ବିବାଦୀୟ ଥାନାରେ ଶେଷରେ ଲାଗିଲା ସିସିଟିଭି

ଭୁବନେଶ୍ବର: ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାରେ ପରିଶେଷରେ ସିସିଟିଭି ଲାଗଛି । ଖାଲି ସିସିଟିଭି ଲାଗିନି, ଏହାକୁ ମନିଟର ସହ ଯୋଡି ଚାଲୁ ମଧ୍ୟ କରାଯାଇଛି । ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି । ଥାନାରେ କେଉଁ ସ୍ଥାନରେ କ’ଣ ଚାଲିଛି ତାହା ରେକର୍ଡିଂ ମଧ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଥାନା ଭିତରେ ଓ ବାହାରେ ୧୬ ଟି ସିସିଟିଭି ଲାଗିଥିବା ବେଳେ ଆହୁରି ୯ଟି ସିସିଟିଭି ଲାଗିବା ଯୋଜନା ରହିଛି ।

ତେବେ ଗତ ୧୪ ତାରିଖ ରାତିରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାନତା ଦେବା ମାମଲାରେ ବିବାଦୀୟ ହୋଇପଡିଛି ଭରତପୁର ଥାନା । ରାସ୍ତାରେ କିଛି ଯୁବକ ତାଙ୍କ ହଇରାଣ କରିଥିବା ଅଭିଯୋଗ ନେଇ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଆସିଥିବା ବେଳେ ଥାନା ଅଧିକାରୀମାନେ କିନ୍ତୁ ତାଙ୍କୁ ହିଁ ଓଲଟା ଚାରର୍ଜ କରିଥଇଲେ ବୋଲି ଅଭିଯୋଗ କରିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ଏମିତିକି ବାନ୍ଧବୀଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଥାନାରେ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପୀଡିତା । ଯାହାକୁ ନେଇ ଏଥିରେ ସଂପୃକ୍ତ ଥାନା ଆଇଆଇସି ଓ ଆଉ ୪ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଯାହାପରେ ଏହି ବିବାଦ ବଢିବାରେ ଲାଗିଛି ।

ଏହାର ଗୋଟିଏ ଦିଗ ବେଶ୍ ଦୃଷ୍ଟି ଆକର୍ଷଣ କରିଥିଲା । ତାହା ହେଲା ଥାନାରେ ସିସିଟିଭି ନଥିଲା । ଚଳିତ ବର୍ଷ ମାର୍ଚ୍ଚରୁ ଥାନା ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସିସିଟିଭି ଲାଗିନଥିଲା । ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯଦି ଥାନାରେ ସିସିଟିଭି ରହିଥାନ୍ତା ତାହାଲେ ସେଦିନ ରାତିରେ କ’ଣ ଘଟିଥିଲା ତାହାର ସତ୍ୟତା ଜଣାପଡିଥାନ୍ତା । ତେବେ ସେ ଯାହାବି ହେଉ ଶେଷରେ ହାଇକୋର୍ଟଙ୍କ ତାଗିତ୍ ପରେ ଏବେ ସବୁ ଥାନାରେ ସିସିଟିଭି ଲାଗୁଛି ।

ସେପଟେ ଏହି ଘଟଣାରେ ଏବେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ୬୦ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି ।  ଏଥିସହିତ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାରେ ସତ ଖୋଜୁଛି ।

nis-ad
Leave A Reply

Your email address will not be published.