ରାଜଧାନୀରେ କଟୁରି ଦେଖାଇ ଲୁଟିନେଲ ୪୬ ହଜାର

ଭୁବନେଶ୍ୱର: ଭୁଜାଲି ଦେଖାଇ ମାଛ ବ୍ୟବସାୟୀଙ୍କଠୁ ସ୍କୁଟି ଓ ୫୦ହଜାର ଟଙ୍କା ଲୁଟ୍ ହୋଇଛି । ଗୁରୁବାର ରାତିରେ ବଡ଼ଗଡ ଥାନା ଅନ୍ତର୍ଗତ କଳ୍ପନା ଛକ ନିକଟରେ ଏଭଳି ଘଟଣା ଘଟିଛି । ୪ଜଣ ଲୁଟେରା ଦୁଇଟି ବାଇକ୍‌ରେ ଆସି ତାଙ୍କୁ କଟୁରି ଦେଖାଇ ସ୍କୁଟି ସହ ୪୬ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଲୁଟେରାମାନେ ସ୍କୁଟିକୁ ଶିଶୁଭବନ ଛକ ନିକଟରେ ଛାଡି ଚମ୍ପଟ ମାରିଛନ୍ତି । ଲୁଟ୍‌ର ଶିକାର ହୋଇଥିବା ବାଳକାଟିର ଅରୁଣ ବେହେରା ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି । ସୂଚନା ଅନୁଯାୟୀ, ଅରୁଣଙ୍କ ଘର ବାଳକାଟି ହୋଇଥିବାବେଳେ ସେ ସବୁଦିନ ଭୋରୁ ମାଛ ଆଣି ୟୁନିଟ୍‌-୪ ମାର୍କେଟରେ ବ୍ୟବସାୟ କରନ୍ତି । ଗୁରୁବାର ରାତି ପ୍ରାୟ ୩ଟା ୩୦ମିନିଟ୍ ସମୟରେ ଅରୁଣ ଏବଂ ତାଙ୍କ ବନ୍ଧୁ ଏକ ସ୍କୁଟିରେ ୟୁନିଟ୍‌-୪ ମାଛ ମାର୍କେଟକୁ ଯାଉଥିଲେ । ରବିଟକିଜ୍ ଛକରୁ ୪ଜଣ ଲୁଟେରା ମୁହଁରେ ମାସ୍କ ଏବଂ ହେଲମେଟ୍ ପିନ୍ଧି ତାଙ୍କର ପିଛା କରିଥିଲେ । ସେମାନଙ୍କୁ ଦେଖି ଅରୁଣ ଗାଡ଼ିକୁ ଦ୍ରୁତଗତିରେ ଚଳାଇଥିଲେ । ହେଲେ ୪ଜଣ ଲୁଟେରା କଳ୍ପନା ଛକ ନିକଟରେ ଅରୁଣଙ୍କ ଗାଡି ଆଗରେ ଫିଲ୍ମ ଷ୍ଟାଇଲରେ ଦୁଇଟି ବାଇକ୍ ରଖି ଦେଇଥିଲେ ।

ଜଣେ ଲୁଟେରା ଏକ କଟୁରି ବାହାର କରି ଦେଖାଇଥିଲେ । ଟଙ୍କା ନଦେଲେ ହାଣି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଜୀବନ ଭୟରେ ଅରୁଣ ସ୍କୁଟି ଡିକିରେ ଥିବା ୪୬ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେବା ପରେ ଅଭିଯୁକ୍ତ ଗାଡି ନେଇ ସେଠାରୁ ଚମ୍ପଟ ହୋଇଥିଲେ । ହେଲେ ଶିଶୁଭବନ ଛକ ନିକଟରେ ଲୁଟେରାମାନେ ସ୍କୁଟି ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ । ଏହି ଲୁଟ ପଛରେ ଶିଶୁଭବନ ଛକ ନିକଟରେ ଥିବା ବସ୍ତିର କିଛି ଯୁବକ ଥିବା ପୁଲିସ ସନ୍ଦେହ କରୁଛି । ତେଣୁ ସେମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ।

nis-ad
Leave A Reply

Your email address will not be published.