ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସିଦ୍ଧ ସାହିଯାତ। ବୀରବାଦ୍ୟରେ ଦୁଲୁକୁଛି ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି। କୁଣ୍ଢାଇବେଣ୍ଟ ସାହିଯାତ ଦୋଳମଣ୍ଡପ ସାହି ପରିକ୍ରମା କରିଛି। ଶ୍ରୀମନ୍ଦିରରେ ମାୟା ମୃଗ ଓ ସୀତା ବିବାହ ନୀତି ହୋଇଥିବାବେଳେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାରୁ ରାବଣ ଓ ପୌରାଣିକ ଚରିତ୍ର ବାହାରି ପରିକ୍ରମା କରିବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାମଲୀଳା ନୀତି ସମ୍ପନ୍ନ ହୋଇଥିଲା।

ସକାଳେ ଓ ସନ୍ଧ୍ୟାରେ ଆଖଡାରୁ ରାବଣ ବାହାରି ସାହି ପ୍ରଶିକ୍ଷଣ କରିଥିଲା। ବୀରକର୍ଣ୍ଣ,ଗରୁଡ ଓ ପଞ୍ଚଶିରା ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏଥିସହ ବାଙ୍କ,ଛଡ଼ି, ନିଝାମ୍, ବନାଟି,ପିରାମିଡ୍ ଆଦି ଦୁଃସାହସିକ ଖେଳ ପ୍ରଦର୍ଶିତ ହୋଇଥିଲା।

ସୂଚନା ଥାଉକି, ରାମନବମୀଠାରୁ ପୁରୀରେ ଆରମ୍ଭ ହୋଇଯାଇଛି ସାହିଯାତ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖଡ଼ା । ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି । ଏହାସହ ମଲ୍ଲୀଫୁଲ ମାଳାର ବାସ୍ନାରେ ମହକୁଛି ସାରା ପରିବେଶ। ଶ୍ରୀମନ୍ଦିର ରୀତିନୀତି ସହ ସାହିଯାତ ଜଡିତ।

ତେବେ ପ୍ରତିଦିନ ସାତ ସାହିରୁ ବାହାରି ବିଭିନ୍ନ ଚରିତ୍ର ଗୁଡ଼ିକ ସାହି ପରିକ୍ରମା କରିବା ପରେ ଜଗନ୍ନାଥବଲ୍ଲଭ ମଠରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନୀତିରେ ସାମିଲ ହୋଇଥାନ୍ତି। ଶ୍ରୀରାମ ନବମୀ ଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଆଜ୍ଞାମାଳ ପାଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥବଲ୍ଳଭ ମଠକୁ ଯାଇଥାନ୍ତି।

ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତାବିବାହ, ପର୍ଶୁରାମ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡି ଲୀଳା ଓ ରାବଣବଧ ପରିବେଷଣ ହୋଇଥାଏ।ଏପଟେ ସାହିଯାତକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

nis-ad
Leave A Reply

Your email address will not be published.