ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପତ୍ର

ଦାରିଙ୍ଗବାଡ଼ି (୨୪/୫) : ଦେଶରେ ସ୍ୱାଧୀନତା ଅମୃତ ଉତ୍ସଵ ପାଳନ ହୋଇଛି ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଧିନସ୍ତ କାଟିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାନଗୁଡ଼ା, ହରଗୁଡ଼ା ଓ ରାମ୍ବିଲି ଗ୍ରାମବାସୀ ଆଜି ସୁଧା ପକ୍କା ରାସ୍ତାର ସୁବିଧା ପାଇନାହାନ୍ତି। ଏଣୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ମିଞ୍ଜାପଙ୍କା ରାଜସ୍ୱ ଗ୍ରାମର ଉକ୍ତ ୩ଟି ଗ୍ରାମ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ଗ୍ରାମକୁ ସମିତିର ମାଟି ରାସ୍ତା ହୋଇଯାଇଛି। ହେଲେ ରାସ୍ତାଟି ବର୍ଷା ଦିନରେ ମାଟି ଧୋଇହୋଇ ସାଇକେଲ,ମଟର ସାଇକେଲ ଯିବା କଥା ଦୂରେଥାଉ ପାଦରେ ଚାଲିବା କଷ୍ଟକର ହୋଇଛି । ପାନଗୁଡା଼ ଗ୍ରାମରେ ଅନୁସୂଚିତ ଜନଜାତିର ୧୧ ପରିବାରର ଲୋକ ସଂଖ୍ଯା ୫୦ଜଣ ବସବାସ କରୁଥିଲା ବେଳେ ଉକ୍ତ ଗ୍ରାମ ମୁଖ୍ଯ ରାସ୍ତା ଠାରୁ ୨କିଲୋମିଟର ଦୁରତାରେ ଅବସ୍ଥିତ ।

ସେହିପରି ହରଗୁଡା଼ ଗ୍ରାମରେ ୪୦ଟି ଅନୁସୂଚିତ ଜନଜାତି ପରିବାରର ୨୦୦ ଜନ ସଂଖ୍ୟା, ମୂଖ୍ଯ ରାସ୍ତା ଠାରୁ ୩ କିଲୋମିଟର ଦୂରତା ରହିଛି। ସେହିପରି ରାମ୍ବୁଲି ଗ୍ରାମରେ ୩୪ ପରିବାର ଲୋକ ସଂଖ୍ଯା ୧୫୦ ରୁ ଉର୍ଦ୍ଦ। ଉକ୍ତ ଗ୍ରାମ ମୂଖ୍ଯ ରାସ୍ତା ଠାରୁ ୭ କିଲୋମିଟର ଦୂରତା ରହିଛି । ମୁଖ୍ୟ ରାସ୍ତା ତଥା ମିଞ୍ଜାପଙ୍କା ଗ୍ରାମରୁ ପାନଗୁଡା଼, ହରଗୁଡା ଦେଇ ରାମ୍ବୁଲି ଗ୍ରାମକୁ ଯିବାକୁ ପଡ଼ୁଚି । ଏଣୁ ୭ କିଲୋମିଟର ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଲେ ପାନଗୁଡ଼ା, ହରଗୁଡ଼ା ଓ ରାମ୍ବିଲି ଗ୍ରାମର ୮୫ ପରିବାରର ପ୍ରାୟ ୪୦୦ ରୁ ଉର୍ଦ୍ଧ ଜନ ସାଧାରଣଙ୍କ ଗମନା ଗମନର ସୁବିଧା ପାଇ ପାରି ଥାନ୍ତେ। ସ୍ୱାଧୀନତାର ୭୫ ବିତିଯାଇଥିଲେ ମଧ୍ୟ ଉକ୍ତ ୩ଟି ଗ୍ରାମରେ ଗମନାଗମନ ସମସ୍ୟା ଥିବାରୁ ଏଠାରେ ପ୍ରସ୍ତୁତି ,ଗର୍ଭବତୀ ମହିଳା ମାନଙ୍କୁ ଡାକ୍ତରଖାନା ନେବା ପାଇଁ ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ଖଟିଆରେ ବୋହି ନେବାକୁ ପଡୁଛି ଓ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି। ଗମନା ଗମନର ସୁବିଧା ନଥିବାରୁ ଅନେକ ସମୟରେ ପ୍ରସୂତି ମା ଖଟିଆରେ ପ୍ରସବ କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

ଏହିପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପଟ୍ଟା ଘର ଯୋଜନାରେ ଘର ନିର୍ମାଣ କରିବା ପାଇଁ ଆନୁସଙ୍ଗିକ ଉପକରଣ ଆଣିବାରେ ଖରାପ ରାସ୍ତା ବାଧକ ସାଜୁ ଥିବା ପ୍ରକାଶ ପାଇଛି। ଫଳରେ ଆଜି ସଯ୍ୟନ୍ତ ଘର ଗୁଡ଼ିକର ନିର୍ମାଣ ସମ୍ପୂର୍ଣ ହୋଇପାରୁ ନଥିବା ଜଣାପଡିଛି। ଏଥିପାଇଁ ଆବାସ ଯୋଜନାରେ ଘର ମଧ୍ୟ ହିତାଧିକାରୀଙ୍କୁ ଯୋଗାଇ ଦେବାରେ ପ୍ରଶାସନ ଅନିଚ୍ଛା ପ୍ରକାଶ କରୁଥିବା ଫଳରେ ଘର ପାଇବାରୁ ବଞ୍ଚିତ ହୋଇ ଥିବା ଜଣା ପଡ଼ିଛି। ପକା ରାସ୍ତାଟିଏ ନଥିବାରୁ ତିନି ଗୋଟି ଗ୍ରାମବାସୀ ଅନେକ ଗୁଡ଼ିଏ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ତିନି ଗୋଟି ଗ୍ରାମର ୭ କିଲୋମିଟର ରାସ୍ତାକୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ରାସ୍ତା ନିର୍ମାଣ ନ କରାଯାଏ ତେବେ ଆଗାମି ୨୦୨୪ ସାଧାରଣ ନିର୍ବାଚନରେ ଉକ୍ତ ୩ଟି ଗ୍ରାମବାସୀ ଭୋଟ ବର୍ଜନ କରିବୁ ବୋଲି ଲିଖିତ ଅଭିଯୋଗରେ ଚେତାବନୀ ଦେଇଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.