ଦୂର୍ଘଟଣାରେ ବାଇକ୍ ଚାଳକ ମୃତ : ଜାତୀୟ ରାଜପଥ ବିଭାଗର ମନମାନିରୁ ବଢୁଛି ଦୁର୍ଘଟଣା

ରାସ୍ତା ନିର୍ମାଣ ବେଳେ ରହୁନି ସାଙ୍କେତିକ ଚିହ୍ନ : ଗୋଟିଏ ମାସରେ ୪୨ଟି ଦୂର୍ଘଟଣାରେ ୯ ମୃତ ୮୬ ଗୁରୁତର
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁରହିଛି । ୫୯ନଂ ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଜାତୀୟ ରାଜପଥ ସଂମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ମନମାନି ଯୋଗୁଁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୂର୍ଘଟଣା । ରାସ୍ତା ନିର୍ମାଣ ସମରେ ସାଙ୍କେତିକ ଚିହ୍ନ ବ୍ୟବହାର କରିବା ପାଇଁ ନିୟମ ରହିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଜଣାପଡିଛି । ଗୋଟିଏ ମାସ ବ୍ୟବଧାନରେ ହିଞ୍ଜିଳି ଥାନା ପରିସରଭୁକ୍ତ ୫୯ନଂ ଜାତୀୟ ରାଜପଥରେ ୪୨ଟି ଦୂର୍ଘଟଣା ଘଟି ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୁଧବାର ପୂର୍ବାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୌତନ୍ୟପଡା ଗ୍ରାମ ଛକ ନିକଟରେ ଦୂର୍ଘଟଣା ଘଟି ଜଣେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବଡଗଡ ଥାନା କେନ୍ଦୁପଲ୍ଲୀ ଗ୍ରାମର ନିଳକଣ୍ଠ ତ୍ରିପାଠୀ(୫୨) ।
ପ୍ରକାଶ ଯେ, ବୁଧବାର ସକାଳେ ନିଳକଣ୍ଠ ମୋଟର ସାଇକେଲ (ଓଆର୦୭ଏଏଲ ୪୩୯୩)ଯୋଗେ ବ୍ରହ୍ମପୁର ଠାରୁ ଗ୍ରାମକୁ ଫେରୁଥିବା ବେଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୌତନ୍ୟପଡା ଗ୍ରାମ ଛକ ନିକଟରେ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ରୋଡ୍ କମ୍ପ୍ରେସର(ଓଆର୦୨ବିକେ ୫୭୬୩)ପଛକୁ ବାଇକ୍ ଆରୋହୀ ଜଣଙ୍କ ଧକ୍କା ଦେବା ସହ ଗାଡି ଭିତରକୁ ପଶି ଯାଇଥିଲେ । ରୋଡ୍ କମ୍ପ୍ରେସର ପଛ ଚକାରେ ଚାପି ହୋଇ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡି ସହ ମୃତଦେହକୁ ଜବତ କରିଛି । ମୃତକଙ୍କ ଭାଇ ମନୋଜ ତ୍ରିପାଠୀ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୩୧/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସିଦ୍ଦାର୍ଥ ଜେନାଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି ଦୀର୍ଘ ଦିନ ଧରି ହିଞ୍ଜିଳି ଥାନା ପରିସରଭୁକ୍ତ ୫୯ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ନିକଟରେ ବିଭାଗ ପକ୍ଷରୁ କୌଣସି ସାଙ୍କେତିକ ଚିହ୍ନ ବ୍ୟବହାର କରାଯାଉନାହିଁ । ଯଦ୍ୱାରା ବିଭିନ୍ନ ସମୟରେ ଛୋଟବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥଳରେ କୌଣସି ସାଙ୍କେତିକ ଚିହ୍ନ କିମ୍ବା ବୋର୍ଡ ବ୍ୟବହାର କରାଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ବାରମ୍ଭାର ଏଭଳି ଦୂର୍ଘଯଣା ଘଟୁଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିକାଶ ମଞ୍ଚ ପକ୍ଷରୁ ଏକ ବଡ ଧରଣର ଜନ ଆନ୍ଦୋଳନ ଗଢି ଉଠିବ ବୋଲି ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା କହିଛନ୍ତି । ଏ ନେଇ ଜାତୀୟ ରାଜପଥ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜିବନି ସୁଧାନାଥଙ୍କୁ ପଚାରିବାରୁ ସେ କୁହନ୍ତି ନିର୍ମାଣ କାର୍ଯ୍ୟ ସ୍ଥଳରେ ସାଙ୍କେତିକ ଚିହ୍ନ ବ୍ୟବହାର କରିବା ସକାଶେ ନିୟୋଜିତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାଫ କଲେ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

nis-ad
Leave A Reply

Your email address will not be published.