ବିଦ୍ୟାଳୟ ଉଛେଦକୁ ଗ୍ରାମବାସୀଙ୍କ ବିରୋଧ : ଗଣଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବାଲିଗୁଡ଼ା : ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରାଯାଇଥିବା ମିଡ଼ିଆକିଆ ଗ୍ରାମ ପଞ୍ଚାୟତର ସେନାପଡ଼ି ଓ ଚିଙ୍ଗିରି ଗାଁ, ଏହି ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଚାଲୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ, ଜନ ପ୍ରତିନିଧି ଓ ଅଞ୍ଚଳବାସୀ । ଏହି ଦୁଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନଦୀ,ନାଳ,ବଣ ଜଙ୍ଗଲ, ଘାଟି ରାସ୍ତା ଦେଇ ୪/୫ କିଲୋମିଟର ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ସ୍ଥାନାନ୍ତର କରାଯାଇଥିବା ବିଦ୍ୟାଳୟକୁ ଯାଇ ସେଠାରେ ପାଠ ପଢ଼ିବା ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ବୋଲି କହିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ ।

ପୂର୍ବରୁ ଏନେଇ ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିପାରି ନାହିଁ । ଏଣୁ ମଙ୍ଗଳବାରଦିନ ସମସ୍ତେ ଏକାଠି ହୋଇ ବାଲିଗୁଡ଼ା ସଭାଗୃହ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଗଣ ଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସମୁହ ଗ୍ରାମବାସୀ । ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସମିତି ସଭ୍ୟ ଜାନକୀ କହଁର, ସମାଜ ସେବୀ ତଥା ଓ୍ବାର୍ଡ ମେମ୍ବର ଉପଦେଷ୍ଟା ପରମାନନ୍ଦ ନାୟକ, ବ୍ଲକ୍ ସମ୍ପାଦକ ସ୍ବାଧିନ ଦିଗାଳଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳ ବାସି ସାମିଲ ହୋଇଥିବା ବେଳେ ଆଗାମୀ ପାଞ୍ଚଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନିଜ ହକ୍ ପାଇବାପାଇଁ ପୁଣି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସମୁହ ଗ୍ରାମବାସୀ । କୋମଳମତି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.