ଚାଷୀଙ୍କ ପ୍ରତି ପ୍ରତାରଣା କରୁଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର: ଧାନ କିଣାରେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଚରମ ପ୍ରତାରଣା ଅଭିଯୋଗ କଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ ସଭାପତି ଅମୀୟ ପଟ୍ଟନାୟକ। ସେ କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିଛି ।

ଅଦିନିଆ ବର୍ଷାଦ୍ଵାରା ଧାନ ଭିଜୁଛି, ଶଡୁଛି । ଧାନର ମାନ ପରିବର୍ତନ ହେଲାଣି । ମିଲର ଏହାର ସୁଯୋଗ ନେଇ ବିଭିନ୍ନ ଆଳ ଦେଖାଇ ପ୍ରତି କ୍ୱିଣ୍ଟାଲରେ ୫ରୁ ୧୦ କେଜି ଧାନ କାଟୁଛି । ଚାଷୀ ଧାନ ଦେବାର ୨୪ ଘଣ୍ଟା ପରେ ତାର ପ୍ରାପ୍ୟ ପାଇବା କଥା କିନ୍ତୁ ବହୁ ସ୍ଥାନରେ ୮ରୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସୁ ନାହିଁ । ଜାଣିଶୁଣି ମଣ୍ଡିକୁ ଟାର୍ଗେଟ କମାଇ ଦିଆଯାଉଛି ।

ସରକାର ଧାନ କିଣିବା ପରିବର୍ତ୍ତେ ମିଲର ତାର ମନମାନିରେ ଧାନ କିଣୁଛି । ବ୍ୟବସ୍ଥିତ ଢ଼ଙ୍ଗରେ ମଣ୍ଡି ଚାଲୁନାହିଁ । ଅନେକ ଜିଲ୍ଲାରେ ମଣ୍ଡି ଭିତିଭୂମି ନାହିଁ, କିମ୍ବା ଗୋଦାମ ଘର ନାହିଁ । ସରକାର ଚାଷୀଙ୍କ ପ୍ରାର୍ଥୀ ପରିବର୍ତ୍ତେ ମିଲର ମାନଙ୍କ ସ୍ବାର୍ଥକୁ ବେଶି ଗୁରୁତ୍ବ ଦେଉଛନ୍ତି । ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ । ଏମଏସପିର ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସୁଦ୍ଧା ଚାଷୀର ଆୟ ଦୁଇଗୁଣା କରିବେ ବୋଲି ୫ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି କେବଳ ଘୋଷଣାରେ ରହିଛି ବୋଲି ଅଭିଯୋଗ କଲା କଂଗ୍ରେସ ।

ସେହିପରି ଚାଷୀଙ୍କ ଧାନ କିଣାଯାଉ ନାହିଁ କିମ୍ବା ଏଫିସିଆଇ ରାଜ୍ୟରୁ ଚାଉଳ କିଣାଯାଉ ନାହିଁ । ଫଳରେ ବିଜେଡ଼ି ଓ ବିଜେପି କଳିରେ ଚାଷୀ ପଡୁଛି ବଳି ବୋଲି ଅମୀୟ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାର ଅବିଳମ୍ବେ ଚାଷୀଙ୍କ ସମସ୍ତ ବଳକାଧାନ ନିର୍ଦ୍ଧାରିତ ଏମଏସପିରେ କିଣିବା ସହ କେନ୍ଦ୍ର ସରକାର ରାଜ୍ୟର ଆଉ ବଳକା ୨୪ଲକ୍ଷ ମେଟ୍ରିକ ଟନ ତୁରନ୍ତ ଉଠାନ୍ତୁ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯାହାକି ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଉଭୟ ବିଜେପି ବିଜେଡ଼ି ଦଳକୁ ଚାଷୀ ଏହାର ଠିକଣା ଜବାବ ଦେବେ ବୋଲି କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି।

nis-ad
Leave A Reply

Your email address will not be published.