ଜିଲ୍ଲାସ୍ତରୀୟ ୮୮ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୮୮ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ଘ.୦୫.୦୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରଦତ୍ତ ଓଡିଶା ସମ୍ପର୍କିତ ଗୀତ ଗାନପୂର୍ବକ ସହର ପରିକ୍ରମା କରାଯାଇଥିଲା । ପୂର୍ବାହ୍ନ ଘ.୦୮.୦୦ମି.. ସମୟରେ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ପୂର୍ବାହ୍ନ ଘ.୯.୦୦ମି. ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏହି ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବରପୁତ୍ର ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପ୍ରଦୀପ ପ୍ରଜ୍ଜଳନ ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଭାଷାଭିତ୍ତିକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ବିଶେଷ ଅବଦାନ ରହିଛି ଏବଂ ଏହାର ମୂଳଦୁଆ ଗଞ୍ଜାମ ଜିଲ୍ଲାରେ ପଡିଛି ବୋଲି ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ, ଆଜିର ଏହି ସ୍ମରଣୀୟ ଦିବସରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସମସ୍ତ ଓଡିଶାବାସୀ ଧ୍ୟାନ ଦେବା ଉଚିତ୍ ।

ଉତ୍କଳ ସମ୍ମିଳନୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଅଭିଯାନ ଆରମ୍ଭ କରିଥିଲା । ଓଡିଶାର ଓ ଓଡିଆ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଥିଲା ତାର ଲକ୍ଷ୍ୟ । ଆମେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇଲେ ଆମେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସମ୍ମାନୀତ ହେବା ଏଥିରେ ସନ୍ଦେହର ଅବକାଶ ନାହିଁ । ଯେଉଁ ବରପୁତ୍ର ମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରୀକରଣ କରିଥିଲେ ସେମାନଙ୍କୁ ଆଜିର ଦିନରେ ଭକ୍ତିଭରା ହୃଦୟରେ ପ୍ରଣତି ଜଣାଇ ସେମାନଙ୍କୁ ସ୍ମରଣ କରିବା । ମାନ୍ୟବର ଅଧ୍ୟକ୍ଷା ଜିଲ୍ଲା ପରିଷଦ ଗଞ୍ଜାମ ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେଯେ, ବହୁ ବରେଣ୍ୟ ବ୍ୟକ୍ତି ବିଶେଷଙ୍କର ଦୀର୍ଘ ଦିନର ସାଧନା ଓ ସଂକଳ୍ପର ଫଳ ସ୍ବରୂପ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ବ୍ରିଟିଶ୍ ଶାସନ ସମୟରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଆତ୍ମ ପ୍ରକାଶ କଲା । ଭାଷା ଭିତ୍ତିରେ ପ୍ରଦେଶ ଗଠନର ସ୍ବର ପ୍ରଥମେ ମଧୁବାବୁ ହିଁ ଉଠାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶାର ଆର୍ଥିକ ବିକାଶ ସହ ଉତ୍କଳ ସନ୍ତାନ ଭାବେ ସ୍ବତନ୍ତ୍ର ପରିଚୟ ବହନ କରୁଥିବା ସମସ୍ତ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବ ପ୍ରତିଷ୍ଠା ଥିଲା ଓଡିଶା ପ୍ରଦେଶ ଗଠନର ଅନ୍ୟତମ ଲକ୍ଷ୍ୟ । ଏଥିପାଇଁ ଆମେ ଆଜିର ଦିନରେ ସେହି ବରେଣ୍ୟ ବରପୁତ୍ର ମାନଙ୍କୁ ଭକ୍ତପୂତ ସମ୍ମାନ ଜଣାଉଛୁ, ଯାହାଙ୍କର ଅହରହ ପ୍ରଚେଷ୍ଟା ଫଳରେ ଓଡିଆ ଜାତି ତାର ଏକ ସ୍ବତନ୍ତ୍ର ସ୍ଥିତି ଓ ପରିଚୟ ସୃଷ୍ଟି କରିପାରିଛି ।

ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା । କ୍ୟୁରେସ୍ ର ସଂପାଦକ ତଥା ସମାଜ ସେବୀ ଅରୁଣ କୁମାର ଶତପଥୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଅତିଥିବୃନ୍ଦ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କ ସହଯୋଗକ୍ରମେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଣେଶ ପଟ୍ଟନାୟକଙ୍କ ଗାନ୍ଧର୍ବ କଳା ନିକେତନ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.