ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ କିଛି କମ୍ ନୁହେଁ : ଶ୍ରମମନ୍ତ୍ରୀ

ଫୁଲବାଣୀ : ଆମ ସମ୍ବିଧାନ ପୃଥିବୀର ସର୍ବବୃହତ୍ ଲିଖିତ ସମ୍ବିଧାନ। କୋଟି କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ଵପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଭାରତୀୟ ଚିନ୍ତନ, ଦର୍ଶନ, ପରମ୍ପରା, ଐତିହ୍ୟ ଓ ପରିବେଶ ଆଧାରରେ ପ୍ରଣୀତ ହୋଇଛି ଆମ ସମ୍ବିଧାନ । ଜାତୀୟତାର ସ୍ତମ୍ଭ ଉପରେ ଭାରତୀୟ ସମ୍ବିଧାନର ସୌଧ ନିର୍ମାଣ କରାଯାଇଛି । ଆମ ଐକ୍ୟ,ସଂହତି ଓ ଧର୍ମନିରପକ୍ଷ ଚରିତ୍ରକୁ ମନ୍ତ୍ରିତ କରିଛି । ରାଜନୈତିକ ସ୍ବାଧୁନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟ ମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ବିଶେଷତ୍ଵ ବୋଲି ଓଡ଼ିଶାର ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଫୁଲବାଣୀଠାରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସହିତ ତ୍ୟାଗ,ତପସ୍ୟା ଓ ବଳିଦାନର ପୂଣ୍ୟପୀଠ କନ୍ଧମାଳ ଜିଲ୍ଲାର ଭାଇ ଭଉଣୀମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କନ୍ଧମେଳିର ନେତୃତ୍ବ ନେଇଥିବା ବରପୁତ୍ର ମାନଙ୍କୁ କନ୍ଧମାଳ ଜନ୍ମଦେଇ ମାଟି ଧନ୍ୟ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ କିଛି କମ୍ ନୁହେଁ । ଜିଲ୍ଲାର ବରପୁତ୍ର ମାନେ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରି ଏ ମାଟିକୁ ଗୌରାବାନ୍ବିତ କରିଛନ୍ତି । ଜିଲ୍ଲାର ଛବିଳ ପ୍ରାକୃତିକ ସୌନ୍ଦର୍ଯ୍ୟ, ସବୁଜିମା ବେଷ୍ଟିତ ପାର୍ବତ୍ୟଶ୍ରେଣୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଆସୁଛି । ଏହି ଜିଲ୍ଲାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ଆଜି ପ୍ରଗତି ପରମ୍ପରାରେ ପରିଣତ ହୋଇଛି । କୃଷି, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ, ସାମାଜିକ ସୁରକ୍ଷା, ଆଦିବାସୀ କଲ୍ୟାଣ,ଶକ୍ତି, ଗମନା ଗମନ,ମହିଳା ଓ ଶିଶୁ ବିକାଶ,ଯୁବ ସଶକ୍ତିକରଣ ଓ ଦକ୍ଷତା ବିକାଶ, କ୍ରୀଡ଼ା, ସୂଚନା ପ୍ରଯୁକ୍ତି, ଶିଳ୍ପ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ଆମେ ସଫଳତାର ସୋପାନ ପରେ ସୋପାନ ଉଠି ଚାଲିଛୁ । ରାଜ୍ୟର ସାମଗ୍ରିକ ବିକାଶର ଚିତ୍ର ସର୍ବଭାରତୀୟ ସ୍ତରରେ ଆମ ପାଇଁ ଗର୍ବ ଓ ଗୌରବ ଆଣିଛି । ରାଜ୍ୟରେ ଏକ ଉତ୍ତରଦାୟୀ, କାର୍ଯ୍ୟକ୍ଷମ, ସ୍ବଳ୍ପ, ଓ ସକ୍ରିୟ ପ୍ରଶାସନ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫‘ଟି’ ର ଆହ୍ବାନ ଦେଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ।ଅଭିବାଦନ ମଞ୍ଚରେ ମୁଖ୍ୟ ଅତିଥ୍‌ଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଏବଂ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ । ମଞ୍ଚ ନିକଟରେ ଜନ ପ୍ରତିନିଧି,ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଉକ୍ତ ଉତ୍ସବରେ ୨୩ ଗୋଟି ପ୍ଲାଟୁନ, ୨୩ ଜଣ ପ୍ଲାଟୁନ୍ କମାଣ୍ଡର ଓ ୧୮ ଜଣ ଫ୍ଲାଗ୍ ବିଅରର୍‌ ଏବଂ ପୋଲିସ୍ ବ୍ୟାଣ୍ଡ ବାହିନୀର ଗୋଟିଏ ଦଳ ଭାଗ ନେଇଥିଲେ। ରିଜର୍ଭ ପୋଲିସ୍‌ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଏବଂ ସର୍ଜେଣ୍ଟ ସରେଜ କୁମାର ବେହେରା ଯଥାକ୍ରମେ ପ୍ୟାରେଡ୍‌ କମାଣ୍ଡର ଓ ସହକାରୀ ପ୍ୟାରେଡ୍‌ କମାଣ୍ଡର ଭାବେ ପ୍ୟାରେଡ୍ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.