ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୩ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ ବର୍ଷ ୨୦୨୩କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ କହିଥିଲେ ଓ ନବ ବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ ସେହିପରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ୍ ଶାନ୍ତି ଶୃଙ୍ଖଳାର ଓ ଆନନ୍ଦର ସହିତ ବଡ଼ଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। କନ୍ଧମାଳ ଏକ ଶାନ୍ତି ପ୍ରିୟ ଜିଲ୍ଲା । ଏହାର ଅଧିବାସୀମାନେ ପ୍ରତି ପ୍ରତ୍ୟେକ ଭାଇଚାରାରେ ସାହାଯ୍ୟ ସହାନୁଭୁତି ପ୍ରଦାନ କରିଥାନ୍ତି । କୋଟଗଡ଼ର ଜଣେ ବ୍ୟକ୍ତି କହିଥିଲେ ଯେ,ହିନ୍ଦୁ ଭାଇମାନେ ଦୁର୍ଗାପୂଜା କଲେ ଆମ୍ଭେମାନେ ସେମାନଙ୍କୁ ସହଯୋଗ କରୁ ଏବଂ ସେମାନେ ମଧ୍ୟ ଆମ୍ଭମାନଙ୍କୁ ସହଯୋଗ କରନ୍ତି । ପୂର୍ବର ପରିସ୍ଥିତି ଆଉ ନାହିଁ । ଆମ୍ଭେମାନେ ଶାନ୍ତି ପ୍ରେମର ରାଜା ପ୍ରଭୁ ଯୀଶୁଙ୍କର ପର୍ବ ଆନନ୍ଦର ସହ ପାଳନ କରିବୁ । ସେହିପରି ରାଇକିଆରୁ ଆଗତ ନାରାୟଣ ପ୍ରସାଦ ମହାନ୍ତି କହିଥିଲେ ଯେ, ରାଇକିଆରେ ୬୫ଟି ଚର୍ଚ୍ଚା ଅଛି ବିଜୁଳି କାଟ୍ ସମୟରେ ବହୁତ ଅସୁବିଧା ହୁଏ । କିଛି ସ୍ଥାନରେ ବିଦ୍ୟୁତ୍ କାଟ୍ ସମୟରେ ବଡ଼ ଦିନ ପାଳନରେ ବହୁ ଅସୁବିଧା ହୋଇଥାଏ । ଏଥିପ୍ରତି ନଜର ଦେବାକୁ ସେ ଅନୁରୋଧ କରିଥିଲେ । ସେହିପରି ତୁମୁଡ଼ିବନ୍ଧର ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିଶାକୁ ନିଷେଧ କରାଗଲେ ଭଲ ହୁଅନ୍ତା ବୋଲି କହିଥିଲେ । ସେହିପରି ଡକ୍ଟର ଅରୁପ କୁମାର ଜେନା କହିଥିଲେ ଯେ, ଯଦି ଆମେ ଏହି ଜିଲ୍ଲାକୁ ଭଲପାଉ, ମାଟିକୁ ଭଲପାଉ ତେବେ ଏହି ଜିଲ୍ଲାର କିପରି ସର୍ବାଙ୍ଗୀନ ଉନ୍ନତି ହେବ ସେଥୁପ୍ରତି ଧ୍ୟାନ ଦେବା ଉଚିତ୍ । ଏହି ଜିଲ୍ଲାରେ ଏବେ ଶାନ୍ତ ରହିଛି । ବଡ଼ଦିନକୁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆନନ୍ଦରେ ପାଳନ କରିବେ । ଆମେ ସମସ୍ତେ ସତରେ ରହିବା ଭଲ ଏବଂ ସତ୍ୟକୁ ଜାଣିବା ଭଲ ବୋଲି କହିଥିଲେ । ଲମ୍ବୋଦର କହଁର କହିଥିଲେ ଯେ, ଆଦିବାସୀ ମାନେ ଶାନ୍ତି ପ୍ରିୟ । ସେମାନେ ନିଜ ଅଧିକାର ପାଇଁ ଦାବି କରନ୍ତି କିନ୍ତୁ କାହାରି ସହିତ କଳିଗୋଳ କରିବାକୁ ଭଲପାଆନ୍ତି ନାହିଁ କିମ୍ବା କୌଣସି ଧର୍ମକୁ କୁଠାରଘାତ କରନ୍ତି ନାହିଁ । ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ପ୍ରତିସୃତି ଦେଇଥିଲେ । ପରିଶେଷରେ ସମସ୍ତଙ୍କ ମତାମତକୁ ସ୍ବାଗତ ଜଣାଇ ଅଧ୍ୟକ୍ଷ ମହୋଦୟ ସେମାନଙ୍କର ଦାବି ଗୁଡ଼ିକର ଆଶୁ ସମାଧାନ କରାଯିବ ବୋଲି କହିଥିଲେ। ବୈଠକକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପରିଚାଳନା କରିଥିବାବେଳେ ପ୍ରକଳ୍ପ ପ୍ରଶାସକ,ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ବାଲିଗୁଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ- ଜିଲ୍ଲାପାଳ,କନ୍ଧମାଳ, ଉପ-ଜିଲ୍ଲାପାଳ,ବାଲିଗୁଡ଼ା, ଏସ୍.ଡି.ପି.ଓ.,ବାଲିଗୁଡ଼ା, ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ, ସମସ୍ତ ସରକାରୀ ପଦାଧିକାରୀ,କୁଇ ସମାଜର ମୁଖ୍ୟ, ସଂଖ୍ୟାଲଘୁ ସମ୍ପ୍ରଦାୟର ମୁଖ୍ୟ ତଥା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ, ଜନ ପ୍ରତିନିଧ୍, ଗଣମାଧ୍ୟମର ପ୍ରତିିଧିମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.