ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ, ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ

ଜଳୁଛି ଜଙ୍ଗଲ। ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ। ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ । ଜଳିପୋଡି ପାଉଁଶ ହୋଇଯାଉଛି ଏକର ଏକର ଗଛ । ଯେଉଁଥିରେ ରହିଛି ବହୁ ଔଷଧୀୟ ବୃକ୍ଷ । କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । କୋରାପୁଟ ସର୍କଲରେ ସର୍ବାଧିକ ଚିହ୍ନଟ ହୋଇଛି ।

ଗତ ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ଜଙ୍ଗଲ ନିଆଁ ମଧ୍ୟରେ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି। ମାତ୍ର ଗତ ଦୁଇ ସପ୍ତାହ ହେଲା ଓଡ଼ିଶାରେ ଯେଉଁଭଳି ନିଆଁ ଲାଗୁଛି, ଖୁବ୍‌ଶୀଘ୍ର କର୍ଣ୍ଣାଟକକୁ ଟପିଯିବ। ଜାନୁଆରୀ ୨୪ ସୁଦ୍ଧା ଓଡ଼ିଶାରେ ୬୯୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଥିଲା । ଆଜି ତାହା ୧୬୯୫ରେ ପହଞ୍ଚିଛି ।

ଯେତେବେଳେ କି କର୍ଣ୍ଣାଟକରେ ୧୮୯୯ଟି ଚିହ୍ନଟ ହୋଇଛି । ଗତ ୭ ଦିନ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ ଓଡ଼ିଶା ଶୀର୍ଷରେ ରହିଛି । ଏଠାରେ ସର୍ବାଧିକ ୫୩୩ଟି ବନାଗ୍ନି ସୃଷ୍ଟି ହୋଇଥିବାବେଳେ ମଣିପୁରରେ ୪୫୯, କର୍ଣ୍ଣାଟକର ୪୪୧, ମଧ୍ୟପ୍ରଦେଶରେ ୪୧୫, ପଶ୍ଚିମବଙ୍ଗରେ ୩୨୭ଟି ସ୍ଥାନରେ ନିଆଁ ଲାଗିଥିବା ଚିତ୍ର ସାମ୍ନାକୁ ଆସିଛି । ଓଡ଼ିଶାର କୋରାପୁଟ ସର୍କଲରେ ସର୍ବାଧିକ ବନାଗ୍ନି ହୋଇଥିବା ସୂଚନା ମିଳିଛି । ଗୋଟିଏ ପଟେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୩ ଡିଗ୍ରୀ ଟପିଥିବାବେଳେ ଅନ୍ୟପଟେ ବନାଗ୍ନି ବୃଦ୍ଧି ବନ୍ୟଜନ୍ତୁଙ୍କ ଲାଗି ବିପଦ ସୃଷ୍ଟି କରିଛି । ୨୦୨୧ରେ ଶିମିଳିପାଳରେ ଭୟଙ୍କର ନିଆଁ ବ୍ୟାପକ ହେବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.