ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…


ସୁନ୍ଦରଗଡ଼/ ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହା ସହିତ ଯୋଡି ହୋଇ ଯାଇଛି ବିଶ୍ଵ କ୍ରୀଡା ଇତିହାସରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ।
ମୁଖ୍ୟମନ୍ତ୍ରୀ ହକିପ୍ରେମୀ, ଖେଳାଳୀ, ସାଧାରଣ ଜନତା, ଓଡିଶା ତଥା ଦେଶର କ୍ରୀଡାବିତ୍‌ଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିଅମକୁ ମୁଁ ଉତ୍ସର୍ଗ କରୁଛି ବୋଲି ତାଙ୍କ ସମ୍ବିଧାନରେ କହିଥିଲେ ଏବଂ ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵ କପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଭାରତ ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ଏକ କୋଟି ଟଙ୍କା ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ ଶକ୍ତି ଭାବରେ ଗଢି ତୋଳିବ ଏବଂ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ ବୋଲି ସେ ବକ୍ତବ୍ୟ ରଖିଥିଲେ। ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିଅମ ଓଡିଶା ମାଟିର ଗୌରବ ଗାନ କରୁଛି ଏବଂ ଏ ଷ୍ଟାଡିଅମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରକାଶ ଯୋଗ୍ୟ ଯେ ୧୨୦ କୋଟି ଟଙ୍କା ଖର୍ଚ୍ଚରେ ରେକର୍ଡ ପନ୍ଦର ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ୍ ନିର୍ମିତ ହୋଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ,ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ,୫-ଟି ସଚିବ ପାଣ୍ଡିଆନ୍ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ପରିଦର୍ଶନ କରି ସେଠାରେ ଭାରତୀୟ ହକି ଟିମ୍‌ର ଖେଳାଳୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ସୁନ୍ଦରଗଡ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଉରକେଲା ସହରରେ ମୋ ବସ୍‌ ଚଳାଚଳର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହାପରେ ସେ ହକି ଷ୍ଟାଡିଅମ ଉଦ୍‌ଘାଟନ କରିଥିଲେ।

nis-ad
Leave A Reply

Your email address will not be published.