ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଆଦିବାସୀଙ୍କୁ ଜମି ଓ ଜୀବିକାରୁ ବେଦଖଲକୁ ବିରୋଧ

ବ୍ରହ୍ମପୁର : ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଚକୁଣ୍ଡା ପଲ୍ଲୀ ଓ ବାଲିପାଟ ମୌଜାରେ ରହି ଆସୁଥିବା ଆଦିବାସୀଙ୍କୁ ଜମି ଓ ଜୀବିକରୁ ବେଦଖଲ କରିବାକୁ ବିରୋଧ କରି ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ନେତୃତ୍ୱରେ ବହୁ ଆଦିବାସୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଦୀର୍ଘ ବର୍ଷ ଧରି ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଉସ୍ତପଲ୍ଲୀ, ଵିଷ୍ଣୁ ସାଗର, ଦେଉଳ ସାହି, ବାଲିପାଟ ଆଦି ଗ୍ରାମର ଶତାଧିକ ଆଦିବାସୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ବର୍ଷ ଧରି ଏହି ଗ୍ରାମର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଜଙ୍ଗଲ ଜମି ରେ ଚାଷବାସ କରି ନିଜ ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି।ତେବେ ନିକଟରେ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ଙ୍କୁ ଥଇଥାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହା ଫଳରେ ଚକୁଣ୍ଡାପଲ୍ଲୀ ମୌଜାର ୭୫ଏକର ଓ ବଳିପାଟ ମୌଜାର ୯୦ ଏକର ଜମିକୁ ଚିହ୍ନଟ କରାଯାଇଛି।

ତେବେ ଏହି ଜମିରେ ଉସ୍ତପଲ୍ଲୀ ଗ୍ରାମର ୪୫ଗୋଟି ଆଦିବାସୀ ପରିବାର, ବ୍ରହ୍ମଣପଙ୍କ ଗ୍ରାମର୨୮ ଗୋଟି ଦଳିତ ପରିବାରଓ ୧୦ଟି ଆଦିବାସୀ ପରିବାର ଦେଉଳ ସାହି ଏବଂ ବିଷ୍ଣୁ ସାଗର ଗ୍ରାମର ବହୁ ଦଳିତ ଓ ଆଦିବାସୀ ପରିବାର ଚାଷ ବାସ ହରାଇବେ। ଫଳରେ ଜଙ୍ଗଲ ଓ ଜମି ଉପରେ ଦଶ ଦଶନ୍ଧି ରୁ ନିର୍ଭର କରିଆସୁଥିବା ଏହି ଆଦିବାସୀ ମାନେ ନିଜ ଜୀବନ ଜୀବିକା ହରାଇବେ। ତେବେ ତୁରନ୍ତ ଏହି ନିଷ୍ପତ୍ତି କୁ ପ୍ରତ୍ୟାହର କରିବା ସହିତ ଏହି ସରକାରୀ ଓ ଜଙ୍ଗଲ ଜମିରେ ଚାଷବାସ କରି ଆସୁଥିବା ଗରିବ ଆଦିବାସୀଙ୍କୁ ଜମି ଘରଡିହ ପଟ୍ଟା ଏବଂ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରିବା ଦାବିରେ ବହୁ ଆଦିବାସୀ ପରିବାର ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଛେଳିଗଡ ପ୍ରକଳ୍ପ ଥଇଥାନ କଲୋନୀ ଯୋଗୁଁ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ନିଜର ଜୀବନ ଦେବୁ ପଛେ କୌଣସି ପରିସ୍ଥିତିରେ ଆମେ ଚାଷ କରୁଥିବା ଜମିକୁ ଛାଡିବୁ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଥିଲେ । ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦିଗପହଣ୍ଡି ବ୍ଳକ୍ ସଭାପତି ଲଡୁକିଶୋର ଡାକୁଆ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଋଷି ବେହେରା ତଥା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସର୍ବଶ୍ରୀ ସୋମନାଥ ଗମାଙ୍ଗ, ଦଳପତି ଗମାଙ୍ଗ, ସନ୍ତୋଷ ନାୟକ, ପ୍ରକାଶ ନାୟକ, ଶଙ୍କର ମଳିକ, ପବିତ୍ର ନାୟକ, ଶତୃ ମଳିକ ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.