ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ

ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା
ଭୁବନେଶ୍ବର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଜଣେ ଓଡ଼ିଆ କବି ଥିଲେ। ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ। ଡାକ୍ତରୀ କୁନ୍ତଳାଙ୍କର ବୃତ୍ତି ଥିଲା; ମାତ୍ର ପ୍ରବୃତ୍ତି ଥିଲା ସାହିତ୍ୟ ସାଧନା। କଳା ପାଇଁ କଳା ନୁହେଁ, ଜୀବନ ପାଇଁ କଳାର ସୃଷ୍ଟିରେ ସେ ବିଶ୍ବାସୀ ଥିଲେ। ତତ୍‌କାଳୀନ ସମାଜରେ ପୂରି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ବିଶେଷତଃ ନାରୀଜୀବନର ବିବିଧ ସମସ୍ୟାକୁ ଦୂରେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଳ୍ପନା ସେ କରିଥିଲେ। ୧୯୦୧ ମସିହା ଫେବୃୟାରୀ ୮ ତାରିଖରେ ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲାର ଜଗଦଳପୁର ଗ୍ରାମରେ କୁନ୍ତଳା ଜନ୍ମ ଗ୍ରହଣ କରିଥିଲେ। ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲିଗଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ରହିଲେ। ପରେ ସେ ନିଜ ମା’ଙ୍କ ସହ ଓଡ଼ିଶାକୁ ଫେରିଆସିଲେ। ବର୍ମାରୁ ଫେରିବା ପରେ କୁନ୍ତଳା ରେଭେନ୍‌ସା ବାଳିକା ବିଦ୍ୟାଳୟର ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଘୃଣ୍ୟ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କୁନ୍ତଳା ଅନେକ କାଳଜୟୀ କବିତା ଓ ଦେଶାତ୍ମବୋଧକ କବିତା ମଧ୍ୟ ଲେଖିଛନ୍ତି। ୧୯୨୫ ମସିହାରେ ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରାଯାଇଥିଲା ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି।


ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀ ନିବାସ ପରିସରରେ ବିଶିଷ୍ଟ ନାରୀ କବି, ଔପନ୍ୟାସିକା ତଥା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର କୁନ୍ତଳା କୁମାରୀ ସାବତଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା ଏବଂ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ସ୍ମୃତିଚାରଣ କରିଥିଲେ ଏବଂ ଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। କୁନ୍ତଳା କୁମାରୀ ଛାତ୍ରୀ ନିବାସ ସୁପରିଟେଣ୍ଡେଣ୍ଟ ଡ.ଜ୍ୟୋତିର୍ମୟୀ ଟୁଡୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଛାତ୍ରୀ ନିବାସ ପରିସରରେ ଏକ ପ୍ରାଚୀରପତ୍ର ଉନ୍ମୋଚିତ ହୋଇଥିଲା।

nis-ad
Leave A Reply

Your email address will not be published.