କନ୍ଧମାଳରେ ସିଫା ଦ୍ବାରା ‘ମତ୍ସ୍ୟ ଅମଳ ମେଳା’ ଓ କୃଷକ-ବୈଜ୍ଞାନିକ ଭାବବିନିମୟ କାର୍ଯ୍ୟକ୍ରମ

ଫୁଲବାଣୀ: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା) ଓ ଓଡିଶା ସରକାରଙ୍କ କନ୍ଧମାଳ କୃଷି ବିଭାଗର ମିଳିତ ସହଯୋଗରେ ମାଛ ଅମଳ ମେଳା ଓ ବୈଜ୍ଞାନିକ- କୃଷକ ଭାବବିନିମୟ କାର୍ଯ୍ୟକ୍ରମ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ରତଙ୍ଗବନ୍ଧ ଠାରେ ଜୁନ୍ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ମତ୍ସ୍ୟଚାଷୀ, ବୈଜ୍ଞାନିକ ଏବଂ ସରକାରୀ କର୍ମକର୍ତାଗଣ ଯୋଗଦାନ କରିଥିଲେ । ମତ୍ସ୍ୟ ଅମଳ ମେଳାରେ କୃଷକମାନେ ଅମଳ କରିଥିବା ମାଛଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ଏହି ମେଳା କୃଷକମାନଙ୍କର ଜ୍ଞାନ ଓ ଅନୁଭୂତିକୁ ବିତରଣ, ଏକତ୍ରିତ କାର୍ଯ୍ୟ କରିବାକୁ ଆଗ୍ରହ ସୃଷ୍ଟି ଏବଂ ଜଳଜୀବ ପାଳନ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାନ ଓ ଅନୁଭୂତିକୁ ବିତରଣ କରିବା ପାଇଁ ଏକ ଚମତ୍କାର ମାଂଚ। ଆଇସିଏଆର୍-ସିଫା ତଫସିଲଭୁକ୍ତ ଜାତିର କୃଷକମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ୨୦୨୧ରୁ ଯୋଗାଇ ଆସୁଅଛି ବୋଲି ସିଫାର ନିର୍ଦ୍ଦେଶକ ଡଃ ପି. କେ. ସାହୁ କହିଛନ୍ତି। ରତଙ୍ଗବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ମହିଳା ସୟଂ ସହାୟକ ଗୋଷ୍ଠୀର କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିଆସୁଛନ୍ତି। ଫିରିଙ୍ଗିଆ ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ମହନ୍ତ ଯୋଗଦାନ କରି କହିଥିଲେ ଯେ କନ୍ଧମାଳରେ ଏପରି ଏକ ନିଆରା କାର୍ଯ୍ୟକ୍ରମ କରାଯିବା ଦ୍ବାରା କୃଷକମାନଙ୍କ ମଧ୍ୟରେ ସଚେତନତା ଓ ଆଗ୍ରହ ବୃଦ୍ଧି ହେବ । ଅଧିକ ସଂଖ୍ୟକ ଲୋକ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ଲାଭାନ୍ବିତ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ଆଇସିଏଆର୍-ସିଫାର ଉଦ୍ୟମକୁ ପ୍ରଶଂସା କରିଥିଲେ । ବୈଜ୍ଞାନିକ ପଦ୍ଧତିରେ କାର୍ପ ମାଛଚାଷ କରି ଗ୍ରାମାଂଚଳରେ କୃଷକମାନଙ୍କର ଖାଦ୍ୟ ସୁରକ୍ଷା ଏବଂ ଅର୍ଥନୈତିକ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଥିଲେ । ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଏସ୍. ଏନ୍. ସେଠୀ, ଡଃ ସି. କେ. ମିଶ୍ର, ଡଃ ଜି. ଏସ୍. ସାହା ଏବଂ କନ୍ଧମାଳ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର, ରତଙ୍ଗ ସରପଂଚ ପାର୍ବତୀ ମଲିକ, ସହକାରୀ ମତ୍ସ୍ୟ ଅଧିକାରୀ ଆଶାଲକ୍ଷ୍ମୀ ନରେନ୍ଦ୍ର, ଫିରିଙ୍ଗିଆ ବ୍ଲକ ପ୍ରେଜେକ୍ଟ କୋଡ଼ିନେଟର ବାଦଲ କିଶୋର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ତଫସିଲଭୁକ୍ତ ଜାତି ପରିଯୋଜନା ପ୍ରକଳ୍ପ ଅଧୀନରେ ଅନୁଷ୍ଠିତ ଏହି କୃଷକ-ବୈଜ୍ଞାନିକ ଭାବବିନିମୟ କାର୍ଯ୍ୟକ୍ରମରେ କୃଷକମାନେ ବୈଜ୍ଞାନିକମାନଙ୍କୁ ସେମାନଙ୍କର ସମସ୍ୟା ବିଷୟରେ ଅବଗତ କରାଇଥିଲେ ଓ ବୈଜ୍ଞାନିକମାନେ ସେଗୁଡ଼ିକର ସମାଧାନ ରାସ୍ତା ବତାଇଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ ଜଣ କୃଷକ ଓ ମହିଳା ମତ୍ସ୍ୟଚାଷୀ ଭାଗ ନେଇଥିଲେ ।

nis-ad
Leave A Reply

Your email address will not be published.