ହିଂଜିଳିକାଟୁ : ମୋବାଇଲକୁ ଫୋନ , ମେସେଜ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏବେ ଘରେ ବସି ପାର୍ଟ ଟାଇମ କାମ ନିମନ୍ତେ ଲୋଭନୀୟ ଅଫର ଆସୁଛି । ଏଥିରେ ପାର୍ଟ ଟାଇମ କାମ ତ ମିଳୁନି କିନ୍ତୁ ପ୍ରତାରଣାର ଶିକାର ହେଉଛନ୍ତି ଅନେକ ନୀରିହ ବ୍ୟକ୍ତି । ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅପପ୍ରୟୋଗ କରି ପ୍ରତାରଣାକାରୀ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି ନିରୀହ ବ୍ୟକ୍ତିଙ୍କ ଠାରୁ । ସେହିପରି ଏକ ଠକାମିର ଶିକାର ହୋଇ ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘରେ ବସି ଅନଲାଇନରେ ପାର୍ଟ ଟାଇମ କାମ କରିବା ଲୋଭରେ ପ୍ରାୟ ୨ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି ।
ଅଭିଯୋଗରୁ ପ୍ରକାଶ ଯେ, ଗତ ୨୬ରେ ମହାନ୍ତିଙ୍କ ମୋବାଇଲକୁ ଏକ ଅଜଣା ମୋବାଇଲରୁ ମେସେଜ ଆସିଥିଲା । ଯେଉଁଥିରେ ଘରେ ବସି ଅନଲାଇନରେ ପାର୍ଟ ଟାଇମ କାମ କରିବା ଅଫର ରହିଥିଲା । ସେହି ଲୋଭରେ ମହାନ୍ତି ଉକ୍ତ ନମ୍ବର ସହ ଯୋଗାଯୋଗ କରି ଉକ୍ତ ଅଜଣା ବ୍ୟକ୍ତିଙ୍କ କହିବା ପ୍ରକାରେ ଆମାଜନ ପେ ଓ ପେଟିଏମ୍ ୟୁପିଆଇଡ଼ି ମାଧ୍ୟମରେ ୨କିସ୍ତିରେ ୩୭ହଜାର ୫ଶହ ଟଙ୍କା ଓ ୯୫ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ । ପୁଣି ତା ପର ଦିନ ଅର୍ଥାତ୍ ମଇ ୨୭ରେ ଉକ୍ତ ଫୋନ ନମ୍ବରରୁ ମହାନ୍ତିଙ୍କୁ ମେସେଜ ଆସିଥିଲା ଯେ, ୬୩ହଜାର ୩୧୩ଟଙ୍କା ଏକ ଘରୋଇ ବ୍ୟାଙ୍କ ଆକାଉଂଟକୁ ପଠାଇଲେ ପୂର୍ବରୁ ପ୍ରଦାନ କରିଥିବା ଟଙ୍କା ସହ ସମସ୍ତ ଟଙ୍କା ଫେରସ୍ତ ହେବ । ସଂଧ୍ୟାରେ ମହାନ୍ତି ଉକ୍ତ ମେସେଜ ପ୍ରକାରେ ପୁଣି ୬୩ହଜାର ୩୧୩ଟଙ୍କାକୁ ଉକ୍ତ ବ୍ୟାଙ୍କ ଆକାଉଂଟକୁ ପଠାଇଥିଲେ । ତେବେ କୌଣସି ଟଙ୍କା ଫେରସ୍ତ ନ ହେବାରୁ ଦାମୋଦର ଠକାମି ଓ ପ୍ରତାରଣାର ଶିକାର ହେବା ନେଇ ବୁଧବାର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ଥାନାରେ ନଂ- ୩୭୨/୨୩ରେ ଠକାମି ଓ ପ୍ରତାରଣା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।
Sign in
Sign in
Recover your password.
A password will be e-mailed to you.