ନବରଙ୍ଗପୁର : ନବରଙ୍ଗପୁର ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟ ର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହ ର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଉଦଘାଟନୀ ଅଭିଭାଷଣରେ କହିଥିଲେ ଯେ, ଏହି କେନ୍ଦ୍ର ଦ୍ବାରା ମହିଳା, ନାବାଳକ ସାକ୍ଷୀ ମାନଙ୍କ ସହ ସାକ୍ଷ ପ୍ରଦାନ ପାଇଁ ପ୍ରତିପକ୍ଷଙ୍କ ଠାରୁ ଭୟ କିମ୍ବା ଧମକ ପାଉଥିବା ସାକ୍ଷୀ ମାନେ ନିର୍ଭୟର ସହ ସାକ୍ଷ ପ୍ରଦାନ କରିପାରିବେ । ଏଥି ଦ୍ଵାରା ମାମଲା ଗୁଡ଼ିକର ଅବାଧ ବିଚାରଣା ହେବା ସଙ୍ଗେ ସଙ୍ଗେ ଜନ ସାଧାରଣ ଉଚିତ୍ ନ୍ୟାୟ ପାଇପାରିବେ। ପ୍ରାରମ୍ଭରେ ହାଇକୋର୍ଟ ବିଚାରପତି ବିଶ୍ୱଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟ ଇ-କମିଟି ଉପାଧ୍ୟକ୍ଷ ଆର୍.ସି.ଚଭନ, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ର ଅଧ୍ୟକ୍ଷା ଗୀତା ମିତ୍ତଲ, ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲିଧର ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ର ସଦସ୍ୟ ନ୍ୟାୟମୂର୍ତ୍ତୀ ଶ୍ରୀ ବିଭୁ ପ୍ରସାଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କଟକ ଜୁଡିସିଆଲ ଏକାଡେମୀ ଠାରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରିୟରଞ୍ଜନ ଓଝା, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ବିଧୁ ଶେଖର ତ୍ରିପାଠୀ, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ଆଇନଜୀବୀ ସୁରଜ କୁମାର ନାୟକ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।