DIET,ମାଲକାନଗିରି ଆନୁକୁଲ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଚିତ୍ରକୋଣ୍ଡା(୨୬/୧୦) : ପରିବାର ମଧ୍ୟକୁ ନୂତନ ବ୍ୟକ୍ତିଙ୍କ ଆଗମନୀ ହେଉ ଅବା ଅନୁଷ୍ଠାନକୁ ନୂତନ ବ୍ୟକ୍ତିଙ୍କ ପ୍ରବେଶ ଯେତିକି ଆନନ୍ଦ ଦାୟକ ବିଦାୟ ବା ବିଚ୍ଛେଦ ତା’ଠାରୁ ଖୁବ୍ ଦୁଃଖାଭିଭୂତ ଏବଂ ଶୋକାକୁଳ ପରିବେଶ ମଧ୍ୟକୁ ଅଘୋଷିତ ଭାବରେ ଠେଲି ଦେଇଥାଏ । ଠିକ୍ ଏଭଳି ଏକ ସମ୍ବେଦନଶୀଳ ପରିବେଶ ଓ ପରିସ୍ଥିତି ଆଜି ଦେଖିବାକୁ ମିଳିଛି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ମାଲକାନଗିରି ଅନ୍ତର୍ଗତ ଚିତ୍ରକୋଣ୍ଡା ଅଞ୍ଚଳରେ । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଲଳିନ୍ଦ୍ର ମୋହନ ମାରାଣ୍ଡି ଆଜି ଅନୁଷ୍ଠାନରୁ ପଦୋନ୍ନତି ସହ ସ୍ଥାନାନ୍ତର ହୋଇଛନ୍ତି । ଏହି ଅବସରରେ ଅନୁଷ୍ଠାନର ଗୁରୁ ଛାତ୍ର ଛାତ୍ରୀ ତଥା ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ଗହଣରେ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ତେବେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଲଲିନ୍ଦ୍ର ମୋହନ ମାରାଣ୍ଡି ଗତ ୨୪/୦୯/୨୦୨୧ ରେ ଅନୁଷ୍ଠାନରେ ଯୋଗ ଦେଇଥିଲେ ଏବଂ ଖୁବ୍ କମ୍ ଦିନର ଏହି କାର୍ଯ୍ୟକାଳ ମଧ୍ୟରେ ନିଜର କର୍ତ୍ତବ୍ୟନିଷ୍ଠା,ସମୟାନୁବର୍ତ୍ତିତା, ଶିକ୍ଷା ଦାନ ଦକ୍ଷତା ଏବଂ ଛାତ୍ର ବତ୍ସଳ ମନୋଭାବ କାରଣରୁ ଗୁରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବାର ଅବସର ଲାଭ କରିଥିଲେ । ତେବେ ବର୍ତ୍ତମାନ ଶ୍ରୀ ମାରାଣ୍ଡି ସମ୍ବଲପୁର ଜିଲ୍ଲା ବି.ଇଡି. ବିଦ୍ୟାଳୟରେ ଅଧ୍ୟାପକ ଭାବେ ପଦୋନ୍ନତି ହେବାର ସୌଭାଗ୍ୟ ଅର୍ଜନ କରି ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଇତି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ସେଠୀ କହିଛନ୍ତି ଯେ ଶ୍ରୀ ମାରାଣ୍ଡି ଅନୁଷ୍ଠାନର ଜଣେ ବୁଦ୍ଧିମାନ, ଆନ୍ତରିକ ଏବଂ କର୍ତ୍ତବ୍ୟନିଷ୍ଠ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଥିଲେ ଯିଏକି ଅନୁଷ୍ଠାନର ଏକ ଜାଗ୍ରତ ପ୍ରହରୀ ଭାବେ ନିଜର ଦାୟିତ୍ଵ ତୁଲାଇ ଆସିଥିଲେ । ଅନ୍ୟ ପାର୍ଶ୍ବରେ ଶ୍ରୀ ମାରାଣ୍ଡି ଅନୁଷ୍ଠାନରେ ତାଙ୍କର ଅଭିଜ୍ଞତା ଏବଂ ବିତେଇଥିବା ପ୍ରତ୍ୟେକ ମୂହୁର୍ତ୍ତକୁ ମନେ ପକାଇ ଭାବପ୍ରବଣ ହୋଇ ପଡ଼ିଥିଲେ । ଅଧ୍ୟକ୍ଷ ମାହୋଦୟଙ୍କ ସଭାପତିତ୍ବରେ ଆୟୋଜିତ ଆଜିକାର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସହକର୍ମୀ, ଛାତ୍ରୀ ଛାତ୍ର, କିଛି ସ୍ଥାନୀୟ ଅତିଥି ଏବଂ କିଛି ପ୍ରାକ୍ତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ପଦୋନ୍ନତ ଶିକ୍ଷକଙ୍କୁ ସେମାନଙ୍କ ପ୍ରେମ ଏବଂ ସମ୍ମାନ ସହିତ ଉପହାର ପ୍ରଦାନ କରିଥିଲେ । ସଭାରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଏବଂ ସହକର୍ମୀ ଶ୍ରୀ ଲଳିନ୍ଦ୍ର ମୋହନ ମାରାଣ୍ଡିଙ୍କ ନିମନ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରି ଅପରାହ୍ନ ୨ଟାରେ ସଭା ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.