ଉପକୂଳ ରାଜପଥ ନିର୍ମାଣରୁ ଗଞ୍ଜାମକୁ ବାଦଦେବା ଘଟଣାରେ ସଂସାଦ ଓ ବିଧାୟକ ନିରବ କାହିଁକି…?

ପୀତବାସ ପଣ୍ଡା ,ଆଇନଜୀବି
ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ,ବ୍ରହ୍ମପୁର।

ବ୍ରହ୍ମପୁର :କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଉପକୂଳ ରାଜପଥରୁ ଗଞ୍ଜାମ ଜିଲ୍ଲାର 69 କିମି ବାଦ ପଡ଼ିଛି। ଗୋପାଲପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ 2015 ମସିହାରେ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିଲାଗି 8 ହଜାର କୋଟି ଟଙ୍କା ବ୍ୟୟ ବରାଦ ସହିତ 451 କିମି ହାଇୱେ ନିର୍ମାଣ ପ୍ରସ୍ତାବ ରହିଥିଲା। କିନ୍ତୁ ପରିବେଶ ଆଳରେ ଗଞ୍ଜାମ ଜିଲ୍ଲାର 69 କିମି ଉପକୂଳକୁ ବାଦ୍ ଦେଇ କେନ୍ଦ୍ର ସରକାର 382 କିମି କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ 2022 ଅକ୍ଟୋବରରେ କେନ୍ଦ୍ର ସରକାର ଡିପିଆର୍ ପ୍ରସ୍ତୁତ କରିଛନ୍ତି। ଗୋପାଲପୁର ଠାରୁ ଦୀଘା ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଠାରୁ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ ଓ ଧାମରା ବନ୍ଦର ଏବଂ ବାଲେଶ୍ଵର ଜିଲ୍ଲା ରତନପୁର ଦେଇ ଦୀଘାକୁ ସଂଯୋଗ ନିମନ୍ତେ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବିଶେଷଜ୍ଞ କମିଟି ଚିଲିକା ହ୍ରଦର ପରିବେଶ ଓ ରୁଷିକୁଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳ ପ୍ରସ୍ତାବିତ ହାଇୱେରୁ ବାଦ ପଡ଼ିଥିବା କୁହାଯାଇଛି।
ବ୍ରହ୍ମପୁର ସହରର ବିକାଶ ଚେନ୍ନାଇ ଓ କୋଲକାତା ରେଳପଥ ଏବଂ ରାଜପଥ ସଂଯୋଗ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଭାରତମାଳା ପରିଯୋଜନାରେ ପୁରୀ ଓ କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳ ଏବଂ ପାରାଦୀପ ଓ ଧାମରା ବନ୍ଦର ସହ ସଡ଼କ ପଥରେ ସିଧାସଳଖ ଯୋଡ଼ି ହେଲେ ବ୍ରହ୍ମପୁରର ଅର୍ଥନୀତି, ଶ୍ରମ ନିଯୁକ୍ତି, ଇକୋ ଟୁରିଜିମ୍, ଗମନାଗମନ, ପରିବହନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ ସମ୍ଭାବନା ରହିଛି। ଏହା ଫଳରେ ବ୍ରହ୍ମପୁର ନିକଟ ଗୋପାଲପୁର ଓ ସୁନାପୁର ବେଳାଭୂମି, ଛତ୍ରପୁର ତାମ୍ପରା ଓ ଚିଲିକା ପର୍ଯ୍ୟଟନ ସ୍ଥଳ ବିକାଶ ସହ ଗଞ୍ଜାମ ଜିଲ୍ଲାର ଅର୍ଥନୀତିରେ ଅଗ୍ରଗତି ସମ୍ଭାବନା ରହିଛି। ତେଣୁ ଗଞ୍ଜାମ ଜିଲ୍ଲାର ଉପକୂଳ ଏହି ଯୋଜନାରୁ ବାଦ୍ ପଡ଼ିବା ଅତ୍ୟନ୍ତ ଉଦବେଗର ବିଷୟ। ପ୍ରସ୍ତାବିତ ଉପକୂଳ ରାଜପଥ ଯୋଜନାରୁ ପରିବେଶ ଆଳରେ ଗୋପାଲପୁର ସମେତ ଗଞ୍ଜାମ ଜିଲ୍ଲାକୁ ବାଦ୍ ନଦେଇ ବିକଳ୍ପ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଆଇନଜୀବି ତଥା ପିସିସି ସଦସ୍ୟ ପୀତବାସ ପଣ୍ଡା ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲାର ସାମଗ୍ରିକ ଆର୍ଥିକ ବିକାଶ କ୍ଷେତ୍ରରେ ଏହି କୋଷ୍ଟାଲ ହାଇୱେ ଗୁରୁତ୍ଵ ବହନ କରୁଛି। କିନ୍ତୁ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବ ଅବଲମ୍ବନ କରିବା କ୍ଷୋଭର ବିଷୟ। ଜିଲ୍ଲାର କୌଣସି ବିଧାୟକ ଏହି ପ୍ରସଙ୍ଗରେ ପ୍ରଶ୍ନ ଉତଥାପନ କରିନାହାନ୍ତି। ଏପରିକି ବିଜେଡି ଓ ବିଜେପି ସାଂସଦ ମଧ୍ଯ ସଂସଦରେ ଅଣଦେଖା କରିଛନ୍ତି। କହିବାକୁ ଗଲେ, ଗଞ୍ଜାମ ଜିଲ୍ଲାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ଏକତରଫା ନିଷ୍ପତ୍ତିକୁ ଓଡ଼ିଶାର ବିଧାୟକ ଓ ସାଂସଦମାନେ ହାତ ଟେକି ସମର୍ଥନ ଦେଇଛନ୍ତି। ବିଜେଡିର ବିଜେପି ତୁଷ୍ଟିକରଣ ନୀତିକୁ କଂଗ୍ରେସ ନିନ୍ଦା କରିବା ସହ ଦୀଘା ଠାରୁ ସୁନାପୁର ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ନିମନ୍ତେ ସଂଶୋଧିତ ଡିପିଆର୍ ପ୍ରସ୍ତୁତ କରି ବଜେଟରେ ଅର୍ଥ ବ୍ୟୟ ବରାଦ କରିବାକୁ ପିସିସି ସଦସ୍ୟ ତଥା ଆଇନଜୀବି ପୀତବାସ ପଣ୍ଡା ଦାବି କରିଛନ୍ତି।

nis-ad
Leave A Reply

Your email address will not be published.