ତିରୁପତି ପ୍ରଭାବ; ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଛି । ଯାହା ଦ୍ବାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି । ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ରାଜ୍ୟର ସବୁ ମନ୍ଦିରରେ ଓମଫେଡ୍ ଦ୍ଵାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା । ସେ କହିଛନ୍ତି ଯେ, ଓମଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କ ଅତୁଟ ଆସ୍ଥା ଓ ବିଶ୍ଵାସକୁ ସମ୍ମାନ ଦିଆଯାଇପାରିବ ।

ଏହାବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ । ବହୁ ମାତ୍ରାରେ ଲୋକମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି ଶ୍ରୀବେହେରା ।

ସେ ଆହୁରି କହିଛନ୍ତି ଯେ, ଗୋଟେପଟେ ରାଜ୍ୟରେ କୋଟି କୋଟି ଭକ୍ତଙ୍କ ଆସ୍ଥା ବିଶ୍ଵାସ ଏବଂ ଅନ୍ୟପଟେ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା । ତେଣୁ ଓମଫେଡ୍ ଘିଅ ବ୍ୟବହାର କରିବା ଦ୍ବାରା ଯୁବକ ଯୁବତୀଙ୍କୁ ରୋଜଗାର ମିଳିପାରିବ । ସେନେଇ ଓଡିଶାର ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଶ୍ରୀବେହେରା ଦାବି କରିଛନ୍ତି |

nis-ad
Leave A Reply

Your email address will not be published.