ବନ ସୁରକ୍ଷା ସମିତି ତଥା ଗ୍ରାମ ବିକାଶର ଦର୍ପଣ ସାଜିବ ଅଣୁଯୋଜନା : ଡି.ଏଫ. ଓ.


ସୁନ୍ଦରଗଡ଼ :-ଅଣୁଯୋଜନା ସଂଶୋଧନ ସମ୍ପର୍କିତ ବନଖଣ୍ଡ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ଉପରେ ନିର୍ଭର କରୁଥିବା ପରିବାରଙ୍କ ଜୀବନ ଜୀବିକା ମାନରେ ଉନ୍ନତି ଆଣିବାର ମହତ ଉଦ୍ଦେଶ୍ୟ ରଖି ସୁନ୍ଦରଗଡ ବନଖଣ୍ଡର ପାଞ୍ଚୋଟି ବନାଞ୍ଚଳର ୧୫୬ ଟି ବନ ସୁରକ୍ଷା ସମିତିକୁ ନେଇ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟରତ। ଗାଁ ଗାଁ ରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ତଥା ଲୋକଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ଯେକ ବନ ସୁରକ୍ଷା ସମିତି ସ୍ତରରେ ସହଭାଗିତା ମୂଳକ ଅଣୁ ଯୋଜନା ପ୍ରସ୍ତୁତ

କରାଯାଇଛି। ଅଣୁ ଯୋଜନା ହେଉଛି ଏକ ପୂର୍ଣ୍ଣାଙ୍ଗ ନଥିପତ୍ର ବା ଦସ୍ତାବିଜ ଯାହା ଗୋଟିଏ ଗ୍ରାମ କିମ୍ବା ଗ୍ରାମରେ ବସବାସ କରୁଥିବା ଗୋଷ୍ଠୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ଧିଷ୍ଟ। ଚଳିତ ବର୍ଷ ଉଜ୍ଜଳପୁର ବନାଞ୍ଚଳର ୩୦ ଟି ବନ ସୁରକ୍ଷା ସମିତିରେ ପ୍ରଥମ ପର୍ଜ୍ଯାୟରେ ଅଣୁଯୋଜନା ସଂଶୋଧନ କରାଯିବ। ଏଥି ନିମନ୍ତେ ବନଖଣ୍ଡ ସ୍ତରୀୟ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ସୁନ୍ଦରଗଡ ସଦଭାବନା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଜ୍ଜଳପୁର, ଲେଫ୍ରିପରା, ହେମଗିର, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ବନାଞ୍ଚଳ ଅଧିକାରୀ, ସହକାରୀ ବନାଞ୍ଚଳ ଅଧିକାରୀ, ଉଜ୍ଜଳପୁର ବନାଞ୍ଚଳର ସମସ୍ତ ସଭ୍ଯ ସଚିବ, ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତା, ଏଫ.ଏମ.ୟୁ. କୋର୍ଡିନେଟର ତଥା ହିସାବ ରକ୍ଷକ ମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନର କାର୍ଯ୍ୟ କ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗାଦାନ କରି ଅଣୁଯୋଜନା ଦ୍ଵାରା ବନ ସୁରକ୍ଷା ସମିତି ମାଧ୍ୟମରେ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ପ୍ରକଳ୍ପ ପରିଚାଳନା ଏକକ, ଭୁବନେଶ୍ବରରୁ ଛାୟାକାନ୍ତ ମିଶ୍ର, ଅତୁଲ ଜିନ୍ଦଲ, କରୁଣାକର ପାଣିଗ୍ରାହୀ, ସ୍ୱରୂପ ବଳ ତଥା ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକରୁ ଗୋପାଳ ଚନ୍ଦ୍ର ଶୁକ୍ଲା ଓ ସୁକାନ୍ତ କୁମାର ପାଣି ଯୋଗଦାନ କରି ଅଣୁଯୋଜନା ପ୍ରସ୍ତୁତିର ଉଦ୍ଦେଶ୍ୟ, ଆବଶ୍ୟକତା,ପ୍ରକ୍ରିୟା, ସାମାଜିକ ଓ ଅର୍ଥନୈତିକ ବିବରଣୀ, ଜଙ୍ଗଲ ସମ୍ପଦର ବିବରଣୀ, ଜୈବ ବିବିଧତା ତଥ୍ୟ, ପୂର୍ବ ଅଣୁଯୋଜନାର ପ୍ରଗତିର ଆକଳନ, ଜଙ୍ଗଲ ପରିଚାଳନା ଯୋଜନାପାରିବେଶିକ ଏବଂ ସାମାଜିକ ପରିଚାଳନା ସୁରକ୍ଷା କବଚ ଆଧାର, ଅନୁସୂଚିତ ଜନଜାତି, ଜଙ୍ଗଲ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ନିମିତ୍ତ ଉନ୍ନୟନ ଯୋଜନା ଆଧାର, ଜୀବିକା ସମ୍ବଧୀୟ ଯୋଜନାର ପ୍ରଗତି ଓ ଯୋଜନା, ଲିଙ୍ଗଗତ ସମତା, ଗୋଷ୍ଠୀ ଭିତ୍ତିକ ତଦାରଖ, ମୂଲ୍ୟାଙ୍କନ, ବାସ୍ତବିକ ବିକାଶ ଯୋଜନା ତଥା ବାର୍ଷିକ ଯୋଜନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଅଣୁଯୋଜନା ବନ ସୁରକ୍ଷା ସମିତି ତଥା ଗ୍ରାମ ବିକାଶର ଦର୍ପଣ ସାଜିବ ବୋଲି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ମତ ପ୍ରଦାନ କରିଥିଲେ। ଶେଷରେ ସୁନ୍ଦରଗଡ ବନଖଣ୍ଡର ସହକାରୀ ବନ ସଂରକ୍ଷକ ମୋହନ ହେମ୍ରମ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.