ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରଗଡ଼ (୧୮/୦୪) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ପ୍ରଗତିମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣି ଏହାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ ସହିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କେତେକ ଲୋକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଓ ପ୍ରସ୍ତାବ ଦେଇଥିଲେ। ଏହାକୁ ଜିଲ୍ଲାପାଳ ସ୍ୱାଗତ କରିବା ସହ ସେମାନଙ୍କ ମତାମତ ଓ ପ୍ରସ୍ତାବକୁ ଆଧାରକରି ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ପ୍ରତି ମାସର ପ୍ରଥମ ସୋମବାର ଦିନ ଜିଲ୍ଲା ସଦରମହକୁମାଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ସେହିପରି ବ୍ଲକସ୍ତରରେ ମଧ୍ୟ ଜନଶୁଣାଣି କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କର ସମସ୍ୟା, ଆପତ୍ତି ଅଭିଯୋଗ ଆଦି ଗ୍ରହଣ କରାଯାଉଥିଲା। ହେଲେ କୋଭିଡ୍ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆସନ୍ତା ଏପ୍ରିଲ ୨୫ରେ କୋଇଡ଼ା ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଗ୍ରାମାଞ୍ଚଳ ପୋଖରୀଗୁଡ଼ିକର ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ପୋଖରୀକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଏହାକୁ ନୂଆ ରୂପ ଦିଆଯିବ। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସଦର ବ୍ଲକ ମସୁନିକାନୀ ପଞ୍ଚାୟତର ଜନସାଧାରଣ ଯୋଗଦେଇ ସେମାନଙ୍କ ପଞ୍ଚାୟତ ପୋଖରୀର ପୁନରୁଦ୍ଧାର ଲାଗି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ପ୍ରସ୍ତାବକୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ। ଗ୍ରାମସଭା ସ୍ତରରେ ଏହାକୁ ଅନୁମୋଦନ କରି ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଆବେଦନ କରିବାକୁ ଜିଲାପାଳ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ବିଦ୍ୟୁତ, ଶୌଚାଳୟ, ଗ୍ରାମ୍ୟ ରାସ୍ତା, ରାସନ କାର୍ଡ, ସ୍କୁଲ ଏବଂ ଅଙ୍ଗନବାଡ଼ି ଗୃହ ନିର୍ମାଣ ଆଦି ସମସ୍ୟା ସମ୍ପର୍କରେ ଜନସାଧାରଣ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ସମସ୍ତ ବିଷୟ ଶୁଣିବା ପରେ ଉପସ୍ଥିତ ଅଧିକାରୀମାନଙ୍କୁ ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ଼ ପ୍ରଗତିମଣ୍ଡପରେ ଆୟୋଜିତ ଏହି ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଡିଏସପି ଉଗ୍ରସେନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଅମୁଲ୍ୟ କୁମାର ପଧାନ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ସୁନ୍ଦରଗଡ଼ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ କିପରି ଆହୁରି ପ୍ରଭାବଶାଳୀ କରାଯିବ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ମତାମତ ଓ ପ୍ରସ୍ତାବକୁ ସ୍ୱାଗତ କରାଯାଉଛି।

nis-ad
Leave A Reply

Your email address will not be published.