ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ମଣ୍ଡି : ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ଲକ୍ଷ୍ୟ

ସୁନ୍ଦରଗଡ଼ (୦୯/୦୨) : ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ଲାଗି ଚାଷୀମାନଙ୍କଠାରୁ ଖରିଫ୍ ମାଣ୍ଡିଆ ସଂଗ୍ରହ କରାଯାଉଛି। ଏଥିପାଇଁ ଜିଲ୍ଲାରେ ମୋଟ ୪୦ଟି ମଣ୍ଡି ଖୋଲା ଯାଇଛି। ଚାଷୀମାନେ ନିକଟସ୍ଥ ମଣ୍ଡିକୁ ଆସି ସୁବିଧାରେ ମାଣ୍ଡିଆ ବିକ୍ରି କରି ଉଚିତ ମୂଲ୍ୟ ପାଉଛନ୍ତି। ଚଳିତ ବର୍ଷ ୩୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଜାନୁଆରି ମାସରୁ ମାଣ୍ଡିଆ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡିରେ ମାଣ୍ଡିଆ ବିକ୍ରୟ କରିବା ଲାଗି ୧୩ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ୫୭୮ ଟଙ୍କା ଧାର୍ଯ୍ୟ କରାଯାଇଛି।

ଚାଷୀମାନଙ୍କଠାରୁ ମାଣ୍ଡିଆ ସଂଗ୍ରହ ପାଇଁ କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ଲାମ୍ପସକୁ ଦାୟିତ୍ୱ ଦିଆଯାଇଛି। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିଗୁଡ଼ିକରେ ତାରପୋଲିନ ସହ ଓଜନ ମାପ ଯନ୍ତ୍ର, ମଏଶ୍ଚର ମିଟର ଏବଂ ହ୍ୟାଣ୍ଡ ଗ୍ରେଡର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ମାଣ୍ଡିଆ ବିକ୍ରି କରିବାର ୩ ଦିନ ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, କୁଆରମୁଣ୍ଡା, ରାଜଗାଙ୍ଗପୁର, କୁତ୍ରା, ବାଲିଶଙ୍କରା, ହେମଗିର, ଟାଙ୍ଗରପାଲି ଏବଂ ଲେଫ୍ରିପଡ଼ା ବ୍ଲକରେ ମାଣ୍ଡିଆ କିଣିବା ଦାୟିତ୍ୱ କୃଷକ ଉତ୍ପାଦକ ଗୋଷ୍ଠୀକୁ ଦିଆଯାଇଛି। ସେହିପରି ଲହୁଣୀପଡ଼ା, ଗୁରୁଣ୍ଡିଆ ଏବଂ ଲାଠିକଟା ବ୍ଲକରେ ଲାମ୍ପସ୍ ମାଧ୍ୟମରେ ମାଣ୍ଡିଆ ସଂଗ୍ରହ କରାଯାଉଛି। ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ସଚେତନ କରାଯାଉଛି।

‘‘ଚାଷୀମାନଙ୍କଠାରୁ ମାଣ୍ଡିଆ କିଣିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଛି। ଚାଷୀମାନେ ସୁବିଧାରେ କିପରି ସେମାନଙ୍କ ଉତ୍ପାଦିତ ପୁଷ୍ଟିଶସ୍ୟ ମଣ୍ଡିରେ ବିକ୍ରି କରିବେ ସେନେଇ କୃଷକ ଉତ୍ପାଦକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ଆଗାମୀ ବର୍ଷ ଜିଲ୍ଲାରେ କିପରି ଅଧିକରୁ ଅଧିକ ଚାଷୀ ଏଥିରେ ଯୋଡ଼ି ହେବେ ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିରେନ୍ଦ୍ର କୁମାର ବେହେରା।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ନୂଆଗାଁ, ଲାଠିକଟା, କୁଆରମୁଣ୍ଡା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, ବାଲିଶଙ୍କରା, ରାଜଗାଙ୍ଗପୁର, ଟାଙ୍ଗରପାଲି, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଏହି ଚାଷ କରାଯାଉଛି। ସେଥିମଧ୍ୟରୁ ୮ଟି ବ୍ଲକ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାର ବିହନ ସହିତ ଆବଶ୍ୟକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି। ଏସଏଚଜି ମା’ମାନେ ମିଲେଟ ଶକ୍ତି ଟିଫିନ ସେଣ୍ଟର କରି ଭଲ ଦି’ପଇସା ରୋଜଗାର କରିପାରୁଛନ୍ତି। ଏହି ଟିଫିନ ସେଣ୍ଟର ପରିଚାଳନା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ସେମାନଙ୍କୁ ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧ଟି ଟିଫିନ ସେଣ୍ଟର ରହିଥିବା ବେଳେ ରାଉରକେଲାରେ ଦୁଇଟି ‘ମିଲେଟ୍ ଶକ୍ତି କାଫେ’ ରହିଛି।

nis-ad
Leave A Reply

Your email address will not be published.