ନ୍ୟାୟ ଦାବିରେ ଉପଭୋକ୍ତାଙ୍କ ଧାରଣା…

ବ୍ରହ୍ମପୁର : ବ୍ୟାଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜଣେ ଉପଭୋକ୍ତା ନ୍ୟାୟ ଦାବିରେ ଗଞ୍ଜାମ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସମ୍ମୁଖରେ ଆଜିକୁ ୩ ଦିନ ହେବ ଧାରଣା ଦେଇଛନ୍ତି । ହିଞ୍ଜିଳୀକାଟୁ ବ୍ଲକ ସାରୁ ଗ୍ରାମର ରଜନୀକାନ୍ତ ପାଣିଗ୍ରାହୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ନେଇ ଉତ୍ପାଦନ କାର୍ଯ୍ୟ ନିମନ୍ତେ ଏକ ମେସିନ କିଣିଥିଲେ । ହେଲେ ବ୍ୟାଙ୍କ ପକ୍ଷରୁ ଏକ ଖରାପ ମେସିନ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ ରଜନୀକାନ୍ତ ୨ ବର୍ଷ ତଳେ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ମାମଲା ଦାୟର କରିଥିଲେ । ହେଲେ ସେବେଠାରୁ ତାଙ୍କ ମାମଲାର ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି । ସେ ରାଜ୍ୟ ଓ କେନ୍ଦ୍ର ଖାଉଟି ବିଭାଗ ଅଧିକାରୀ ସହ ବିଭିନ୍ନ ସ୍ତରରେ ଅଭିଯୋଗ କରିସାରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନଥିବାରୁ ସେ ଧାରଣା ଦେଇଥିବା କହିଛନ୍ତି । ଏପରିକି ଉପରୁ ନିର୍ଦେଶ ଆସିଥିଲେ ମଧ୍ୟ ଏଠାରେ ମାମଲା ସମାଧାନ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଗାନ୍ଧୀନଗର ବି ମହେଶ୍ବର ସୁବୁଦ୍ଧିଙ୍କ ୨୦୧୩ରେ ବିଦ୍ୟୁତ ଜନିତ ସମସ୍ୟା ରହିଥିଲା । ସେ ଏହି ସମାଧାନ କେନ୍ଦ୍ରରେ ମାମଲା ରୁଜୁ କରିଥିଲେ । ହେଲେ ଆଜି ଯାଏଁ ତାଙ୍କୁ ନ୍ୟାୟ ମିଳୁନାହିଁ । ଏହି ସମାଧାନ କେନ୍ଦ୍ରର କାର୍ଯ୍ୟକଳାପକୁ ନେଇ ମହେଶ୍ବର ସନ୍ଦେହ କରିବା ସହ ନ୍ୟାୟ ଦାବିରେ ଗତକାଲି ଧାରଣା ଦେଇଥିଲେ ।

nis-ad
Leave A Reply

Your email address will not be published.