ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼ (୪/୭) : ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ବିଭିନ୍ନ ବ୍ଲକରୁ ଆସିଥିବା ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହାର ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୧୭ଟି ଅଭିଯୋଗ ଆସିଥିଲା। ଏଥିରେ ବିଭିନ୍ନ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ସମସ୍ୟା ସାମିଲ ଥିଲା। ଏଥିରେ ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ବିଭିନ୍ନ ଭତ୍ତା, ରାସନ କାର୍ଡ, ଡ୍ରେନ୍ ଆଦି ଭଳି ବିଭିନ୍ନ ଅଭିଯୋଗ ଓ ସମସ୍ୟା ରହିଥିଲା। ଜିଲ୍ଲାପାଳ ଜନସାଧାରଣଙ୍କ ମୁହଁରୁ ଏସବୁ ଅଭିଯୋଗ ଶୁଣିଥିଲେ ଏବଂ ଏହାର ତୁରନ୍ତ ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହାଛଡ଼ା ଲାଠିକଟା ବ୍ଲକର ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ଏକ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆର୍ଥିକ ସହାୟତା ଲାଗି ଆବେଦନ କରିଥିଲେ। ଏହି ଆବେଦନର ବିଚାର କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା।

ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର କେତେକ ହିତାଧିକାରୀ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଲାଗି ଆବେଦନ କରିଥିଲେ। ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ୨୨ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ରୀତା ଡାଙ୍ଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଡେପୁଟି କଲେକ୍ଟର (ଜରୁରୀକାଳୀନ) କୁନ୍ତୀରାଣୀ ନାଏକଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.