ସରକାରୀ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଦକ୍ଷତା ବିକାଶ ଆଲୋଚନାଚକ୍ର


ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ କାର୍ୟ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପୃଷ୍ଠପୋଷକତାରେ ଅଣଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ନିଆଯାଇଥିବା ଏହା ଏକ ଅନନ୍ୟ ପଦକ୍ଷେପ ଅଟେ ।
ପ୍ରଫେସର ସବିତା ଆଚାର୍ୟ୍ୟ ଜୀବନରେ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଯେ ସମସ୍ତଙ୍କ ଭିତରେ ଜନ୍ମଜାତ ଦକ୍ଷତା ଏବଂ ପ୍ରତିଭା ରହିଛି । କିନ୍ତୁ ଆମକୁ ସମୟ ସମୟରେ ଏହାର ଅନୁସନ୍ଧାନ କରି ଏହି ପ୍ରତିଭାକୁ ବ୍ୟବହାର କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ । ସେ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟର ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ।
ରେଜିଷ୍ଟ୍ରାର ଡ. ଅଭୟ କୁମାର ନାୟକ ନୀତି ନିୟମକୁ ସକାରାତ୍ମକ ଆଭିମୁଖ୍ୟରେ ଉପଯୋଗ କରି ପରିବର୍ଦ୍ଧିତ ଛାତ୍ର ନିବଦ୍ଧ ପ୍ରଶାସନିକ ଦକ୍ଷତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଆମେ ସମସ୍ତେ ଜୀବନରେ ପରିବର୍ତ୍ତନକୁ ଗ୍ରହଣ କରିବା ଉଚିତ । ଟେକ୍ନୋଲଜି ଏବେ ଆମ ପାଇଁ ଏକ ଆହ୍ୱାନ, ଏହାକୁ ଆପଣାଇବା ଦରକାର । ଉଦାହରଣ ସ୍ୱରୂପ ବର୍ତ୍ତମାନ ପ୍ରଚଳନ କରାଯାଇଥିବା ଇ-ଅଫିସ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଶାସନିକ କାର୍ଯ୍ୟରେ ପରିବର୍ତ୍ତନ ଆଣିଦେଇଛି, ଏଥିପାଇଁ ଆମକୁ ମଧ୍ୟ ଆମର ଦକ୍ଷତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏହା ଦ୍ୱାରା ନୂଆ କୌଶଳ ସବୁ ଶିଖି ତାହାକୁ ବ୍ୟବହାର କଲେ, ନିଜକୁ ମଧ୍ୟ କର୍ମମୟ ଜୀବନରେ ସନ୍ତୁଷ୍ଟ ଲାଗେ ବୋଲି ଆଲୋକପାତ କରିଥିଲେ । ଅଫିସରେ ଏବଂ ଦୈନନ୍ଦିନ ଜୀବନରେ ସବୁ ପ୍ରକାର ପରିସ୍ଥିତିରେ ସକାରାତ୍ମକ ଚିନ୍ତାଧାରା ରହିବା ଦ୍ୱାରା ଆପଣଙ୍କ ଦକ୍ଷତା ଆପେ ଆପେ ବଦଳିଯାଏ ବୋଲି କହି ସେ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ।
ଗୌତମ ପ୍ରଧାନ, କମ୍ପଟ୍ରୋଲର ଅଫ୍ ଫାଇନାନ୍ସ ଆର୍ଥିକ ସମସ୍ୟା, ପ୍ରକ୍ରିୟା ଏବଂ ଏହାର ସମାଧାନର ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଥିଲେ। ସାପ୍ତାହିକ କ୍ୟାସ୍ ବୁକ୍ ରକ୍ଷଣାବେକ୍ଷଣ, ବାସ୍ତବ ବଜେଟ୍ ପ୍ରସ୍ତୁତି, ମୌଳିକ ନିୟମାବଳୀକୁ ଅନୁସରଣ କରି କ୍ରୟ ପ୍ରକ୍ରିୟା ଉପରେ ଧ୍ୟାନ ଦେବା ପାଇଁ ସେ ଆହ୍ୱାନ କରିଥିଲେ। ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ବିଭିନ୍ନ ମାନ୍ୟତା ମାନ ପୂରଣ କରିବାରେ ଅଣଶିକ୍ଷକ କର୍ମଚାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଅଣଶିକ୍ଷକ କର୍ମଚାରୀଙ୍କ ଭୂମିକା ମଧ୍ୟ ବିଶ୍ୱବିଦ୍ୟାଳୟ ଗୁଡିକର ଉଚ୍ଚ ସଫଳତା ଓ ମାନ୍ୟତା ପାଇବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି କହି ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଆଲୋଚନାଚକ୍ରରେ ଉପରୋକ୍ତ ମହାନୁଭବମାନଙ୍କ ବ୍ୟତୀତ ଏଆଇୟୁଇସିର ଉପସଭାପତି ବି. ଏନ୍. ରାୟ, ଏଓୟୁଏଫ୍ଏଫ୍ ସଭାପତି ଆର. କେ. ସାମନ୍ତରାୟଙ୍କ ସମେତ ଓଡ଼ିଶାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାୟ ସବୁ ଜ଼ିଲ୍ଲାରୁ ୨୫୦ ରୁ ଊର୍ଦ୍ଧ୍ୱ ଅଣଶିକ୍ଷକ କର୍ମଚାରୀ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଗଣ ଯୋଗ ଦେଇଥିଲେ। ଆବାହକ ଅଜୟ କୁମାର ରଥ ଆଲୋଚନା ଚକ୍ରକୁ ସଂୟୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.