ଚାକିରି ନାମରେ ସାଢେ ଛକ କୋଟି ଠକେଇ; ସଂସ୍ଥାର ସଂପାଦକ ଗୋପାଳଗଞ୍ଜରୁ ଗିରଫ

ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ କରିଥିବା ଏକ ଟିମ୍‌ର କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ ପର୍ଦ୍ଦାଫାସ କରିଛି । ଆନ୍ତଃରାଜ୍ୟ ରାକେଟ ଚଳାଇଥିବା ଏହି ସଂସ୍ଥା ଓଡ଼ିଶା ସମେତ ୧୭ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ କରିଥିଲା । ହେଲେ ଓଡ଼ିଶାରେ ଠକେଇ କରିବା ଗ୍ୟାଙ୍ଗ ପାଇଁ ମହଙ୍ଗା ପଡ଼ିଛି । ସଂସ୍ଥାର ସଂପାଦକ ଧର୍ମପାଳ ସିଂଙ୍କୁ ଇଓଡବ୍ଲୁ ଗିରଫ କରିଛି । ଧର୍ମପାଳଙ୍କୁ ବିହାର ଗୋପାଳଗଞ୍ଜରୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ଏମାନେ ଠକେଇ ଦ୍ୱାରା କମାଇଥିବା କଳା ଟଙ୍କାକୁ ଧଳା କରିବାକୁ ୭ଟି ସେଲ୍ କମ୍ପାନୀ ଖୋଲିଥିଲେ । ସେହିପରି ଠକେଇ ଟଙ୍କା ସିନେମା ନିର୍ମାଣରେ ବ୍ୟବହୃତ ହେଉଥିଲା । ରାକେଟ୍ ସୁମିତ୍ର ପ୍ରଡକ୍ସନ୍ ବ୍ୟାନରେ ଏକ ସିନେମା ରିଲିଜ କରିଥିବା ନେଇ ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।

ଇଓଡବ୍ଲୁ ସୂଚନା ମୁତାବକ, ଚାକିରୀ ଠକେଇ ରାକେଟ୍ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାମରେ ସଂସ୍ଥା ଖୋଲିଥିଲା । ଏହି ସଂସ୍ଥା ଅନ୍‌ଲାଇନ୍ ମାଧ୍ୟମରେ ଅପରେଟ କରୁଥିଲା । ରାକେଟ୍ ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ପ୍ରଲୋଭନ ଦେଖାଉଥିଲା । ଦିଲ୍ଲୀରେ ଏହାର ମାଷ୍ଟରମାଇଣ୍ଡ ବସିଥିଲା ବେଳେ ମୁମ୍ବାଇ, ଭୋପାଳ ଏବଂ ଡେରାଡୁନ୍‌ରେ ସଂସ୍ଥାର କାର୍ଯ୍ୟାଳୟ ଥିଲା । ଏମାନେ ସରକାରୀ ୱେବ୍ ସାଇଟ ସଦୃଶ ଏକ ୱେବ୍‌ସାଇଟ୍‌କୁ ଡିଜାଇନ୍ କରିଥିଲେ । ଯେଉଁ ରାଜ୍ୟରେ ଠକେଇ କରିବେ ସେଠାକାର ସ୍ଥାନୀୟ ଖବରକାଗଜରେ ଏସମ୍ପର୍କିତ ବିଜ୍ଞାପନ ଦେଉଥିଲେ । ପିଲାଙ୍କୁ ଅନ୍‌ଲାଇନ୍ ଆବେଦନ କରିବାକୁ କୁହାଯାଉଥିଲା । ଏହା ସରକାରୀ ସଂସ୍ଥା ବୋଲି ଆବେଦନକାରୀଙ୍କ ନିକଟରେ ବିଶ୍ୱାସଭାଜନ ହେବା ପାଇଁ ଏଠାରେ ଏସ୍‌ସି ଏବଂ ଏସ୍‌ଟି ଆବେଦନକାରୀଙ୍କ ପାଇଁ ରିଜରଭେସନ ସମେତ ଆବେଦନ ଫି ମଧ୍ୟ କମ୍ ରଖାଯାଇଥିଲା । ସାଧାରଣ ବର୍ଗ ପିଲାଙ୍କ ଆବେଦନ ଫିସ୍ ବାବଦକୁ ୩୨୦ ରଖାଯାଇଥିବା ବେଳେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ୧୭୦ ଟଙ୍କା ଆବେଦନ ଫିସ୍ ରଖାଯାଇଥିଲା ।

ବିଜ୍ଞାପନରେ ଦିଆଯାଇଥିବା ମେଲ୍ ଆଇଡି ଏବଂ ଫୋନ୍ ନମ୍ବରରେ ଯୋଗଯୋଗ କରି ଏକାଧିକ ପିଲା ଆବେଦନ କରିଥିଲେ । ବିଭିନ୍ନ ପରିକ୍ଷା ଆଳରେ ପିଲାଙ୍କ ଠାରୁ କୋଟିକୋଟି ଟଙ୍କା ଛାପୁଥିଲେ । ୩ବର୍ଷ ଧରି ଏମାନେ ବେକାର ଯୁବକ ଯୁବତୀମାନଙ୍କୁ ଏହି ଉପାୟରେ ଠକୁଥିଲେ । ପ୍ରଥମେ ଏମାନେ ଲୁଚି ଲୁଚି ଠକୁଥିଲା ବେଳେ କିଛିଦିନ ହେବ ଆବେଦନକାରୀଙ୍କୁ ଖୁଲମଖୁଲା ଠକୁଥିଲେ । ୩ ବର୍ଷ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ୬.୫ କୋଟି ଟଙ୍କାର ଠକେଇ କରିଥିଲା । ମଧ୍ୟପ୍ରେଦଶ, ଛତିଶଗଡ଼,ଉତ୍ତରାଖଣ୍ଡ,ରାଜସ୍ଥାନ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରେଦଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଆସାମ, ହିମାଞ୍ଚଳ ପ୍ରେଦଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ,ପଞ୍ଜାବ ଏବଂ ହରିୟାନା ରାଜ୍ୟ ପର୍ଯ୍ୟନ୍ତ ଏହାର ନେଟ୍‌ୱାର୍କ ଲମ୍ବିଥିଲା । ଏନେଇ ଇଓଡବ୍ଲୁରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ତେବେ ସଂସ୍ଥାର ସେକ୍ରେଟାରୀ ଧର୍ମାପାଳଙ୍କୁ ଗିରଫ କରାଯାଇଥିଲା ବେଳେ ମାଷ୍ଟରମାଣ୍ଡଙ୍କୁ ଗିରଫ କରିବାକୁ ଇଓଡବ୍ଲୁ ଜାଲ ବିଛାଇଛି ।

nis-ad
Leave A Reply

Your email address will not be published.