ବ୍ରହ୍ମପୁର ପୋଲିସ କୁ ମିଳିଛି ସଫଳତା : ଚୋରୀ ଘଟଣାର ପର୍ଦାଫାସ୍, ୪ ଗିରଫ…

ବ୍ରହ୍ମପୁର : ସ୍ଥାନୀୟ ଅନ୍ଧପସରା ରୋଡ ସ୍ଥିତ ମୟୁରୀ ବିହାରରେ ଥିବା ଏକ ତାଲା ବନ୍ଦ ଘରୁ ଚୋରି ହୋଇଥିବା ଘଟଣାର ପର୍ଦାଫାସ୍ ହୋଇଛି । ଏହି ଘଟଣାରେ ଆଜି ଗୋଷାଣୀନୂଆଗାଁ ପୁଲିସ ୪ ଜଣକୁ ଗିରଫ କରିଛି । ଏଥିରୁ ଦୁଇ ନାବାଳକଙ୍କୁ ଜୁଭେନାଏଲ୍ ବୋର୍ଡରେ ହାଜର କରିଥିବା ବେଳେ ଅନ୍ୟ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଯୁବକମାନେ ହେଲେ ବଡବଜାର ଜଗବନ୍ଧୁ ସାହିର ସନ୍ତୋଷ ସାହୁ ଓ ଗଣେଷ ନଗର ଅଞ୍ଚଳର ସାଗର ମୂଳି । ଗିରଫ ଯୁବକଙ୍କ ନିକଟରୁ ୮୪୫ ଗ୍ରାମ୍ ରୂପା, ୧୦ ଗ୍ରାମ୍ ସୁନା ଅଳଙ୍କାର, ୪ଟି ବାଇକ୍,ଗୋଟିଏ ମୋବାଇଲ ଫୋନ ଏବଂ ଚିଲରା ପଇସାକୁ ମିଶାଇ ନଗଦ ୩୬ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ସୂଚନାଯୋଗ୍ୟ ଯେ, ଅନ୍ଧପ୍ରସାରା ରୋଡ଼ ସ୍ଥିତ ମୟୁରୀ ବିହାର ଅଞ୍ଚଳରେ ରହୁଥିବା ଟୁନିସାହୁ ନିଜର ମେଡିକାଲ କାମକିଛି ଦିନ ହେଲା ବାଙ୍ଗାଲୁରୁ ଯାଇଥିଲେ । ଏହି ସମୟରେ ସେ ତାଙ୍କ ଘରର ଚାବିକୁ ତାଙ୍କ ଭଣଜା ଚନ୍ଦ୍ରଙ୍କୁ ଦେଇଥିଲେ । ଯାହା ଫଳରେ ଟୁନିଙ୍କ ଘରେ ତାଲା ଝୁଲୁଥିଲା । ତେଣୁ ଉକ୍ତ ତାଲାବନ୍ଦ ଘରକୁ ଟାର୍ଗେଟ କରି ଚୋରମାନେ ଗ୍ରୀଲର ତାଲା ଭାଙ୍ଗି ଘରେ ପଶିବା ସହ ଘରେ ଥିବା ବନ୍ଦ ଆଲମିରାକୁ ଭାଙ୍ଗି ୧୫ ତୋଳା ସୁନା, ୨ଶହ ତୋଳା ରୂପା ଓ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇ ଯାଇଥିବା ନେଇ ଟୁନିଙ୍କ ଭଣଜା ଚନ୍ଦ୍ର ଶେଖର ମହାନ୍ତି ଗୋସାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ପୁଲିସ ୧୨୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଆଖପାଖରେ ସିସିଟିଭି ଯାଞ୍ଚ କରିଥିଲା । ତଦନ୍ତ ବେଳେ ସିସିଟିଭିରେ ୪ଜଣ ଦୁର୍ବୃତ୍ତମାନଙ୍କ ଫୁଟେଜ୍ ଚିତ୍ର କଏଦ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଚୋରକୁ ପୁଲିସ ଚିହ୍ନଟ କରି କାବୁ ସହ ଥାନାରେ ଅଟକ ରଖି ପଚରାଉଚରା କରିବା ବେଳେ ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଚୋର ମାନଙ୍କ ନାମ ପୁଲିସକୁ କହିଥିଲା । ସେହି ପ୍ରକାରେ ପୁଲିସ ଭୋଳେ ବାବା ସଗାରଙ୍କ ସମେତ ଅନ୍ୟ ୩ ଜଣଚୋରକୁ କାବୁ କରିଥିଲା । ଏଥିରେ ଦୁଇ ଜଣ ନାବାଳକ ଥିବା ବେଳେ ଦୁଇ ଯୁବକ ଥିବା ଜଣାପଡ଼ିଛି । ଉକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ସଗାର ମୁଳିଙ୍କ ନାମରେ ସହରର ବିଭିନ୍ନ ଥାନାରେ ୨୨ଟି ମାମଲା ରହିଥିବା ବେଳେ ସନ୍ତୋଷଙ୍କ ନାମରେ ୪ଟି ମାମଲା ରହିଛି । ଅନ୍ୟପକ୍ଷରେ ଜଣେ ଜୁଭେନାଏଲଙ୍କ ନାମରେ ମଧ୍ୟ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ପୁଲିସ କହିଛି । ଏହିଭଳି କିଛି ପେଶାଦାର ଅପରାଧୀମାନେ ଚୋରି, ଡକାୟତି ଓ ଲୁଟ ଭଳି ସଙ୍ଗିନ୍ ଘଟଣାରେ ନାବାଳକମାନଙ୍କୁ ବ୍ୟବହାର କରୁଛନ୍ତି । ଏମାନଙ୍କ ଦ୍ୱାରା ବିଭିନ୍ନ ଅପରାଧିକ ଘଟଣା ଘଟାଇ ଅସଦ୍ ଉପାୟରେ ଅନେକ ଟଙ୍କା ଅର୍ଜନ କରିଥାନ୍ତି ।

nis-ad
Leave A Reply

Your email address will not be published.