ମାଲକାନଗିରି,(୩।୪) ଦୁଇ ଦିନ ପୂର୍ବେ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଓ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା । ପ୍ରବଳ ପବନ ଓ ବର୍ଷା ଯୋଗୁଁ ପଦ୍ମଗିରି ସମେତ ଏମ୍ ଭି ୧୦୧, ପଦ୍ମଗିରି ତଳସାହି, ମଝିସାହି, ଡଙ୍ଗରଗୁଡା, ଏମ୍ ଭି ୮୪ ଗାଁରେ ଅନେକ ଘରର ଟିଣ ଉଡିଯିବା ସହ ବଡବଡ ଗଛ ଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା । ଜିଲ୍ଲାର ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ଏହାର ବିଶେଷ ପ୍ରଭାବ ପଡିଥିବା ବେଳେ ସରକାରୀ ଉଚ୍ଚବିଦ୍ୟାଳୟର ଘରଟିଣ ଉଡି ଗଛରେ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ବିଦ୍ୟୁତ୍ ସରବହାର ମଧ୍ୟ ବନ୍ଦ ହେବାରୁ ପଦ୍ମଗିରି ପଞ୍ଚାୟତ ଦୀର୍ଘ ସମୟ ଧରି ଅନ୍ଧାରରେ ଥିଲା । ତେବେ ସ୍ଥାନୀୟ ଆରଆଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରସ୍ତୁତ କରିବା ସହ କିଛି ଲୋକଙ୍କୁ ପଲିଥିନ ମଧ୍ୟ ପ୍ରଦାନ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଉଧାର କାର୍ଯ୍ୟ ଜାରି ରହିଥିବା ସହ ପ୍ରାରମ୍ଭିକ ତଦନ୍ତରେ ୩୦ଟି କଚ୍ଚା ଘର ଭାଙ୍ଗି ଯାଇଥିବା ଅତିରିକ୍ତ ତହସିଲଦାର ଜଗଦିଶ କାର୍ତାମୀ ପ୍ରକାଶ କରିଥିଲେ । ଏହି ସବୁ ମଧ୍ୟରେ କ୍ଷତି ହୋଇଥିବା ଘର ଗୁଡିକର ଲୋକେ ନିଜ ଘରକୁ ସଜାଡିବାରେ ଲାଗିଥିବା ବେଳେ ସକ୍ଷମ ବ୍ୟକ୍ତି ନିଜ ଘର ସଜାଡି ପୁଣି ଘର ମଧ୍ୟରେ ରହୁଥିବା ବେଳେ ଯେଉଁ ବ୍ୟକ୍ତିଙ୍କ ନିକଟରେ କୌଣସି ଉପାୟ ଓ ଅର୍ଥ ନାହି ସେମାନ ଆଜି ମଧ୍ୟ ଖୋଲା ଆକାଶ ତଳେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପଲିଥିନ ଟାଣି ଅତି ଦୟନିୟ ପରିସ୍ଥିତିରେ ଜୀବନ ବିତାଉ ଥିବା ଅଭିଯୋଗ ହୋଇଛି । ପଦ୍ମଗିରି ତଳସାହିର ସୁବାସ ଚନ୍ଦ୍ର ମାଡକାମୀଙ୍କ ପରିବାର ଏହି କାଳ ବୈଶାଖୀରେ ବିଶେଷ ରୂପେ ପ୍ରଭାବିତ ହୋଇଥିବା ବେଳେ ତାଙ୍କ ଘର ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଅତି ଗରିବ ଶ୍ରେଣୀର ହୋଇଥିବା ଏହି ପରିବାରରେ ୩ଜଣ ଥିବା ବେଳେ କ୍ଷତିଗ୍ରସ୍ତ ଭଙ୍ଗା ଘାଏ ପଲିଥିନ ଟାଣି ରହୁଛନ୍ତି । ତେବେ ପୁଣି ଯଦି ପବନ ବର୍ଷା ହୁଏ ତାହାଲେ ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଆଉ ଜାଗା ନାହି । ସେହିପରି ଏମଭି ୧୦୧ ଗ୍ରାମର ସୁଶାନ୍ତ ମଣ୍ଡଳଙ୍କ ଘର ମଧ୍ୟ ଏହି କାଳ ବୈଶାଖୀରେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । କଚ୍ଚା ଘର ହୋଇଥିବାରୁ ତାହାକୁ ସଜାଡିବା ପାଇଁ ପରିବାର ଅକ୍ଷମ ଥିବା ବେଳେ ଏମାନେ ଦିନ ମଜୁରିଆ ଭାବେ ଖଟିଲେ ଯାଇ ନିଜ ପେଟକୁ ଦାନ ଯୋଗାଡ କରୁଛନ୍ତି । ଏପରି ସ୍ଥିତିରେ ବିଗତ ଦୁଇ ଦିନଧରି ପରିବାର ୪ ସଦସ୍ୟ ଖୋଲା ଆକାଶ ତଳେ ପ୍ରଶାସନ ପକ୍ଷରୁ ମିଳିଥିବା ପଲିଥିନ ଟାଣି ଜୀବନ ବିତାଉଛନ୍ତି । ସେହିପରି ସେହି ଗ୍ରାମର ଅର୍ଜୁନ ରଙ୍ଗ ଓ ନରେନ୍ଦ୍ର ମଣ୍ଡଳଙ୍କ ପରିବାର ମଧ୍ୟ ଏଥିରେ ବିଶେଷ ରୂପେ କ୍ଷତି ସହିଥିବା ବେଳେ ବହୁ କଷ୍ଟର ସହ ଜୀବନ ଅତିବାହିତ କରିଛନ୍ତି । ଏହି ପରିବାର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଏମାନେ ନିଜର ଘରକୁ ପୁଣିଥରେ ତିଆରି କରିବା ପାଇଁ ଅକ୍ଷମ ହୋଇ ପଡିଛନ୍ତି । ବର୍ଷା ଯୋଗୁଁ ଏମାନଙ୍କ ଅନେକ ଖାଦ୍ୟ ସାମଗ୍ରୀ, ବିହନ, ସହ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଏହି ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ସରକାରୀ ଯୋଜନାରେ ପକ୍କା ଘର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି । ତେବେ ଏନେଇ ଆମେ ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ ଚନ୍ଦ୍ର କାର୍ତ୍ତାମିଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, କ୍ଷୟକ୍ଷତିର ଆକଳନ ହୋଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହାସହ ମାଲକାନଗିରି ବିଡିଓଙ୍କୁ ଏନେଇ ଅବଗତ କରାଇବା ସହ ଲୋକଙ୍କୁ କ୍ଷତି ପୂରଣ ଦେବା ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଥିଲେ । ତେବେ ଆମେ ଏନେଇ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଆମ ପାଖକୁ ରିପୋର୍ଟ ହସ୍ତଗତ ହେବାପରେ ଯେଉଁ ଲୋକେ ଘର ପାଇବା ପାଇଁ ଯୋଗ୍ୟ ଓ ତାଲିକା ଭୁକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଘର ଯୋଗାଇବା ପାଇଁ ପଦକ୍ଷେପ ନେବୁ । ଏହା ବ୍ୟତୀତ ଅବଶ୍ୟକୀୟ ସ୍ଥଳେ ଯଦି କେହି ଯୋଗ୍ୟ ବ୍ୟକ୍ତି ଏହି ତାଲିକାରୁ ବଞ୍ଚିତ ଅଛନ୍ତି ତେବେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବୁ ।
Sign in
Sign in
Recover your password.
A password will be e-mailed to you.