ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ, ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଏବଂ ସ୍ଵେଚ୍ଛାସେବୀ ସଂଗଠନ ’କଲ୍ୟାଣୀ’ ର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ପରିସର ମଧ୍ୟରେ ବିଶ୍ବ ଖାଉଟି ଅଧିକାର ଦିବସ-୨୦୨୩ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଫୁଲବାଣୀ ପୌର ପରିଷଦର କାଉନ୍ସିଲର୍ ଶ୍ରୀମତୀ ନିବେଦିତା ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ଆମେ ବିଜ୍ଞାପନରେ ପ୍ରଭାବିତ ନହୋଇ ସଚେତନ ଖାଉଟି ହିସାବରେ ଜିନିଷ କ୍ରୟ କରିବା ସହିତ ଆମର ଅଧିକାର ଓ କବ୍ୟ ବିଷୟରେ ଜାଣିବା ଆବଶ୍ୟକ । ସମ୍ମାନୀତ ଅତିଥିଭାବେ ଯୋଗଦେଇ ବେସାମରିକ ଯୋଗାଣ ଅଧିକାରୀ, କନ୍ଧମାଳ ଅନାଥ ଚରଣ ସ୍ବାଇଁ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ଶ୍ମଶାନର ଶବ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୂରଣ ଦେବାରେ ଉପଭୋକ୍ତା ସୁରକ୍ଷା ଆଇନ କିପରି ସହାୟକ ହୋଇପାରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ଜିଲ୍ଲା ବୈଧ ମାପ-ଓଜନ ବିଭାଗର ଉପ-ନିୟନ୍ତ୍ରକ ରାଜେଶ କୁମାର ନାୟକ ଏବଂ ନିରୀକ୍ଷକ ବିକାଶ ଚନ୍ଦ୍ର ସାହୁ ଅସାଧୁ ବ୍ୟବସାୟୀମାନେ କିପରି ମାପ ଓ ଓଜନରେ ନିରୀହ ଖାଉଟିମାନଙ୍କୁ ମିଛ ବିଜ୍ଞାପନ ମାଧ୍ୟମରେ ଶୋଷଣ କରନ୍ତି ସେ ବିଷୟରେ ଅବଗତ କରିବା ସହିତ ଇଲେକ୍ଟ୍ରୋନିକ୍ସ ଏବଂ ଦଣ୍ଡି-ବଟକରା ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର, ପେଟ୍ରୋଲ, ଡିଜେଲ୍, ଖାଦ୍ୟ ସାମଗ୍ରୀ ଏବଂ ସୁନା-ରୁପା ଭଳି ମୁଲ୍ୟବାନ୍ ସାମଗ୍ରୀ କିଣିବାବେଳେ କେଉଁ ପ୍ରକାର ସତର୍କତା ଅବଲମ୍ବନ କଲେ ନିଶ୍ଚିତ କ୍ଷତିରୁ ରକ୍ଷାପାଇପାରିବେ ସେ ବିଷୟରେ ସୁନ୍ଦର ଭାବେ ବୁଝାଇଥିଲେ । ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ପ୍ରଧାନ ଭାରତ ସରକାରଙ୍କ ଖାଉଟି ସୁରକ୍ଷା ଆଇନ କିପରି ଅସାଧୁ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ଓ ନିକୃଷ୍ଟ ମାନର ଦ୍ରବ୍ୟ କିମ୍ବା ସେବା ଯୋଗାଣଦ୍ୱାରା କ୍ଷତିଗ୍ରସ୍ତ ଖାଉଟିଙ୍କୁ ସୁରକ୍ଷା ଦେଉଛି ସେ ବିଷୟରେ ବୁଝାଇଥିଲେ ।କଲ୍ୟାଣୀ ସଂସ୍ଥାର ସମ୍ପାଦିକା ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ ତାଙ୍କ ପ୍ରରମ୍ଭିକ ସମ୍ଭାଷଣ ମାଧ୍ୟମରେ ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ଖାଉଟି ବିବାଦ ପ୍ରତିକାର ମଞ, ରାଜ୍ୟ ସ୍ତରରେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଜାତୀୟ ସ୍ତରରେ ଜାତୀୟ କମିଶନର କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.