ସୁନ୍ଦରଗଡ ବନଖଣ୍ଡର ଆଉ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ :ବନ ସୁରକ୍ଷା ସମିତିର ଜିଆଖତର ଉପଯୁକ୍ତ ବଜାର ବ୍ୟବସ୍ଥା କଲା ସୁନ୍ଦରଗଡ ବନଖଣ୍ଡ


୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଉର୍ଦ୍ଧ ମହିଳା କରୁଛନ୍ତି ଜିଆଖତ ଚାଷ
• ଦେବଗଡ ବନଖଣ୍ଡକୁ ଜିଆଖତ ବିକ୍ରି କରି ଆନ୍ତଃ ଜିଲ୍ଲା ବଜାର ବ୍ୟବସ୍ଥାର ଶୁଭାରମ୍ଭ
• ପ୍ରଥମ ପର୍ଯ୍ୟାୟରେ ୨୨୦ କ୍ଵିଣ୍ଟାଲ ଜିଆଖତ ବିକ୍ରି କଲା ଫୁଲ୍ଧୁଡି ବନ ସୁରକ୍ଷା ସମିତି
• ଚଳିତ ବର୍ଷ ଅମଳ ହେବ ୨୦୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଜିଆଖତ


• ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ରୋଜଗାର କରିବେ ୨୭ ଟି ବନ ସୁରକ୍ଷା ସମିତିର ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ

ସୁନ୍ଦରଗଡ -୧୦/୦୭/୨୩
ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାର ମାନଙ୍କ ଜୀବନ ଜୀବିକାର ମାନରେ ଉନ୍ନତି ଆଣିବାର ଲକ୍ଷ୍ୟ ରଖି ସୁନ୍ଦରଗଡ ବନାଞ୍ଚଳର ଉଜ୍ଜଳପୁର, ଲେଫ୍ରିପରା, ହେମଗିର, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ୧୫୬ ଟି ବନ ସୁରକ୍ଷା ସମିତିରେ ଚାଲୁଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ। ବିଭିନ୍ନ ଆୟ ଭିତ୍ତିକ କାର୍ଯ୍ୟକ୍ରମ ଦ୍ଵାରା ନୂତନ ରୋଜଗାର ସୃଷ୍ଟି, ବିକଳ୍ପ ଜୀବିକା ଦ୍ଵାରା ଲୋକଙ୍କୁ ସ୍ବାବଲମ୍ବୀ କରି ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ଜଙ୍ଗଲ ସୁରକ୍ଷା କରିବା ନିମନ୍ତେ ଏହି ପ୍ରକଳ୍ପ ତରଫରୁ ବନ ସୁରକ୍ଷା ସମିତି ମାଧ୍ୟମରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ବନ ସୁରକ୍ଷା ସମିତି ମାଧ୍ୟମରେ ଆବର୍ତ୍ତନ ପାଣ୍ଠିର ସହାୟତାରେ ଜିଆଖତ ଚାଷ, ଛତୁ ଚାଷ, ପନିପରିବା ଚାଷ, ଢିଙ୍କିକୁଟା ଚାଉଳ ବ୍ୟବସାୟ, ମିଲେଟ ଟିଫିନ କେନ୍ଦ୍ର, ଗୋ ପାଳନ, କୁକୁଡା ପାଳନ, ଫଳ ବଗିଚା, ଚିନା ବାଦାମ ଚାଷ, ଲେମ୍ବୁ ବଗିଚା, ଝାଡୁ ପ୍ରସ୍ତୁତି, ଶାଳ ମଞ୍ଜି ବ୍ୟବସାୟ ଇତ୍ୟାଦି ୩୦ ରୁ ଉର୍ଦ୍ଧ ପ୍ରକାର ସ୍ଥାୟୀ ଜୀବିକା ପାଇବାରେ ସକ୍ଷମ ହୋଇଛନ୍ତି ୧୫୬ ଟି ବନ ସୁରକ୍ଷା ସମିତିର ହଜାର ହଜାର ପରିବାର। ଗତ ବର୍ଷ ପ୍ରଥମକରି ଜିଆଖତ ଚାଷ ଭଳି ଏକ ନୂତନ ବ୍ଯବସାୟକୁ ଆରମ୍ଭ କରି ୮୫୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଜିଆଖତ ବିକ୍ରି କରି ଲକ୍ଷାଧିକ ଟଙ୍କା

ରୋଜାଗାର କରିବାରେ ସଫଳତା ହାସଲ କରିଥିଲେ ୨୬ ଟି ବନ ସୁରକ୍ଷା ସମିତିର ୪୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୩୨୦ ଜଣ ମହିଳା। ଏଥିରେ ଉତ୍ସାହିତ ହୋଇ ଚଳିତ ବର୍ଷ ୨୭ ଟି ବନ ସୁରକ୍ଷା ସମିତିର ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଏହି ଜିଆଖତ ଚାଷ କରୁଥିବା ବେଳେ ଏହାର ଉପଯୁକ୍ତ ବଜାର ବ୍ୟବସ୍ଥା ନିମନ୍ତେ ଅଣ୍ଟା ଭିଡିଛି ସୁନ୍ଦରଗଡ ବନଖଣ୍ଡ। ବିଶେଷ କରି ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକରେ କାର୍ଯ୍ୟରତ ୧୬ ଟି ବନ ସୁରକ୍ଷା ସମିତିର ୩୨ ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା କ୍ଲଷ୍ଟର ଭିତ୍ତିକ ଜିଆଖତ ଚାଷ କରୁଛନ୍ତି ତଥା ଏ ପର୍ଯ୍ୟନ୍ତ ୧୦୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଜିଆଖତ ଅମଳ କରି ସାରିଲେଣି। ସୁନ୍ଦରଗଡ ବନାଞ୍ଚଳ ଅଧିକାରୀ ପ୍ରଦୀପ ମିରାସେ ଓ ସହକାରୀ ବନ ସଂରକ୍ଷକ ମୋହନ ହେମ୍ରମଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହାର ବିକ୍ରି ଓ ବଜାର ବ୍ୟବସ୍ଥା ନିମନ୍ତେ ନିରନ୍ତର ପ୍ରୟାସ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଚଳିତବର୍ଷର ଜିଆଖତର ପ୍ରଥମ ଅମଳକୁ ଉଜ୍ଜଳପୁର ବନାଞ୍ଚଳର ଫୁଲ୍ଧୁଡି ବନ ସୁରକ୍ଷା ସମିତିରୁ ୨୨୦ କ୍ଵିଣ୍ଟାଲ ଜିଆଖତ ଦେବଗଡ ବନଖଣ୍ଡକୁ ବିକ୍ରି କରାଯାଇଛି । ଆଜି ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉଜ୍ଜଳପୁର ବନାଞ୍ଚଳର ଫୁଲ୍ଧୁଡି ବନ ସୁରକ୍ଷା ସମିତିରେ ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ପ୍ରେମସାଗର ନାଏକ ସବୁଜ ପତାକା ଦେଖାଇ ଜିଆଖତର ଏହି ଆନ୍ତଃ ଜିଲ୍ଲା ବଜାର ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକର ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳ, ଉଜ୍ଜଲପୁର କ୍ଷେତ୍ର ପରିଚାଳନା ଏକକର ଏଫ.ଏମ.ୟୁ. ସଂଯୋଜକ, ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବନଖଣ୍ଡ ଅଧିକାରୀଙ୍କ ଉତ୍ତମ ମାର୍ଗଦର୍ଶନ, ବିଭିନ୍ନ ବନଖଣ୍ଡ ସହିତ ନିୟମିତ ଯୋଗାଯୋଗ ଯୋଗୁଁ ଆଜି ସୁନ୍ଦରଗଡ ବନଖଣ୍ଡ ଏହି ସଫଳତା ହାସଲ କରିପାରିଛି ବୋଲି ଜିଆଖତ ଚାଷୀ ମାନେ ମତ ପ୍ରକାଶ କରିଛନ୍ତି । ସୁନ୍ଦରଗଡ ବନଖଣ୍ଡର ଏହି ପଦକ୍ଷେପ ଦ୍ଵାରା ଜିଆଖତ ଚାଷ କରୁଥିବା ମହିଳାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଏ ପର୍ଯ୍ୟନ୍ତ ୧୦୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଜିଆଖତ ଅମଳ କରି ସାରିଥିବା ବେଳେ ଚଳିତ ଋତୁରେ ଆହୁରି ୧୦୦୦ କ୍ଵିଣ୍ଟାଲରୁ ଉର୍ଦ୍ଧ ଜିଆଖତ ଅମଳର ଲକ୍ଷ୍ୟ ରଖିଛନ୍ତି ଏହି ମହିଳା ଗୋଷ୍ଠୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଆୟ ଭିତ୍ତିକ କାର୍ଯ୍ୟକ୍ରମ ଦ୍ଵାରା ମହିଳା ମାନଙ୍କ ପାରସ୍ପରିକ ସହଭାଗିତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମହିଳାମାନଙ୍କ ବଜାର ଉପରେ ଅଭିଜ୍ଞତା ବଢିଛି ତଥା ସେମାନେ ସକ୍ରିୟ ଭାବରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହେଉଛନ୍ତି। ଆଗାମୀ ଦିନରେ ଏହି ଜିଆଖତ ବ୍ୟବସାୟ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଵାବଲମ୍ବୀ କରିବା ସହିତ ଏକ ଚିରସ୍ଥାୟୀ ଜୀବିକା ଯୋଗାଇବା ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ

nis-ad
Leave A Reply

Your email address will not be published.