ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା…

ବ୍ରହ୍ମପୁର : ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ତାଲା ଖୋଲାଯାଇଥିଲା। ସୂଚନାନୁସାରେ ଏହି ବ୍ଲକ ଅନ୍ତର୍ଗତ ଡ଼ୁରା ପଞ୍ଚାୟତର ଦିୱାନି ପୋଖରୀର ଉନ୍ନତିକରଣ ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୨ ଜାନୁଆରୀ ୧୮ରେ ଉକ୍ତ ପୋଖରୀର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଜନୈକା ମହିଳା ଏହି ପୋଖରୀର ଉନ୍ନତି କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ଶ୍ରମିକ ମଜୁରୀ ୬୦ ପ୍ରତିଶତ ଥିବାବେଳେ ସାମଗ୍ରୀ ବାବଦରେ ୪୦ ପ୍ରତିଶତ ରହିଥିଲା। ଶ୍ରମିକ ମଜୁରୀ ବାବଦରେ ୬ ଲକ୍ଷ ୩୮ ହଜାର ୭୪୦ ଟଙ୍କା ପଠାଯାଇଥିଲା। ସେହିପରି ସାମଗ୍ରୀ ବାବଦରେ ୩ ଲକ୍ଷ ୧୯ ହଜାର ଟଙ୍କା ଗତ ଅଗଷ୍ଟ ମାସରେ ମହିଳାଜଣଙ୍କ ବିଲ ଦାଖଲ କରିଥିଲେ। ସାମଗ୍ରୀ ବିଲ ଟଙ୍କା ନଥିବା ଯୋଗୁଁ ଦିଆଯାଇପାରିନଥିଲା। ଏନେଇ ମହିଳା ଜଣକ ବାରମ୍ବାର ଯନ୍ତ୍ରୀ ଓ ମନରେଗା ବିଭାଗକୁ ଦୌଡ଼ିଥିଲେ। ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କନିଷ୍ଠ ଯନ୍ତ୍ରୀ ଥିବା ବେଳେ ଶୁକ୍ରବାର ମହିଳା ଜଣକ ତାଲା ପକାଇ ପାଟିତୁଣ୍ଡ କରିବା ସହ ହାଇଡ଼୍ରାମା କରିଥିଲେ। ବ୍ଲକ କର୍ମଚାରୀ ଯେତେ ବୁଝାଇଥିଲେ ମଧ୍ୟ ମହିଳା ଜଣକ ଚାବି ଖୋଲିନଥିଲେ। ବିଡିଓ ବିଶ୍ୱଜିତ ରାୟ ଓ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ପୋଲିସ ତାଲା ଖୋଲିଥିଲା। ବିଡ଼ିଓ ବିଶ୍ୱଜିତ ରାୟ ସାମଗ୍ରୀ ବିଲ୍‌ର ଏଫଟିଓ କରାଯାଇଛି, ଟଙ୍କା ଆସିଲେ ଦିଆଯିବ ବୋଲି କହିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

nis-ad
Leave A Reply

Your email address will not be published.