କଥାକାର ରଞ୍ଜନ ପ୍ରଧାନଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର-୨୦୨୩’

ଫୁଲବାଣୀ : କଥାକାର ଗବେଷକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର- ୨୦୨୩’ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ଦ୍ବାଦଶ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡ଼ାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଡକ୍ଟର ପ୍ରଧାନଙ୍କୁ ମାନପତ୍ର, ଉତ୍ତରୀୟ, ତାମ୍ରଫଳକ ସହିତ ନଗର ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାରସ୍ବତ ସମାରୋହରେ ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଉଦ୍‌ଘାଟକ ଭାବେ ପ୍ରଖ୍ୟାତ ଗାଳ୍ପିକ ଡ. ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ କବି ଅପର୍ଣ୍ଣା ମହାନ୍ତି, କଥାକାର ତଥା ‘କାହାଣୀ’ର ସମ୍ପାଦକ ବିଜୟ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି, ସମା‌ଲୋଚକ ଡ. ଦିଲ୍ଲୀପ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାର ବିଶିଷ୍ଟ ଗବେଷକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଏହି ପୁରସ୍କାର ପାଇବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ପୁରସ୍କାର ପାଇବା ପରେ କଥାକାର ଡ. ପ୍ରଧାନ ପ୍ରକାଶ କରିଥିଲେ। ଜନଜାତି, ନଦୀ, ପାହାଡ଼, ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ ଉତ୍କଳୀୟ ପରମ୍ପରାକୁ ନେଇ ଡକ୍ଟର ପ୍ରଧାନଙ୍କର ଏଯାବତ୍‌ ୨୦ରୁ ଅଧିକ ଗବେଷଣା ପୁସ୍ତକ ପ୍ରକାଶ ପାଇ ବେଶ ପାଠକୀୟ ଆଦୃତିଲାଭ କରିପାରିଛି। ‘ଓଡ଼ିଶାର ନଦନଦୀ’ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଉତ୍ତର ଓଡ଼ିଶାରେ ବସବାସ କରୁଥିବା ବାଥୁଡ଼ି ଜନଜାତି ଗୋଷ୍ଠୀଙ୍କ ସମ୍ପର୍କରେ ଉଚ୍ଚତର ଗବେଷଣା କରି ସେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ଏହି ପୁରସ୍କାର ପାଇବା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରୁ ଡ. ପ୍ରଧାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

nis-ad
Leave A Reply

Your email address will not be published.