“ଡ୍ରାଇ ଡେ” ନିର୍ଦ୍ଦେଶନାମାକୁ ଫୁ, ଗଳାବାଟରେ ମଦ ଗଳୁଚି : ଅସଲି କି ନକଲି ?

ହିଞ୍ଜିଳିକାଟୁ (୨୫/୩) : ରାତି ପହିଲେ ଆରମ୍ଭ ହେବ ପୌର ନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା।ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।ନିର୍ବାଚନ ପ୍ରକ୍ରିୟା ସହ ଆଇନ ଶୃଙ୍ଖଳାକୁ ସୁଚାରୁରୂପେ ପରିଚାଳନା କରିବା ଉଦ୍ଦେଶ୍ୟ ରଖି ଚଳିତ ମାସ ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନର ଓ ରାଜ୍ୟ ଅବକାରୀ କମିଶନର ମଦ ବିକ୍ରିବଟା ଉପରେ ନିଷେଧାଦେଶ ଲାଗୁ କରିଛନ୍ତି।ପୌର ନିର୍ବାଚନ ସକାଶେ ଚିଠି ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ୪ ଦିନ ଧରି ଡ୍ରାଇ ଡେ ଭାବେ ଅନୁପାଳନ କରି ମଦ ବିକ୍ରି ଉପରେ ନିଷେଧାଦେଶ କରି ନିର୍ଦ୍ଦେଶନାମା ଜାରି କରିଛନ୍ତି।ନିର୍ଦ୍ଦେଶନାମା ଅନୁସାରେ ସ୍ଥାନୀୟ ହିଞ୍ଜିଳିକାଟୁ ଅବକାରୀ ଥାନା ଓ ପ୍ରଶାସନ ପକ୍ଷରୁ ସହରରେ ଥିବା ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସହ ଦେଶୀ ପ୍ୟାକେଟ ମଦ ଦୋକାନ ଗୁଡିକୁ ଜଉମୁଦ ସିଲ କରାଯାଇଛି।କିନ୍ତୁ ସିଲ ହୋଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ହେଉ କିମ୍ବା ଦେଶୀ ପାଉଚ ମଦ ଦୋକାନ ହେଉ ସହରର ବିଭିନ୍ନ ସ୍ଥାନରେ ଚୋରାରେ ଚାଲିଛି ମଦ ବ୍ୟବସାୟର ଆସର।ଦେଶୀ ପ୍ୟାକେଟ ମଦ ଦୋକାନର ମୁଖ୍ୟ ଫାଟକ ସିଲ ହୋଇଥିଲା ବେଳେ ପଛ ପଟ ଦ୍ୱାର ରାସ୍ତା ଦେଇ ଚାଲିଛି ବେଧଡକ ମଦ ବ୍ୟବସାୟ।ସେହିପରି ସହରର ୫୯ ନଂ ଜାତୀୟ ରାଜପଥ ଶିବ ମନ୍ଦିର ସମ୍ମୁଖରେ ଥିବା ଏକ ଅଟ୍ଟାଳିକା ଡ୍ରାଇଡେ ସମୟରେ ବିଦେଶୀ ମଦ ବ୍ୟବସାୟର ହବ ପାଲଟିଛି। ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସମ୍ପୃକ୍ତ କୋଠାରେ ଠିପି ବନ୍ଦ ବିଦେଶୀ ମଦ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଦେଶୀ ମଦ ପାଉଚ ଦୋକାନର ଗଳା ବାଟରେ ମଦ ମିଳୁଥିବା ସମ୍ପର୍କରେ ଲୋକଙ୍କ ଗହଳି ଓ ମଦ୍ୟପଙ୍କ ଆଲୋଚନାରୁ ଜଣାପଡ଼ିଛି। ପୌର ନିର୍ବାଚନ ଉପଲକ୍ଷେ ରାଜ୍ୟ ନିର୍ବାଚନ କମିଶନ ଓ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଏଠି ବାଟ ହୁଡୁଛି।

ସ୍ଥାନୀୟ ଅବକାରୀ ଥାନାର ଅସ୍ଥାୟୀ କାର୍ଯ୍ୟାଳୟ ଏବଂ ପୋଲିସ ଥାନା ଠାରୁ କିଛି ମିଟର ଦୂରତ୍ୱରେ ସର୍ବୋଚ୍ଚ ଅଧିକାରୀଙ୍କ ଡ୍ରାଇଡେ ନିର୍ଦ୍ଦେଶ ଏଠାରେ ଓଲଟା କାମ କରୁଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡ଼ିଛି। ସର୍ବୋଚ୍ଚ ଅଧିକାରୀଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ନାମାକୁ ସ୍ଥାନୀୟ ଅବକାରୀ ବିଭାଗ ଓ ପ୍ରଶାସନ କେବଳ ଧର୍ମକୁ ଆଖି ଠାର ଭଳି କାର୍ଯ୍ୟକାରୀ କରିଛନ୍ତି। ବାସ୍ତବ ପରିସ୍ଥିତି ପ୍ରତି ଅଣଦେଖା କରି ସ୍ଥାନୀୟ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି। ଫଳରେ ଡ୍ରାଇଡେ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ଥିଲେ ମଧ୍ୟ ଗଳା ବାଟ ଦେଇ ପ୍ରଚୁର ମଦ ଭାସୁଛି। ମଦ ବିକ୍ରି ଅଭିଯୋଗ ପାଇଁ ବେଳେ ବେଳେ କିଛି କୁଚିଆ ମଦ ବେପାରୀଙ୍କୁ ଅବକାରୀ ଓ ପୋଲିସ ଗିରଫ କରି ମଦ ଜବତ କରୁଥିବା ନଜିର ରହିଛି।କିନ୍ତୁ ସ୍ୱତନ୍ତ୍ର ନିର୍ଦ୍ଦେଶ ନାମା ଜାରି ହୋଇଥିବା ସତ୍ତ୍ୱେ କେଉଁ ଅଘୋଷିତ କାରଣରୁ ଚୋରାରେ ଅସଲି କିମ୍ବା ନକଲି ମଦ ବିକ୍ରି ପାଇଁ ପ୍ରୋତ୍ସାହନ ଦିଆଯାଇଛି ଏବଂ ଏଥିରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ବିଭାଗ ପକ୍ଷରୁ ଘଣ୍ଟ ଘୋଡାଯାଉଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.