ବିରୋଧୀ ଶୂନ୍ୟ ହୋଇଯିବ କି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ..!


ନିର୍ବାଚନ ପୂର୍ବରୁ ଶଙ୍ଖ ଗର୍ଭରେ ଲୀନ ହୋଇଯିବ କି ପଦ୍ମ…? !!

ମାଲକାନଗିରି/ବାଲିମେଳା:(୧୯/୦୬/୨୦୨୩)
ଗଣତନ୍ତ୍ର ନିଶ୍ଚିତ ଭାବରେ ଏକ ଆଦର୍ଶ ଶାସନ ବ୍ୟବସ୍ଥା। ମାତ୍ର ଅନେକ ସମୟରେ ‘ଆଦର୍ଶ’ କେବଳ ଏକ ସ୍ବପ୍ନ ହୋଇ ରହିଯାଏ । ବାସ୍ତବ ରୂପାୟନ ସମୟରେ ଏହାର ଅନେକ ଦୋଷ ଦୁର୍ବଳତା ଦେଖିବାକୁ ମିଳିଥାଏ । ଏହି ଦୋଷ ଦୁର୍ବଳତା ଦୂର କରି ଗଣତନ୍ତ୍ରକୁ ସଫଳ ଶାସନ ବ୍ୟବସ୍ଥାରେ ପରିଣତ କରିବାକୁ ହେଲେ ଏକ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ। କିନ୍ତୁ ବିରୋଧୀ ବିହୀନ ଗଣତନ୍ତ୍ର ଯେ, ପ୍ରକୃତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ କିଭଳି ତାତ୍ସଲ୍ୟ ଓ ଉପହାସ କରିପାରେ ତାହା ନିଶ୍ଚିତ ଭାବେ କଳ୍ପନାତୀତ । ଏଭଳି ଏକ ହତୋତ୍ସାହିତ ଏବଂ ଘଡିସନ୍ଧି ମୁହୂର୍ତ୍ତର ଆକଳନ ତଥା ପୂର୍ବାନୁମାନ କରିବାକୁ ପଡୁଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ପରିପ୍ରେକ୍ଷୀରେ । ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଏକ ପ୍ରକାରର ସରଗରମ ରହିଥିବା ବେଳେ ବାଲିମେଳା ଭାରତୀୟ ଜନତା ପାର୍ଟିର ସଭାପତି ଓ ସଂପାଦକଙ୍କ ଦଳରୁ ଇସ୍ତଫା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ , ବିଜ୍ଞାପିତ ଅଞ୍ଚଳ ପରିଷଦର ଭାରତୀୟ ଜନତା ପାର୍ଟିର ସମର୍ଥନରେ ବିଜୟ ଲାଭ କରିଥିବା ଏନ୍.ଏ.ସି. ନଗରପାଳଙ୍କ ସମେତ ସମସ୍ତ ୪ କାଉନସିଲର ମଧ୍ୟ ବର୍ତ୍ତମାନ ଦଳ ବଦଳ ଦିଗରେ ପ୍ରସ୍ତୁତି ଓ ସାଜସଜ୍ଜା ଆରମ୍ଭ କରି ସାରିଛନ୍ତି ।


ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ ଜୁନ୍ ୨୦୨୩ ସୋମବାର ଦିନ ଦୀର୍ଘ ୬ବର୍ଷ ଧରି ଭାଜପା ନଗର ସଭାପତି ଭାବରେ ଦାୟିତ୍ଵ ବହନ କରି ଆସୁଥିବା ଶୁଭାଶିଷ କର ଓ ଦୀର୍ଘ ୧୩ ବର୍ଷ ଧରି ସମ୍ପାଦକ ଭାବରେ ଦାୟିତ୍ଵ ନିର୍ବାହ କରି ଆସୁଥିବା ସିମାଞ୍ଚଳ ପ୍ରଧାନ ମଧ୍ୟ ମାଲକାନଗିରି ଭାଜପା ଜିଲ୍ଲା ସଭାପତି ନିମାଇଁ ପାଲ୍ ଙ୍କ ନିକଟରେ ଇସ୍ତଫା ଦାଖଲ କରିଛନ୍ତି । ତେବେ ଏ ନେଇ କୌଣସି ବଳିଷ୍ଠ କାରଣ ସାମ୍ନାକୁ ଆସି ପାରିନଥିବା ସ୍ଥଳେ ଅନେକ କଳ୍ପନା ଜଳ୍ପନା ଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଦେଖିବାକୁ ଅପେକ୍ଷା ଯେ, ଉଭୟ ବ୍ୟକ୍ତିତ୍ଵ ରାଜନୈତିକ ଜୀବନରୁ ସନ୍ନ୍ୟାସ ଗ୍ରହଣ କରୁଛନ୍ତି ନା ଶାସକ ଦଳ ବି.ଜେ.ଡି. ର ପୃଷ୍ଠପୋଷକତାରେ ପୁଣିଥରେ ରାଜନୀତି ମଧ୍ୟକୁ ପ୍ରବେଶ କରୁଛନ୍ତି ତାହା ଆକଳନ କରିବା ନିଶ୍ଚିତ ଭାବେ ସମୟ ସାପେକ୍ଷ ।
ଇତିମଧ୍ୟରେ ଗତ ବର୍ଷ ଅର୍ଥାତ୍ ୨୪ ମାର୍ଚ୍ଚ ୨୦୨୨ରେ ହୋଇଥିବା ପୌର ନିର୍ବାଚନରେ ବିଜୁ ଜନତା ଦଳର ଗଡ଼ରେ ମାତ୍ର ୪ଜଣ କାଉନସିଲରଙ୍କୁ ନେଇ ଭା.ଜ.ପା. ଦଳର ଆସନରେ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀ ପ୍ରଦୀପ କୁମାର ନାୟକ । ଅପରପକ୍ଷରେ ଥିଲେ , ବିଜୁ ଜନତା ଦଳ ସମର୍ଥିତ ୮ଜଣ କାଉନସିଲର । କିନ୍ତୁ ନିର୍ବାଚନ ପରଠାରୁ ଅଦ୍ୟାବଧି ଅନେକ ଦିନ ଧରି ନଗରପାଳଙ୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନତି ଓ ବିକାଶ ଦିଗରେ ସେଭଳି କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖିନଥିବା ସହ ଭା.ଜ.ପା. ଦଳ ଠାରୁ ବିମୁଖ ହୋଇ ଦୀର୍ଘ ଦିନରୁ ଶାସକ ବିଜୁ ଜନତା ଦଳ ସହ ନିବିଡ଼ତା ରଖୁଥିବା ଆରୋପ ଲାଗି ରହିଥିଲା । ସ୍ଥାନେ ସ୍ଥାନେ ଏଭଳି କଥା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ, ସମ୍ଭାବ୍ୟ ଅନାସ୍ଥା ପ୍ରସ୍ତାବ ପରିସ୍ଥିତି ତିଆରି ପୂର୍ବରୁ ନଗରପାଳ ଶାସକ ଦଳର ହଁ ରେ ହଁ ଏବଂ ନାଁ ରେ ନାଁ ଭରି ଏକ ପ୍ରକାରର ସମ ଦୂରତା ରଖି ଆସୁଥିଲେ । କିନ୍ତୁ ବର୍ତ୍ତମାନ ଯାହା ବିଶେଷ ସୂତ୍ରରୁ ସୂଚନା ମିଳୁଛି ଯେ , ଭା.ଜ.ପା. ଛାଡ଼ି ନଗରପାଳ ଓ ୪ଜଣ କାଉନସିଲର ଶାସକ ଦଳରେ ଖୁବ୍ ଶୀଘ୍ର ଯୋଗ ଦେବା ପାଇଁ ଯାଉଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଉଁ ଗୁମର ଆଧାରରେ କାର୍ଯ୍ୟରତ କାଉନସିଲର ଓ ନଗରପାଳ ନିଜକୁ ଶାସକ ଦଳର ଛତ୍ରଛାୟାରେ ନିର୍ଭୟ ମନେ କରୁଛନ୍ତି? ପୂର୍ବରୁ ହିଁ କଂଗ୍ରେସ୍ ନିର୍ବାଚନରେ କୌଣସି ଆସନରୁ ମଧ୍ୟ ବିଜୟ ହାସଲ କରିନଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଭା.ଜ.ପା. ଏକ ମାତ୍ର ବିକଳ୍ପ ଓ ବିରୋଧୀ ଦଳ ଭାବେ ରହି ଆସିଥିଲା, ତେବେ ନିଜ ନିଜ ନ୍ୟସ୍ତ ସ୍ୱାର୍ଥ ହାସଲ ପାଇଁ ବିରୋଧୀ ଶୂନ୍ୟ ଶାସନ ବ୍ୟବସ୍ଥା ଜରିଆରେ ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି କି ନିର୍ବାଚିତ ଜନପ୍ରତିନିଧି? ପରାଜୟର ଭୟରେ ବସତା ସ୍ଵୀକାର କରିନେବେ କି ନଗରପାଳ? ନା ନିଜର ପରାକାଷ୍ଠା ପ୍ରତିପାଦନ କରି ସମ୍ଭାବ୍ୟ ଅନାସ୍ଥା ପ୍ରସ୍ତାବକୁ ମୁକାବିଲା ପାଇଁ ଅଣ୍ଟା ଭିଡ଼ିବେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ ନେବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ , ଜିଲ୍ଲା ଉପସଭାପତି ଦେବବ୍ରତ । ସେ କହିଛନ୍ତି ଯେ, ଗଣତନ୍ତ୍ରରେ ସଂଖ୍ୟା ଗରିଷ୍ଠ ଦଳ ବା ଦଳ ସମୂହ କ୍ଷମତା ଭୋଗ କରନ୍ତି । ମାତ୍ର ବିରୋଧୀଦଳର ଭୂମିକା ଶାସକ ଦଳଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଶାସକ ଦଳର ଦୋଷ ଦୁର୍ବଳତା ଆବିଷ୍କାର କରି ଜନସାଧାରଣଙ୍କୁ ସଚେତନ କରିବାର ଭୂମିକା ବିରୋଧୀ ଦଳ ନିର୍ବାହ କରିଥାଏ। ବିରୋଧୀ ଦଳ ଦୃଢ଼ତାର ସହ ସଂଗଠିତ ହୋଇ କାର୍ଯ୍ୟ କଲେ ଶାସକ ଦଳ ସର୍ବଦା ନିଜର କାର୍ଯ୍ୟ କଳାପ ଦିଗରେ ସତର୍କ ରହିବେ ଏବଂ ସାମ୍ବିଧାନିକ ସୀମା ବହିର୍ଭୂତ କୌଣସି ଗର୍ହିତ କାର୍ଯ୍ୟ କରିବା ଲାଗି ଆଗଭର ହେବେ ନାହିଁ । ଗଣତନ୍ତ୍ରରେ ଜନସ୍ବାର୍ଥର ଜାଗ୍ରତ ପ୍ରହରୀ ରୂପେ ବିରୋଧୀ ଦଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ନିକଟ ଭବିଷ୍ୟତରେ ସାଧାରଣ ନିର୍ବାଚନ ସଂଗଠିତ ହେବାକୁ ଥିବା ବେଳେ ବର୍ତ୍ତମାନର ଏହି ଘଡିସନ୍ଧି ସମୟ , ସାଧାରଣ ନିର୍ବାଚନ ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ବହନ କରିବାର ସମ୍ଭାବ୍ୟ ସ୍ଥିତିକୁ ଏଡେଇ ଦିଆଯାଇ ନ ପାରେ । ଏଣୁ ଏଦିଗରେ ନିର୍ବାଚିତ ଲୋକପ୍ରତିନିଧି ସଚେତନ ରହିବା ସହ ବାଲିମେଳା ବାସିନ୍ଦା ମଧ୍ୟ ସଜାଗ ରହିବା ବାଞ୍ଛନୀୟ।

nis-ad
Leave A Reply

Your email address will not be published.