ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ,ଏନ୍ଏସି ପ୍ରଶାସନ ସାଜିଛି ନିଦାବିଷ୍ଣୁ

ବୁଗୁଡ଼ା : ସ୍ଥାନୀୟ ଏନଏସି କଲ୍ୟାଣୀ ମଣ୍ଡପ ପଛପଟ ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୱାର୍ଡ ନଂ-୩ ଅନୁର୍ଗତ ଏହି ରାସ୍ତା ସାରା ଖାଲଖମା ସାଙ୍ଗକୁ ସଦାବେଳେ ଦୁର୍ଗନ୍ଧ ପାଣି ଜମିରହୁଥିବାରୁ ସେଠାରେ ଘୁଷୁରି ଲୋଟିବା ସହ ଲୋକଙ୍କଯାତାୟାତରେ ଅସୁବିଧା ହେଉଛି। ଲୋକଙ୍କ ଘରୁ ନିଷ୍କାସିତ ଜଳ ଓ ପାଚେରି କଡେ ଲୋକେ କରୁଥିବା ପରିସ୍ରା ମିଶି ଅବସ୍ଥା ଏପରି ହେଉଛି ଯେ ସେହି ଦୁର୍ଗନ୍ଧ ରାସ୍ତା ଦେଇ କେହି ହେଲେ ଯିବାକୁ ଉଚିତ୍ ମଣୁ ନାହାନ୍ତି । ଏନେଇ ବାରମ୍ବାର ଅଭିଯୋଗ ସାଙ୍ଗକୁ ବାରମ୍ବାର ଖବର ପ୍ରକାଶ ହେଉଥିଲେ ସୁଦ୍ଧା ଏନ୍ଏସି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅପରପକ୍ଷରେ, ଦୁଇରୁ ଚାରୋଟି ଘର ଥିବା ଜାଗାକୁ ପେବର ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଅରବିନ୍ଦ ନଗରର ଏହି ଶୋଚନୀୟ ରାସ୍ତା ପ୍ରତି ଧ୍ୟାନ ନଦେବା ଏନ୍‌ଏସି ପ୍ରଶାସନର କିଭଳି ମାନସିକତା ତାହା ବୁଝା ପଡୁନାହିଁ । ଅଧୂକନ୍ତୁ, ଏନ୍‌ଏସି ପ୍ରଶାସନ ସର୍ବଦା ନଗରବାସୀଙ୍କୁ ସ୍ବଚ୍ଛତା ରକ୍ଷା ସକାଶେ ସଚେତନ କରୁଥିବା ବେଳେ ସହରର ପରିଚ୍ଛନ୍ନତା ପ୍ରତି ଉଦାସୀନ ରହୁଥିବା ହେତୁ ସର୍ବସାଧାରଣରେ ଏନ୍‌ଏସି କର୍ତ୍ତୃପକ୍ଷ ସମାଲୋଚିତ ହେଉଛନ୍ତି । ଏଣୁ, ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

nis-ad
Leave A Reply

Your email address will not be published.