କିରନ କୁମାରୀ ଦାସ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା

ଛତ୍ରପୁର : ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତି ନୂଆଗାଁ ସମିତିସଭ୍ୟା କିରନ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି । ଅଗସ୍ତିନୂଆଗାଁ ସମିତିସଭ୍ୟା ଦାସଙ୍କୁ ୧୨ ଟି ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ କୁମାରୀ ସେଠୀଙ୍କୁ ୬ ଟି ଭୋଟ ମିଳିଥିଲା । ଫଳରେ ଗତ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଲାଗି ଚାଲିଥିବା ହାଇଡ୍ରାମା ର ଅବସାନ ଘଟିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଶନିବାର କେବଳ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଲାଗି ଭୋଟ ଗ୍ରହଣ ପାଇଁ ସ୍ଥିରିକୃତ ହୋଇଥିଲା । ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ଦାଖଲ ୨ ନାମାଙ୍କନପତ୍ର କାଏମ ରହିଥିଲା । ବିଜୟୀ ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ ମାନେ ବିଧାୟକଙ୍କ ବିରୋଧରେ ନାରାବାଜି କରିବା ସହ ନବୀନ ଆମର ନେତା ଏବଂ ଆମେ ବିଜେଡି ବୋଲି କହି ଦଳୀୟ ପତାକା ଧରି ଶୋଭାଯାତ୍ରା ବାହାର କରିଥିଲେ । ପରେ ଛତ୍ରପୁର ଲୋଏର ବସଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା । ସୂଚନାଯୋଗ୍ୟ ମାର୍ଚ୍ଚ ମାସ ୧୨ ତାରିଖରେ ଛତ୍ରପୁର ସମେତ ଓଡିଶାର ସମସ୍ତ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ଲାଗି ସ୍ଥିର ହୋଇଥିଲା । ସେହିଦିନ ନାମାଙ୍କନପତ୍ର ଦାଖଲ ପରେ ୫ ଜଣ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ନିର୍ବାଚନ କୁ ବାତିଲ କରାଯାଇଥିଲା । ଗୋଟିଏ ଗୋଷ୍ଠୀରେ ୧୨ ଜଣ ଓ ଅନ୍ୟ ଗୋଷ୍ଠୀରେ ୬ ଜଣ ସମିତିସଭ୍ୟ ରହିଥିଲେ । ୧୨ ଜଣିଆ ଗୋଷ୍ଠୀ ମଧ୍ୟରେ ୩ ଜଣ ସିପିଆଇ ସମର୍ଥିତ ଓ ୯ ଜଣ ବିଜେଡି ସମର୍ଥିତ ଥିବାବେଳେ ଅନ୍ୟ ଗୋଷ୍ଠୀରେ ୬ ଜଣ ବିଜେଡି ସମର୍ଥିତ ସମିତିସଭ୍ୟ ରହିଥିଲେ । ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଉକ୍ତ ନିର୍ବାଚନ ପୂର୍ବରୁ ୧୨ ଜଣ ସମିତିସଭ୍ୟ ଅଜ୍ଞାତବାସରେ ରହିଥିଲେ ଏବଂ ନିର୍ବାଚନ ଦିନ ଅର୍ଥାତ ମାର୍ଚ୍ଚ ୧୨ ତାରିଖରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ନିର୍ବାଚନ ବାତିଲ ହେବାରୁ ଏମାନେ ପୁଣି ଅଜ୍ଞାତବାସକୁ ଚାଲିଯାଇଥିଲେ । ଶୁକ୍ରବାର ସଂନ୍ଧ୍ୟାରେ ବାଲୁଙ୍ଗା ଥାନା ବରକୁଳ ନିକଟ ଏକ ହୋଟେଲରେ ଏମାନେ ରାତ୍ରୀ ଯାପନ କରିଥିଲେ । ରାତିଅଧରେ ଏଠାରୁ ଗଂଜାମ ପୋଲିସ ଅଧିକାରୀମାନେ ସେଠାରେ ପହଂଚି ସେମାନଙ୍କ ଠାରୁ ମୋବାଇଲ ନେଇଯିବା ସହ ବାହାରେ ତାଲା ପକାଇଦେଇଥିଲେ ବୋଲି ଉକ୍ତ ୧୨ ଜଣ ସମିତିସଭ୍ୟ ଅଭିଯୋଗ କରିଥିଲେ । ସେମାନଙ୍କ ସହ ତାଙ୍କ ସମ୍ପର୍କୀୟ ମାନେ ମଧ୍ୟ ଥିଲେ । ଶନିବବାର ସକାଳୁ ହୋଟେଲ ବାଲକୋନୀରୁ ସେମାନେ ବନ୍ଦୀ ହୋଇରହିଥିବା ଉଦ୍ଧାର ନକଲେ ଆତ୍ମହତ୍ୟା କରିବୁ ବୋଲି ଗଣମାଧ୍ୟମକୁ କହୁଥିବା ଦେଖିବାକୁ ମିଳୁଥିଲା । ନିର୍ଦ୍ଧାରିତ ଭୋଟ ଗ୍ରହଣ ସମୟ ପୂର୍ବରୁ ପୋଲିସ ଏସକର୍ଟରେ ୧୨ ଜଣ ସମିତିସଭ୍ୟଙ୍କୁ ବରକୁଳ ହୋଟେଲ ରୁ ଛତ୍ରପୁର ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ସେମାନଙ୍କ ମୋବାଇଲ ମଧ୍ୟ ଫେରାଯାଇଥିବା ସମିତିସଭ୍ୟମାନେ କହିଛନ୍ତି । ତେବେ ସୁରକ୍ଷା ପାଇଁ ପୋଲିସ ସେଠାକୁ ଯାଇଥିଲା ବୋଲି ଛତ୍ରପୁର ଏସଡିପିଓ ଗୌତମ କିଷାନ ଗଣମାଧ୍ୟମକୁ କହିଛନ୍ତି । ମୋବାଇଲ ନେଇଯିବା ସମ୍ପର୍କରେ ପଚାରିବାରୁ ତାର ତଦନ୍ତ ହେବ ବୋଲି ସେ କହିଥିଲେ ।

nis-ad
Leave A Reply

Your email address will not be published.