ପ୍ରମାଣ ଅଭାବରୁ ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲା ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ…

ବ୍ରହ୍ମପୁର : ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଗଣେଶ୍ୱର ପତି ଶୁକ୍ରବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ସେ ଅଭିଯୁକ୍ତ ଏ. ଶ୍ରବଣ କୁମାରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ୨୦୨୧ ମେ ୨୧ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘର ନିକଟରୁ କେହି ଅପହରଣ କରିନେଇଥିଲେ। ଏ ନେଇ ଛାତ୍ରୀଙ୍କ ବାପା ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୦୦/୨୧ରେ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅପହୃତାଙ୍କୁ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ଶ୍ରବଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସଆଇ ପି. କେ. ସାହୁ କୋର୍ଟରେ ଉକ୍ତ ମାମଲାର ଚାର୍ଜଶିଟ ଦାଖଲ କରିଥିଲେ। ମାମଲାର ବିଚାର ବେଳେ ୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ବେଳେ ଉପଯୁକ୍ତ ପ୍ରମାଣ ମିଳି ନ ଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ପକ୍ଷରୁ ସୟଦ ଇକବାଲ ଓ ତାଙ୍କ ସହଯୋଗୀ ଯଶବନ୍ତ ନାୟକ ମାମଲା ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.