ନିଲାମ ପୂର୍ବରୁ ବଜାର ଷ୍ଟଲ୍ କୁ ନେଇ ପ୍ରିୟାପ୍ରୀତି ତୋଷଣ ଓ ଅନିୟମିତତା ଅଭିଯୋଗ ଆଣିଲେ ବଜାର ବଣିକ ସଂଘ ବାଲିମେଳା…

ବାଲିମେଳା/ମାଲକାନଗିରି:(୦୯/୦୬/୨୦୨୩)
ରଜ୍ୟରେ ଶାସକ ଦଳ ଓ ପ୍ରଶାସନ 5T ଓ ସ୍ୱଚ୍ଛ ଶାସନର ଡେଙ୍ଗୁରା ଯେତେ ପିଟୁଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ଶାସକ ଦଳର ଛତ୍ର ଛାୟା ତଳେ ହିଁ ସବୁଠାରୁ ଅଧିକ ଦୁର୍ନୀତି ହେଉଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଛି । ଠିକ୍ ଏଭଳି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ବଜାର ବଣିକ ସଂଘ ପକ୍ଷରୁ । ବାଲିମେଳାର ବସ୍ ଷ୍ଟାଣ୍ଡ ନିକଟରେ ମୋଟ୍ ୨୫ଟି ଷ୍ଟଲ୍ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ନିର୍ମାଣ କରାଗଲା ସତ କିନ୍ତୁ ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଏହାର ଟେଣ୍ଡର ପ୍ରକାଶ ହେଉନଥିଲା। ବଣିକ ସଂଘ ସଭାପତି ଶ୍ରୀ ସଞ୍ଜୀବ ଦୋରାଙ୍କ ପ୍ରତିକ୍ରିୟା ଅନୁଯାୟୀ ଟେଣ୍ଡର ପ୍ରକାଶ କରିବାକୁ ଏକାଧିକ ଥର ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ୨୦ ମେ ୨୦୨୩ ରେ ଏ ନେଇ ଏକ ବିଧିବଦ୍ଧ ବିଜ୍ଞାପନ ପ୍ରକାଶ କରାଗଲା । କିନ୍ତୁ ଟେଣ୍ଡର ଆବେଦନର ସମୟ ଅବଧି ପୂର୍ବରୁ ବର୍ତ୍ତମାନ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ତ୍ତୃପକ୍ଷଙ୍କ ବିରୋଧରେ ଟେଣ୍ଡରରେ ଅନିୟମିତତା ହୋଇଥିବା ଭଳି ଏକ ସଙ୍ଗୀନ ଆରୋପ ଦେଖିବାକୁ ମିଳିଛି ।
ଅଭିଯୋଗ ମୁତାବକ ତା:୨୦ ମେ ୨୦୨୩ରିଖ ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ତରଫରୁ ବିଜ୍ଞାପନ ସଂଖ୍ୟା ୧୧୧୮/୨୦୨୩ ଆଧାରରେ ଟେଣ୍ଡର ଆହ୍ବାନ କରାଯାଇଥିଲା । ଏହା ସହ ବିଜ୍ଞାପନରେ ସ୍ପଷ୍ଟ ସୂଚନା ରହିଥିଲା ୨୦ ଟି ଷ୍ଟଲ୍ ନିମନ୍ତେ ଆବେଦନ କରାଯିବ ତାହା ପୁଣି ତା:୦୮ ଜୁନ୍ ୨୦୨୩ରିଖ ସୁଦ୍ଧା ଆବେଦନ କରାଯାଇପାରିବ । ଏହାଛଡ଼ା ୧୨ଟି ପଏଣ୍ଟ ଉକ୍ତ ବିଜ୍ଞାପନରେ ଯୋଡ଼ା ଯାଇ ଏହାକୁ ସାର୍ବଜନୀନ କରାଯାଇଥିଲା ଏବଂ ଉକ୍ତ ୨୫ଟି ଷ୍ଟଲ୍ ମଧ୍ୟରୁ ୮ଟି ଅନୁସୂଚୀତ ଜାତି ଓ ଜନଜାତିଙ୍କ ନିମନ୍ତେ ତଥା ୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ସୂଚନା ମିଳୁଛି । କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ ପୁନଶ୍ଚ ୩ଟି ଷ୍ଟଲ୍ ସଂରକ୍ଷଣ ପାଇଁ ଯେଉଁ ବିଜ୍ଞାପନ ଏନ୍.ଏ.ସି. କାର୍ଯ୍ୟାଳୟ ସମ୍ମୁଖରେ ଲଗାଯାଇଛି ଉକ୍ତ ବିଜ୍ଞାପରେ ନା କୌଣସି କର୍ତ୍ତୃପକ୍ଷଙ୍କ ଦସ୍ତଖତ ଅଛି ବରଂ ସେଥିରେ ପୁଣି ୨ଟି ଷ୍ଟଲ୍ ପୁନଃ ଥଇଥାନ ନିମନ୍ତେ ସଂରକ୍ଷିତ ରଖାଯାଇଛି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବତନ୍ତ୍ର ଭାବେ ପୁନଶ୍ଚ ୩ଟି ଓ ଥଇଥାନ ବାବଦରେ ୨ଟି ଷ୍ଟଲ୍ ନିମନ୍ତେ ହିତାଧୀକାରୀ ମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ନିୟମାବଳୀ ଏଯାବତ୍ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇନାହିଁ । ଇତି ମଧ୍ୟରେ ଶାସକ ଦଳର କେତେକ ରାହୁ ନେତା ଚଞ୍ଚକତା କରି ସଂରକ୍ଷିତ ଷ୍ଟଲ୍ ଗୁଡ଼ିକ ବାବଦରେ ମୋଟା ଅଙ୍କର ଅର୍ଥାତ୍ ଲକ୍ଷ ଲକ୍ଷ ଅର୍ଥ ରାଶି ସଂଗ୍ରହ କରିଥିବା ଘଟଣା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆରୋପ ଉଠିଥିବା

ଘଟଣାର ସତ୍ୟାସତ୍ୟ ନିଶ୍ଚିତ ଭାବେ ଏକ ପ୍ରକାରର ତଦନ୍ତ ସାପେକ୍ଷ ହୋଇପଡ଼ିଥିବା ସ୍ଥଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନଗରପାଳଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଟେଣ୍ଡର ଆହ୍ବାନର ଅବଧି ପୂର୍ବରୁ ପ୍ରିୟାପ୍ରୀତି ତୋଷଣ ଓ ଅନିୟମିତତାକୁ ନେଇ ଗତ ୬ ଜୁନ୍ ୨୦୨୩ ସନ୍ଧ୍ୟା ସମୟରେ ବଜାର ବଣିକ ସଂଘ ତରଫରୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଦିଲ୍ଲୀପ ସ୍ୱାଇଁ ତଥା ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରେସ୍ ମିଟ କରାଯାଇଥିଲା ଏବଂ ୭ ଜୁନ୍ ୨୦୨୩ ଦିନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ ସମେତ ସଂଘ ତରଫରୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ମଧ୍ୟ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ବଜାର ବଣିକ ସଂଘ ସଭାପତି ଶ୍ରୀ ସଞ୍ଜୀବ ଦୋରାଙ୍କ କହିବା ମୁତାବକ ଯେଉଁ ୫ଟି ଷ୍ଟଲ୍ କୁ ସ୍ବତନ୍ତ୍ର ଭାବେ ସଂରକ୍ଷଣ କରିବା ନେଇ ଯେଉଁ କଥା ଉଠୁଛି ଅନେକ ଦିନ ପୂର୍ବରୁ ତନ୍ମଧ୍ୟରୁ ଦୁଇଟି ଷ୍ଟଲ୍ ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଜରିଆରେ ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହୋଇ ଆସୁଛି । ଏହା ସହ ଥଇଥାନ ବାବଦରେ ଯେଉଁ ଉପଭୋକ୍ତା ଷ୍ଟଲ୍ ନେଇଛନ୍ତି ସେମାନଙ୍କ ଅପେକ୍ଷା ଅନେକ ଦୂରାବସ୍ଥା ସତ୍ତ୍ଵେ ଅନେକ ବ୍ୟବସାୟୀ ଆର୍ଥିକ ଅନଟନ କାରଣରୁ ଆଜି ସମୟରେ ଦାରିଦ୍ର୍ୟର ତାଡ଼ନାରେ କାଳାତିପାତ କରୁଛନ୍ତି । ଯଦି ଜିଲ୍ଲାପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ନିଶ୍ଚିତ ଭାବେ ଜନ ସାଧାରଣଙ୍କ ଉନ୍ନତି କଥା ଚିନ୍ତା କରୁଥାନ୍ତି ତେବେ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଉ ଏବଂ ଉକ୍ତ ଚୟନ ନିମନ୍ତେ ବିଧିବଦ୍ଧ ପ୍ରାବଧାନ ସାର୍ବଜନୀନ କରିବା ନିମନ୍ତେ ସେ ଦାବୀ କରିଛନ୍ତି । ପ୍ରଶ୍ନ ଉଠୁଛି ଯେ, ସଂରକ୍ଷଣ ମୁତାବକ ଅନୁସୂଚୀତ ଜାତି ଓ ଜନଜାତିଙ୍କ nimante ଷ୍ଟଲ୍ ସଂରକ୍ଷିତ ଥିବା ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସଂରକ୍ଷଣ ଶାସକ ଦଳ ନା କାର୍ଯ୍ୟ ନିର୍ବାହୀ ଅଧିକାରୀ ନା ନଗରପାଳ ନା ଜିଲ୍ଲା ପ୍ରଶାସନ କାହା ସ୍ୱାର୍ଥରେ ?
ତେବେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୁଦ୍ଧିଜୀବୀ ଓ ସମାଜସେବୀ ପି.ସରୋଜିନୀ ଚନ୍ଦ୍ରନ୍ ,ଘନ ବେହେରା ,ଶିଶିର ଖୋସଲା ତଥା ଟୁକୁଲା ପ୍ରଧାନଙ୍କ କହିବା ମୁତାବକ ପ୍ରକୃତରେ ଉପଯୁକ୍ତ ହିତାଧିକାରୀ ଚୟନର ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ବଣିକ ସଂଘକୁ ଦେବା ହିଁ ପ୍ରକୃତ ଗଣତାନ୍ତ୍ରିକ ବାତାବରଣ ଦିଗରେ ସହାୟକ ହେବ। ନତୁବା ରାଜନୈତିକ ଦଳର ହୀନ ଚକ୍ରାନ୍ତ ମଧ୍ୟରେ ପ୍ରୀୟାପ୍ରିତୀ ତୋଷଣ ଭିତରେ ଅପାତ୍ରରେ ଦାନ ହିଁ ସାର ହେବ। ଏହା ସହ ବ୍ୟବସାୟୀ ମାନଙ୍କ ଠାରୁ ଟେଣ୍ଡର ଫିକ୍ସିଂ ମାଧ୍ୟମରେ ହୋଇଥିବା ଆର୍ଥିକ ଲୁଣ୍ଠନକୁ ନେଇ ଉଠିଥିବା ପ୍ରହେଳିକା ବାସ୍ତବରେ କେତେ ସତ ଓ କେତେ ମିଛ ତାହା ଜିଲ୍ଲା ପ୍ରଶାସନଙ୍କ ତରଫରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାର ଆବଶ୍ୟକତା ରହିଛି। ଆଜି ଅପରାହ୍ନରେ ଟେଣ୍ଡର ମୁତାବକ ନିଲାମ୍ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପାଇଁ ଯୋଜନା ଥିବା ବେଳେ ବର୍ତ୍ତମାନ ଦେଖିବାକୁ ଅପେକ୍ଷା ରହିଲା ଏଭଳି ସଙ୍ଗୀନ ଆରୋପ ମଧ୍ୟରେ ନିର୍ଦ୍ଦିଷ୍ଟ କେତେକ ହାତଗଣତି ବ୍ୟକ୍ତିଙ୍କ ଦୌରାତ୍ମ୍ୟରେ ପ୍ରଶାସନ ଚାପି ହୋଇ ଯାଉଛନ୍ତି ନା ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖି ଆରୋପ ମୁତାବକ ଘଟଣାର ଯାଞ୍ଚ କରି ଅନ୍ତତଃ ସଂରକ୍ଷିତ ଷ୍ଟଲ୍ ଗୁଡ଼ିକ ନିମନ୍ତେ ଉପଯୁକ୍ତ ହିତାଧିକାରୀ ଚୟନର ସ୍ଵାଧୀନତା ବଣିକ ସଂଘକୁ ପ୍ରଦାନ କରି ପ୍ରକୃତ ଗଣତନ୍ତ୍ର ବଞ୍ଚିରହିଥିବା ପ୍ରମାଣ କରୁଛନ୍ତି ।

nis-ad
Leave A Reply

Your email address will not be published.