ମହିଳାଙ୍କୁ ମନେରଗା କାର୍ଯ୍ୟରେ ଦୁର୍ବ୍ୟବହାର

ହିଂଜିଳିକାଟୁ (୨୪ା୪) : ହିଂଜିଳି ଥାନା ଶିକିରିଠାରେ ଏକ ମନରେଗା କାର୍ଯ୍ୟରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶନିବାର ଶିକିରି ପଂଚାୟତ ଅନ୍ତର୍ଗତ ମର୍ଶାଘାଇ ନାଳରେ ମନେରଗା କାର୍ଯ୍ୟ କରିବାକୁ ଶିକରି ଗ୍ରାମର ରେଣୁ ବେହେରା (୨୫) ଶ୍ରମିକ ଭାବେ ଯାଇଥିଲେ । ସେଠାକୁ ସେହି ଗ୍ରାମର ଜଗା ଗଉଡ଼ ମଧ୍ୟ ଶ୍ରମିକ ଭାବେ ଯାଇଥିଲେ । ରେଣୁ ଗୋଟିଏ ସ୍ଥାନରେ ବସିଥିବା ବେଳେ ଜାଣିଶୁଣି ଜଗା ଗୋଡ଼ରେ ରେଣୁଙ୍କ ପଛପଟକୁ ଲାତ ମାରିଥିଲା । ଉକ୍ତ ସ୍ଥାନରେ ଅନ୍ୟ ଶ୍ରମିକ ମାନେ ଉପସ୍ଥିତ ଥିବାରୁ ରେଣୁ ଲାଜରେ କିଛି ପ୍ରତିବାଦ କରିନଥିଲେ । ତେବେ ଘରକୁ ଫେରି ଘଟଣା ନେଇ ନିଜ ମାଆକୁ କହିଥିଲେ । ରେଣୁଙ୍କ ମାଆ ଝିଅ ଠାରୁ ଏହା ଶୁଣି ତାଙ୍କ ଘର ଠାରୁ କିଛି ଦୂରରେ ଥିବା ଜଗାଙ୍କ ଘରକୁ ପଚରାଉଚରା ପାଇଁ ଯାଇଥିଲେ । ତେବେ ଜଗା ଉତ୍ୟକ୍ତ ହୋଇ ରେଣୁଙ୍କ ମାଆଙ୍କୁ ମଧ୍ୟ ଗାଳି ଗୁଲଜ ସହ ମାଡ଼ ମାରି ଚେତାଶୂନ୍ୟ କରିଥିଲା । ଏହା ଦେଖି ରେଣୁ ଓ ତାଙ୍କର ଭିନ୍ନକ୍ଷମ ଭାଇ ସେଠାକୁ ଯିବାରୁ ସେମାନଙ୍କୁ ମଧ୍ୟ ଜଗା ଆକ୍ରମଣ କରିବା ସହ ଭିନ୍ନକ୍ଷମ ଭାଇଙ୍କ ଶ୍ରବଣ ଯନ୍ତ୍ରକୁ ଫୋପାଡ଼ି ଦେଇଥିଲା । ଜଗା ଆକ୍ରମଣରେ ଚେତାଶୂନ୍ୟ ହୋଇଥିବା ରେଣୁଙ୍କ ମାଆଙ୍କୁ ସାହିଲୋକ ଉଦ୍ଧାର କରିଥିଲେ । ଅନ୍ୟ ପକ୍ଷରେ ପ୍ରାୟ ୧ବର୍ଷ ତଳେ ରାତିରେ ରେଣୁ ଓ ତାଙ୍କ ପରିବାର ଶୋଇଥିବା ବେଳେ ଜଗା ମନ୍ଦ ଉଦ୍ଦେଶ୍ୟ ରଖି ରେଣୁଙ୍କ ଛାତ ଉପରକୁ ଆସିଥିବା ବେଳେ ଧରାପଡ଼ି ଅପମାନିତ ହୋଇଥିଲେ । ସେହିଦିନ ଠାରୁ ରେଣୁଙ୍କ ପରିବାର ଉପରେ ରାଗ ରଖି ବିଭିନ୍ନ ସମୟରେ ସେମାନଙ୍କୁ ଅପମାନ ଓ ଆକ୍ରମଣ କରୁଥିବା ରେଣୁ ଥାନାରେ ଅଭିଯୋଗ କରିଛନ୍ତି । ରେଣୁଙ୍କ ଅଭିଯୋଗ ପରେ ଥାନାରେ ନଂ- ୨୫୪/୨୩ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ ।

nis-ad
Leave A Reply

Your email address will not be published.