ୟୁଜି ନାମଲେଖାରେ ସିୟୁଇଟି ସ୍କୋର ବ୍ୟବହାର ପାଇଁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା ଥିଲା ଏହି ଏକକ ପ୍ରବେଶିକା ପରୀକ୍ଷାର ଉଦ୍ଦେଶ୍ୟ । ସିୟୁଇଟି ସ୍କୋର ଅନୁସାରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ହୋଇଥାଏ । ତେବେ ଦେଶରେ ବିଭିନ୍ନ ରାଜ୍ୟରେ ୟୁଜି ନାମଲେଖା ସମୟରେ ଏହାକୁ ପାଳନ କରୁନଥିବା ଦେଖାଯାଇଛି । ଏବେ ବି ବହୁ ରାଜ୍ୟ ସେହି ପୁରୁଣା ଫର୍ମାଟରେ ନାମଲେଖାଉଛନ୍ତି ।

ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଯୁକ୍ତ୨ ବୋର୍ଡ ମାର୍କସିଟ୍‌କୁ ବ୍ୟବହାର କରୁଛନ୍ତି କିମ୍ବା ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରି ୟୁଜି ନାମଲେଖାଉଛନ୍ତି । ଏହାକୁ ନେଇ ୟୁଜିସି ଉଦ୍‌ବେଗ ପ୍ରକାଶ କରିବା ସହିତ ୟୁଜି ନାମଲେଖା ବେଳେ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । ଏ ନେଇ ୟୁଜିସି ସେକ୍ରେଟେରି ପ୍ରଫେସର ମନୀଷ ଆର୍‌. ଯୋଷୀ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ(ରାଜ୍ୟ, ଡିମ୍‌ଡ, ଘରୋଇ)ର କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ବିଭିନ୍ନ ତାରିଖରେ ହେଉଥିବା ବହୁ ପ୍ରବେଶିକା ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କୁ ବଞ୍ôଚତ କରିବା ଏବଂ ସମାନ ସୁଯୋଗ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ସିୟୁଇଟି ସ୍କୋର ବ୍ୟବହାର କରିବାକୁ ୟୁଜିସି ଚିଠିରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଆଲିଗଡ଼ ମୁସଲିମ ୟୁନିଭରସିଟି ଏବଂ ଜାମିଆ ମିଲିଆ ଇସ୍‌ଲାମିଆ ୟୁଜି ନାମଲେଖା ନିମନ୍ତେ ସିୟୁଇଟିକୁ ଗ୍ରହଣ ନ କରି ନିଜସ୍ୱ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକି ୟୁଜିସିର ଗାଇଡ଼ଲାଇନର ବିରୋଧାଚରଣ ହେଉଛି । ଏଭଳି ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆସିବା ପରେ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଜୁ ଚିଠି ଲେଖିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସିୟୁଇଟି ପରୀକ୍ଷା ପରିଚାଳନା କରିବ । ଏନ୍‌ଟିଏ ସିୟୁଇଟି ୟୁଜି ୨୦୨୩ ପଞ୍ଜୀକରଣ ପ୍ରକ୍ରିୟା ଗତ ୯ତାରିଖରୁ ଆରମ୍ଭ କରିସାରିଲାଣି । ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୧୨ତାରିଖରେ ଶେଷ ହେବ । ଛାତ୍ରଛାତ୍ରୀମାନେ ଏନ୍‌ଟିର ଅଫିସିଆଲ ୱେବ୍‌ସାଇଟ୍‌ରେ ନାମ ପଞ୍ଜୀକରଣ କରିପାରିବେ ।

ଏପ୍ରିଲ ୩୦ରେ ଇଣ୍ଟିମସନ ସ୍ଲିପ୍ ରିଲିଜ ହେବ । ତେବେ ମେ’ ୨୧ ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି ୨୦୨୩ ଅନୁଷ୍ଠିତ ହୋଇପାରେ । ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ଆଧାରରେ ହେବ । ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ହେବ । ଚଳିତବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏନ୍‌ଟିଏ ବହୁ ପରିବର୍ତ୍ତନ କରିଛି । ପୂବର୍ରୁ ଦୁଇଟି ସିଫ୍ଟରେ ଏହି ପରୀକ୍ଷା ହେଉଥିବା ବେଳେ ଏଥର କିନ୍ତୁ ତିନୋଟି ସିଫ୍ଟର ହେବ । ସେହିପରି ସେକ୍ସନ ୨ ଓ ୩ରେ ପୂର୍ବରୁ ଯେତିକି ପ୍ରଶ୍ନ ଆଟେମ୍ପଟ କରିବାର ଥିଲା, ତାହାକୁ ଚଳିତବର୍ଷ କମାଇ ଦିଆଯାଇଛି । ଏଥର ବିଷୟକୁ ବଢ଼ାଇଦିଆଯିବା ସହିତ ଆବେଦନ ଫି’ ମଧ୍ୟ ବୃଦ୍ଧି କରାଯାଇଛି ।

nis-ad
Leave A Reply

Your email address will not be published.