ନୟାଗଡ଼: ନୟାଗଡ଼ ପୌର ପରିଷଦରେ ପୁଣି ଦୁର୍ନୀତିର ଅଭିଯୋଗ ଆସିଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୩ ହଜାର ପୁସ୍ତକ ଛାପି ୮ହଜାର ୯ ଶହ ପୁସ୍ତକର ବିଲ୍ କରାଯାଇଥିବାର ଅଭିଯୋଗ ଆସିଛି ।ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନାର ପୁସ୍ତକ ଛାପି ପ୍ରତ୍ୟେକ ପରିବାରକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ପୌର ପରିଷଦରେ ବାସ କରୁଥିବା ସମସ୍ତ ପରିବାର ପାଇଁ ୮ ହଜାର ୯ ଶହ ପୁସ୍ତିକା ଛାପିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା । ନୟାଗଡ଼ ସହରର ଏକ ଛାପାଖାନା ଏହି ଟେଣ୍ଡର ପାଇ ପ୍ରତ୍ୟେକ ପୁସ୍ତକକୁ ୩୦୦ଟଙ୍କା ବଦଳରେ ୨୦୦ଟଙ୍କାରେ ଯୋଗାଇ ଦେବ ବୋଲି ପୌର ପରିଷଦ ସହ ଚୁକ୍ତି କରିଥିଲା । ପୌର ପରିଷଦ ପକ୍ଷରୁ କାର୍ଯ୍ୟାଦେଶ ମିଳିବା ପରେ କାମ ଆରମ୍ଭ କରିଥିବା ଉକ୍ତ ଛାପାଖାନା କୁ କମ୍ ପୁସ୍ତକ ଛାପିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଉକ୍ତ ଛାପାଖାନା ପୌର ପରିଷଦକୁ ମାତ୍ର ୩ହଜାର ପୁସ୍ତକ ଯୋଗାଇ ଦେଇଛି । ପୌର ପରିଷଦର ଜଣେ କର୍ମଚାରୀ କାର୍ଯ୍ୟାଦେଶ ଅନୁସାରେ ୮ହଜାର ୯ଶହ ପୁସ୍ତକର ବିଲ୍ ଦେବାକୁ ଛାପାଖାନା ମାଲିକକୁ ପ୍ରବର୍ତ୍ତାଇଥିଲେ । ସେହି ଅନୁସାରେ ଛାପାଖାନା ମାଲିକ ବହିଛପା ବାବଦକୁ ମୋଟ ୧୦ଲକ୍ଷ ୭୦ ହଜାର ଟଙ୍କାର ବିଲ୍ ଦେଇଥିଲେ। ପୌର ପରିଷଦ ବହିଛପା ବାବଦକୁ ସମସ୍ତ ଟଙ୍କା ପୈଠ କରିଥିବା ବେଳେ ପୌର ପରିଷଦର ଏହି କର୍ମଚାରୀ ଜଣକ ୩ହଜାର ପୁସ୍ତକର ମୂଲ୍ୟ ୬ଲକ୍ଷ ଦେଇ ଅବଶିଷ୍ଟ ୪ଲକ୍ଷ ୭୦ ହଜାର ୧୮ ପ୍ରତିଶତ ଜିଏସଟି କାଟି ଅବଶିଷ୍ଟ ବଳକା ଟଙ୍କାକୁ କ୍ୟାସ ଆକାରରେ ନେବେ ବୋଲି ଏହି ଛାପାଖାନା ମାଲିକ ସହିତ ସର୍ତ୍ତ ରଖିଥିଲେ । ମାତ୍ର ସମସ୍ତ ଟଙ୍କା ପାଇଥିବା ଏହି ଛାପାଖାନା ମାଲିକ ଅବଶିଷ୍ଟ ଟଙ୍କା ଫେରାଉନଥିବାରୁ ପୌର ପରିଷଦ ଏବଂ ପୌର ପରିଷଦର ଏହି କର୍ମଚାରୀ ଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ଛାପାଖାନା ମାଲିକ ପୌର ପରିଷଦ ପକ୍ଷରୁ ବିଗତ ଦିନରେ କାର୍ଯ୍ଯ କରିଥିବା ବକେୟା ଟଙ୍କାକୁ ଏହି ମଧ୍ୟସ୍ଥି କର୍ମଚାରୀ ଙ୍କୁ ପ୍ରଦାନ ପାଇଁ ରାଜି ହୋଇଥିବା ବେଳେ ନୟାଗଡ଼ ସହରରେ ଏହି କଥା ପ୍ରଚାର ହେବା ପରେ ମଧ୍ୟସ୍ଥି କର୍ମଚାରୀ ଆଉ ଟଙ୍କା ନେବାକୁ ଧାରାଛୁଆଁ ଦେଉନାହାନ୍ତି । ଫଳରେ କମିଶନ ବାବଦକୁ ପାଇବାକୁ ଥିବା ୩ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଏବେ ଛାପାଖାନା ମାଲିକ ପାଖରେ ରହିଛି ।
ଉକ୍ତ ପୁସ୍ତକ ଛାପିବା ବିଲ୍ ପ୍ରଦାନରେ ହୋଇଥିବା ଅନିୟମିତତା ର ଭିଜିଲାନ୍ସ ତଦନ୍ତ ପାଇଁ କାଉନସିଲର ମାନେ ସଜବାଜ ହେଉଛନ୍ତି ବୋଲି ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.