ଅଧା ରହିଗଲା ପୋଲିସ ହେବାର ସ୍ୱପ୍ନ

ଛତ୍ରପୁର : ପିଲାଟି ଦିନରୁ ଇଚ୍ଛା ଥିଲା ସୈନିକ ହେବେ କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ସୈନିକ ପାଇଁ ମନୋନୀତ ହୋଇପାରିନଥିଲେ । ଫଳରେ ଶେଷରେ ପୋଲିସ ହେବାକୁ ମନ ବଳାଇ ଥିଲେ । କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା ,ଆଉ ପୋଲିସ ହେବା ପାଇଁ ଶାରୀରିକ ପରୀକ୍ଷା ଦେବା ସମୟରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ ଶ୍ୟାମସୁନ୍ଦରପୁର ଗ୍ରାମରେ । ମୃତକ ଜଣକ ହେଲେ ଦିପ୍ତିରଞ୍ଜନ ଦାସ ।

ଶ୍ୟାମସୁନ୍ଦରପୁ ଗ୍ରାମର ଗୌରହରି ଦାସଙ୍କ ପୁଅ ଦିପ୍ତିରଞ୍ଜନ ଦାସ ପିଲାବେଳୁ ସୈନିକ ହେବା ପାଇଁ ଆଶା ରଖିଥିଲେ । ଦୀର୍ଘ ବର୍ଷ ହେଲା ଏହି ଚାକିରି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ଦେଇଆସୁଥିଲେ ମଧ୍ୟ ବିଫଳ ହେଉଥିଲେ । ଦିପ୍ତି ୩ବର୍ଷ ତଳେ ଭାରତୀୟ ଡାକ ବିଭାଗରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ନିଯୁକ୍ତି ପାଇଥିଲେ । ତେବେ ଦୀପ୍ତି ଡାକ ବିଭାଗରେ ଚାକିରି ସିନା କରିଥିଲେ କିନ୍ତୁ ସେ ପିଲାଦିନୁ ସୈନିକ ହେବାର ସ୍ଵପ୍ନ କୁ ସାକାର କରିବା ପାଇଁ ଲାଗି ପଡ଼ିଥିଲେ । ତେବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ପୋଲିସ ବିଭାଗରେ କନେଷ୍ଟବଳ ଚାକିରି ପାଇଁ ସେ ଆବେଦନ କରିଥିଲେ । ଆଉ ଏହାର ଲିଖିତ ପରୀକ୍ଷା ରେ ଭଲ ନମ୍ବର ରଖି ଶାରୀରିକ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ଶାରୀରିକ ପରୀକ୍ଷା ଦେବା ପାଇଁ ଶୁକ୍ରବାର ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆକୁ ଯାଇଥିଲେ । ସେଠାର ୧୬୦୦ମିଟର ଦୌଡ ପାଇଁ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ତେବେ ଦୀପ୍ତି କିଛି ବାଟ ଦୌଡ଼ିବା ପରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ସେଠାରୁ ତାଙ୍କୁ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୀପ୍ତି ରଞ୍ଜନ ଙ୍କ ବାପା ଓ ଭାଇଙ୍କ କହିବା ଅନୁଯାୟୀ ଛତ୍ରପୁର ମେଡ଼ିକାଲରେ ଡାକ୍ତରଙ୍କ ଚିକିତ୍ସା ପରେ ପୁଅର ଚେତା ଫେରିଥିଲା ଏବଂ ସେ କଥା କହୁଥିଲା ।ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅଧିକ ଚିକିତ୍ସା ପାଇଁ ପୁଅକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା ।ତେବେ ଛତ୍ରପୁର ଠାରୁ ବ୍ରହ୍ମପୁର ନିଆ ଯାଇଥିବା ୧୦୮ ଆମ୍ବୁଲାନ୍ସ ରେ ଅକ୍ସିଜେନ ସିଲିଣ୍ଡର ଓ ଏସି ନଥିବାରୁ ଦୀପ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା ଏବଂ ସେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ବୋଲି ତାଙ୍କ ବାପା ଗୌରହରି ଦାସ ଓ ଭାଇ ସ୍ମୃତି ରଞ୍ଜନ ଦାସ ଅଭିଯୋଗ କରି କହିଛନ୍ତି।

ତେବେ ଦିପ୍ତୀଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ରାତିରେ ଦୀପ୍ତିଙ୍କ ସ୍ଵତନ୍ତ୍ର ଭାବେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଦୀପ୍ତି ଙ୍କ ମର ଶରୀର କୁ ଗାଁକୁ ଅଣାଯାଇଥିଲା ଏବଂ ରାତିରେ ହିଁ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା ।

ଏହି ଦୁଃଖଦ ଖବର ପାଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ ଓ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା ପ୍ରମୁଖ ମୃତ ଦୀପ୍ତି ରଞ୍ଜନ ଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ଖଲ୍ଲିକୋଟ ପୋଷ୍ଟ ମାଷ୍ଟର ପ୍ରଶାନ୍ତ ମହାରଣା, ମେଇଲ ଓଭରସିୟର ରଞ୍ଜନ କୁମାର ମାଝି, ପୋଷ୍ଟାଲ ଆସିଷ୍ଟାଣ୍ଡ ପ୍ରକାଶ କୁମାର ପଲେଇ, ଶ୍ୟାମସୁନ୍ଦରପୁର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସତ୍ୟନାରାୟଣ ଶତପଥୀ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.