ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ…


ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାରୀ କାର୍ଯ୍ୟ ହେଉଛି :ମନ୍ତ୍ରୀ

ଛତ୍ରପୁର ତା.୧୬ .୦୮ .୨୪ ପୂଣ୍ୟପ୍ରସୂ ଭାରତର ପବିତ୍ର ୭୮ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ ପ୍ରେକ୍ଷାପଟ୍ଟରେ ଅହିଂସା ଆନ୍ଦୋଳନର ଏକ ଅପରିମିତ ଉପଲବ୍ଧି । ନାନା ଭାଷା, ଧର୍ମ, ସଂସ୍କୃତି ଓ ଲୋକାଚାରରେ ଯାବତୀୟ ବିବିଧତା ଭିତରେ ମଧ୍ୟ ଭାରତୀୟ ଗଣତନ୍ତ୍ରର ଏହି ଐତିହାସିକ ଦିବସ ଆମ ସମସ୍ତଙ୍କୁ ଏକ ଅନୁପମ ଜାତୀୟ ଅସ୍ମିତା ବୋଧରେ ଅଭିମନ୍ତ୍ରିତ କରିଆସୁଛି ଓ ତ୍ରିରଙ୍ଗା ଚକ୍ର ଶୋଭିତ ରାଷ୍ଟ୍ରୀୟ ଧ୍ବଜା ତଳେ ରାଷ୍ଟ୍ର ସଙ୍ଗୀତର ସମବେତ ଆମ ଭିତରେ ଭରି ଦେଉଛି ଏକ ଅପୂର୍ବ ଶିହରଣ ଏବଂ ଅବିମିଶ୍ର ଦେଶାନୁରକ୍ତି । ଏହି ବିଜଯଶ୍ରୀ ମଣ୍ଡିତ ଐତିହାସିକ ଦିବସ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ସମାରୋହର ସହିତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି୍ ।


ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ ପଡିଆ ଠାରେ ଓଡିଶାର ଆଇନ୍,ପୂର୍ତ୍ତ, ଅବକାରୀ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ନିଜ ଉଦ୍ବୋଧନରେ ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ଅହିଂସା ମହାମନ୍ତ୍ରକୁ ଆୟୁଧ କରି କିଭଳି ଦେଶ ସ୍ବାଧୀନ ହେଲା ଏବଂ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଗୁଣଗାନ କରି ଇତିହାସରେ ଗୁଞ୍ଜରିତ ହୋଇଥିବା କାହାଣୀ ଅବଗତ କରାଇ ଗଞ୍ଜାମ ମାଟିର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଗଞ୍ଜାମ ମାଟିର ସ୍ବାଧୀନତା ସଂଗ୍ରାମୀ ଗଞ୍ଜାମ ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ରୁଦ୍ଧିମନ୍ତ କରିଥିବା ବ୍ୟକ୍ତି ବିଶେଷଙ୍କ ସ୍ମୃତି ଚାରଣ କରିଥିଲେ । ରାଜ୍ୟ ସରକାର ଶାସନଭାର ହାତକୁ ନେବା ପରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଇ କିଭଳି ଶାସନ ପ୍ରକ୍ରିୟାରେ ଲୋକଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ରାଜ୍ୟ ୨୦୨୩-୨୪ ରେ ବଜେଟ ଉପସ୍ଥାପନ ହୋଇଛି ତାହା ଅବଗତ କରାଇଥିଲେ ।
ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ନିର୍ବାଚନ ଇସ୍ତାହାର ଏବଂ କ୍ୟାବିନେଟ ବୈଠକ ନିଷ୍ପତ୍ତି ଅନୁସାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଲାଗି ଚଳିତ ବଜେଟରେ ବ୍ୟୟବରାଦ ହୋଇଛି । କୃଷିର ଆନୁସଙ୍ଗୀକ ବିକାଶ ପାଇଁ ୩୩,୯୧୯ କୋଟି, ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି, ଭାଷା ସାହିତ୍ୟ ଓ ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି , ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମାଧୋସିଂହ ହାତଖର୍ଚ୍ଚ ପାଇଁ ଯୋଜନାରେ ୧୫୬ କୋଟି ଟଙ୍କା ବ୍ୟୟ ବରାଦ, ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଚଳିତ ବଜେଟ ରେ ୫୦୦ କୋଟି ସହ ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ୨୧ ହଜାର ୨୦୦ କୋଟି, ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ୩୫ ହଜାର ୫୩୬ କୋଟି ( ଯାହାକି ଗତ ବଜେଟ ତୁଳନାରେ ୧୯ ପ୍ରତିଶତ ଅଧିକ ଅଟେ )। ଖୁବ୍ ଶୀଘ୍ର ୧୮ ହଜାର ୭୮୮ କନିଷ୍ଠ ଶିକ୍ଷକ ନିଯୁକ୍ତି, ଦୃତ ଶିଳ୍ପାୟନକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ 6000 କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ ୧୪ ଟି ଜିଲ୍ଲାରେ ୨୬ ଟି ଶିଳ୍ପ ପ୍ରତିଷ୍ଠା ସହିତ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ୪୫୦ କିଲୋମିଟର କୋଷ୍ଟାଲ ହାଇଓ୍ବେ ନିର୍ମାଣ ସହିତ ଅଗ୍ନିବୀର ଯୋଜନାରେ ପ୍ରଶିକ୍ଷିତ ଯୁବକ ଯୁବତୀଙ୍କ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ । ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଓଡ୍ରାଫ୍ ଟିମ୍ ସଂଖ୍ୟା ୨୦ ରୁ ୩୦ କୁ ବୃଦ୍ଧି କରାଯାଇଛି ।
ସାମାଜିକ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହିତ ଚଳିତ ବଜେଟ ରେ ୨୨ ହଜାର ୮୪୪ କୋଟି ଟଙ୍କାର ବ୍ୟୟ ବରାଦ, ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ 600 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି , ସୁଭଦ୍ରା ଯୋଜନା ଅଧିନରେ ୧୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ, ମୁଖ୍ଯମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟିକର ଯୋଜନାରେ ୫୫୪ କୋଟି , ଯଶୋଦା ଯଜନାରେ ୮୩ କୋଟି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ ନଗଦ ହସ୍ତାନ୍ତର ପାଇଁ ମମତା ଯୋଜନାରେ ୪୨୯ କୋଟି, ପାଇପ୍ ଯୋଗେ ପାନୀୟ ଜଳ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦୦ କୋଟି ସଡକ ସେତୁ, ବିମାନ ବନ୍ଦର ଏବଂ ରେଳବାଇ ଅଧୀନରେ ୧୫ ହଜାର ୮୬୫ କୋଟି ଟଙ୍କା ନିବେଶ ପାଇଁ ବ୍ୟୟ ବରାଦ ହୋଇ, ଗ୍ରାମୀଣ ପରିବହନ ପାଇଁ ଏକହଜାର ପଞ୍ଚାଅଶୀ କୋଟି, ବିଦ୍ୟୁତ ଗ୍ରାହକଙ୍କୁ ବିଶ୍ବସନୀୟ ବିଦ୍ୟୁତ ଯୋଗାଣ ନିମନ୍ତେ ଶକ୍ତି କ୍ଷେତ୍ର ପାଇଁ ବଜେଟରେ ୩୩ ଶହ କୋଟି ଟଙ୍କାର ବ୍ୟୟ ବରାଦ, ଶିଳ୍ପ ଓ ଏମ.ଏସ୍.ଏମ୍.ଇ. ପାଇଁ ୧ ହଜାର ୫୫୫ କୋଟି , ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ୮୦୦ କୋଟି ବ୍ୟୟ ବରାଦ ହୋଇଥିବା ଜଣାଇଥିଲେ । ରାଷ୍ଟ୍ରର ଏକତା ଓ ଅଖଣ୍ଡତାର ଅତୁଟ ଭାବନା ସକାଶେ ଦେଶର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପ୍ରତ୍ୟେକ ନାଗରିକଙ୍କୁ ଉତ୍ସାହ ଆଣୁଥିବା ଜଣାଇଥିଲେ ।


ପ୍ୟାରେଡ୍ ପୂର୍ବରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଓ ଗଞ୍ଜାମ ଜିଲ୍ଲାର ବରେଣ୍ୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଫଟୋଚିତ୍ର ପ୍ରଦର୍ଶନୀରେ ପୁଷ୍ପମାଲ୍ୟାର୍ପଣ ସହ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟର ସାମୁହିକ ଦସ୍ତଖତ ଅଭିଯାନରେ ଦସ୍ତଖତ କରିଥିଲେ । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ରେ ୩୧ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଂଯୋଜନାରେ ପ୍ୟାରେଡ୍ କମାଣ୍ଡର ଆର୍. ଆଇ. ଅଫ୍ ପୋଲିସ୍ ଅମୂଲ୍ୟ କୁମାର ନାୟକ ପ୍ୟାରେଡ୍ ପରିଚାଳନା କରିଥିଲେ । ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ସୁଧାଂଶୁ କୁମାର ଭୋଇଙ୍କ ଉପସ୍ଥିତିରେ ଦିବଂଗତ ସ୍ବାଧୀନତା ସଂଗ୍ରାମୀ ଗୋପାଳ ଚନ୍ଦ୍ର ଦାଶଙ୍କ ପରିବାରବର୍ଗଙ୍କୁ ଏବଂ କୃଷ୍ଣଲୀଳା ଲୋକକଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ, ସି.ଏଚ୍ ମହେନ୍ଦ୍ର କୁମାର ପାତ୍ର, , ତରୁଣ କଳାକାର ସଂଘ, କଂସାରୀ ସାହି, ବେଲଗୁଣ୍ଠା ବାଘ ନାଚରେ ପାରଦର୍ଶିତା ପାଇଁ ଓ ଉତ୍ତମ ସେବା ନିମନ୍ତେ ଶ୍ରୀମତୀ ସଞ୍ଜୁକ୍ତା ମିଶ୍ର, ଅଙ୍ଗନଓ୍ବାଡି କର୍ମୀ, ଜଗନ୍ନାଥପୁର ଶାସନ, ଧରାକୋଟ ବ୍ଲକ୍ ଙ୍କୁ ସମ୍ମାନୀତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା-୨୦୨୪ ଟପ୍ପର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର, ବ୍ରହ୍ମପୁର ର ଶ୍ରୀମାନ ଆୟୁସ୍ ଆଶୁତୋଷ ବେହେରା ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।


ଏହି ଉପଲକ୍ଷେ ଛତ୍ରପୁର ସ୍ଥିତ ଖେଳ ପଡିଆ ଠାରେ ପ୍ରଶାସନ ଏକାଦଶ ଏବଂ ଛତ୍ରପୁର ପ୍ରେସ କ୍ଲବ୍ ଏକାଦଶ ଙ୍କ ମଧ୍ୟରେ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଥିଲା ।
ଅପରାହ୍ନ ସମୟରେ ଜଉଗଡ ସମ୍ମିଳନୀ କକ୍ଷଠାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରଜ ମୋହନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଏବଂ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରୟଣ ବେହେରା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିଲେ । ଶ୍ରୀମତୀ ପଦ୍ମିନୀ ମିଶ୍ର କବିତା ସଂଯୋଜନା କରିଥିଲେ ଏବଂ ଛତ୍ରପୁର ସାହିତ୍ୟ ସଂସଦର ସଂପାଦକ ଦିଲ୍ଲିପ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବହୁ କବି, କବୟତ୍ରୀ ଅଂଶ ଗ୍ରହଣ କରିଥିଲେ ।


ସଂଧ୍ୟା ସମୟରେ ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ବାରା ତ୍ରିରଙ୍ଗା କନସର୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ସୁଧାଂଶୁ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.