହୁଥିବା ସ୍ଥଳେ ସେ ମାଆକୁ ରକ୍ତ ଚଢ଼େଇବା ଘଟଣା କିଭଳି ସମ୍ଭବପର ହୋଇ ପାରିଲା ତାହା ନିଶ୍ଚିତ ରୂପେ ତଦନ୍ତସାପେକ୍ଷ। ଯାହା ଶୁଣିବାକୁ ମିଳୁଛି ଅସାଧୁ ଉପାୟରେ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରଭାବିତ କରି ତତ୍କାଳୀନ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ ଜରିଆରେ ଛଳନାତ୍ମକ ଢ଼ଙ୍ଗରେ ୨୦୨୦ ମାର୍ଚ୍ଚରେ ଉକ୍ତ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଘଟଣା ବର୍ତ୍ତମାନ ସବୁଠାରୁ ଅଧିକ ବିବାଦୀୟ ପାଲଟିଛି । ଏହା ସହ ଯେହେତୁ ଡ଼.ହୋତାଙ୍କୁ ମିଳିଥିବା ରାଜ୍ୟ ସ୍ତରୀୟ ସମ୍ମାନ ପାଇଁ ସେ ପ୍ରଯୁଜ୍ୟ ନୁହନ୍ତି ଏଣୁ ଉକ୍ତ ସମ୍ମାନକୁ ରାଜ୍ୟ ସରକାରଙ୍କୁ ଫେରସ୍ତ କରି ଗଣମାଧ୍ୟମ ଜରିଆରେ ନିଜର ଭୁଲ୍ କୁ ସ୍ବୀକାର କରିବା ପାଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଦମନ ଚଳଚ୍ଚିତ୍ରର ଅନ୍ୟ ବିଡ଼ମ୍ବନା ପୂର୍ଣ୍ଣ ଦିଗଟି ହେଲା , ପ୍ରକୃତି ଘେରା ଆଦିବାସୀ ଜନ ଜୀବନର ପ୍ରାକୃତିକ ସଂସ୍କୃତିକୁ ବିକୃତି କରି ପ୍ରଦର୍ଶନ କରିବା । ଚଳଚ୍ଚିତ୍ରରେ ଆଦିବାସୀ ଜନ ଜୀବନ, ଭାଷା , ସଂସ୍କୃତିକୁ ହାସ୍ୟକର ଓ ଅତିରଞ୍ଜିତ କରି ପରସା ଯାଇଛି । ଚଳଚ୍ଚିତ୍ରର ସିନେମାଟୋଗ୍ରାଫି କିଛି ଏଭଳି ନିର୍ମାଣ କରାଯାଇଛି ଯେତେବେଳେ ଦେଶୀୟା ଭାଷାରେ ଜଣେ ପାହାଡ଼ିଆ ଲୋକ ଉପସ୍ଥିତ ହେଉଛି ଦର୍ଶକ ଭିତରେ ହାସ୍ୟରସ ଖେଳି ଯାଇଛି । ଏପରିକି ଲେଖକ-ନିର୍ଦ୍ଦେଶକ ମୁତାବକ ଜଣେ ଆଦିବାସୀ ପିତା ନିଜ ଝିଅର ଜ୍ଵର ଜନିତ ଗୁରୁତର ଅବସ୍ଥାରେ ନର୍ସ ଯାଚୁଥିବା ମିଠାକୁ ମଧ୍ୟ ପାଟିରେ ପୁରାଇ ଖାଉଛି , ଯେତେବେଳେ କି ସେହି ମିଠାକୁ ଡାକ୍ତର ଓ କମ୍ପାଉଣ୍ଡର ମନା କରି ଦେଉଛନ୍ତି । ଅର୍ଥାତ୍ ନିଜ ଝିଅର ମୂମୂର୍ଷୁ ଅବସ୍ଥାକୁ ନେଇ ଡ଼ାକ୍ତର ଓ କମ୍ପାଉଣ୍ଡର ଯେତେ ମାତ୍ରାରେ ଚିନ୍ତିତ ସେହି ପରିପ୍ରେକ୍ଷୀରେ ଛୁଆଟିର ବାପା ମିଠା ଖାଉଥିବା ଆଦିବାସୀ ଲୋକଟିର ସମ୍ବେଦନ ହୀନତାକୁ ପ୍ରକାଶ କରୁଛି । ବର୍ଷ ବର୍ଷ ଧରି ହିମାଳୟଠୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ଓ ଗୁଜରାଟର ଭିଲ୍ ଅଞ୍ଚଳରୁ ଆରମ୍ଭ କରି ଉତ୍ତରପୂର୍ବ ଆଦିବାସୀ ଅଞ୍ଚଳରେ ବିଭିନ୍ନ ଜନ ସମୁଦାୟ ନିଜ ଦିଷାରୀ ମାନଙ୍କ ଔଷଧୀୟ ଉପଚାର ଦ୍ଵାରା ଉପକୃତ ହେଉଥିବା ବେଳେ ଏହି ଅଞ୍ଚଳରେ ଦିଷାରୀ ମାନଙ୍କ କାର୍ଯ୍ୟକୁ ଖୁବ୍ ଭୟଙ୍କର ଭାବେ ପରିବେଷଣ କରାଯାଇଛି । ଚଳଚ୍ଚିତ୍ରରେ ପ୍ରଦର୍ଶିତ ଦିଷାରୀ ଯାତ୍ରା , ଗୁଣୀ ଗାରେଡ଼ି ପରମ୍ପରା ଅତିରଞ୍ଜିତ ଏବଂ କଳ୍ପନାପ୍ରସୂତ ।

ଆଦିବାସୀଙ୍କର ସାମାଜିକ , ଆର୍ଥନୈତିକ ତଥା ସଂସ୍କୃତିକୁ ସଂଘର୍ଷକୁ ଅଣଦେଖା କରି ସରକାରୀ କାର୍ଯ୍ୟକ୍ରମର ମହିମା ମଣ୍ଡନ କରିବା, ଚଳଚ୍ଚିତ୍ରକୁ ଏକ ସରକାର ପ୍ରୟୋଜିତ ବୃତ୍ତଚିତ୍ରର ଫିଚର୍ ଚଳଚ୍ଚିତ୍ରକରଣ ଭାବେ ଦେଖା ଯାଇପାରେ । ଯେତେବେଳେ ଭାରତରେ ବିଶେଷ କରି ଦକ୍ଷିଣ ପ୍ରଦେଶର ଚଳଚ୍ଚିତ୍ର ମାନଙ୍କରେ ଆଦିବାସୀ , ଦଳିତ ମାନଙ୍କର ସାମାଜିକ , ସାଂସ୍କୃତିକ ସଂଘର୍ଷ ବିଷୟଭିତ୍ତିକ ଚଳଚ୍ଚିତ୍ର ‘ କାନ୍ତାରା ‘,’ କର୍ଣ୍ଣନ୍ ‘ ଆଲୋଚକଙ୍କ ମଧ୍ୟରେ ଆଦୃତ ହେଉଛି ସେହି ସମୟରେ ଓଡ଼ିଆ ସିନେ ଜଗତ ଆଦିବାସୀଙ୍କୁ ଦେଖିବା ବଲିଉଡ୍ ଦୃଷ୍ଟିଭଙ୍ଗୀରୁ ଏଯାବତ୍ ମୁକ୍ତି ପାଇ ନାହିଁ । ଓଡ଼ିଆ ସିନେ ଜଗତକୁ ସମୃଦ୍ଧଶାଳୀ କରିବାକୁ ହେଲେ କେବଳ ଭିନ୍ନ ବିଷୟବସ୍ତୁ ନୁହେଁ , ମୁଖ୍ୟ ସ୍ରୋତରେ ଥିବା ଉପାନ୍ତ ଅଞ୍ଚଳର ଜନଜୀବନ ପ୍ରତି ବ୍ରାହ୍ମନ୍ୟ ବଜାର ସଂକ୍ରମିତ ପୂର୍ବାଗ୍ରହରୁ ମୁକ୍ତ ହେବାକୁ ପଡ଼ିବ ।

nis-ad
Leave A Reply

Your email address will not be published.