ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ବିଶ୍ୱକପ୍ ଟ୍ରଫି ସ୍ୱାଗତ, ଜନସାଧାରଣଙ୍କ ଭିତରେ ଉତ୍ସାହ…

ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁକୁ ଗାଁ ବୁଲୁଛି ବିଶ୍ୱକପ୍ ଟ୍ରଫି। ଗତ ୧୬ ତାରିଖରୁ ଲେଫ୍ରପିଡ଼ା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ବୁଧବାର ଦିନ ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ପହଞ୍ଚିଥିଲା। ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଖେଳାଳି ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରିଥିଲେ।

ବୁଧବାର ଦିନ ଏହି ଟ୍ରଫି ଟୁର୍ ବାଲିଶଙ୍କରା ବ୍ଲକର କିଞ୍ଜିରକେଲା ଗ୍ରାମପଞ୍ଚାୟତରୁ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନେ ହାତରେ ହକି ଷ୍ଟିକ ଧରି ଏବଂ ଚକ୍ ଦେ ଇଣ୍ଡିଆ ସ୍ଲୋଗାନ ଦେଇ ଟ୍ରଫିକୁ ପାଛୋଟି ନେଇଥିଲେ। ଏହି ଅବସରରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପକ୍ଷରୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଖାଦ୍ୟକୁ ନେଇ ଷ୍ଟଲ କରାଯାଇଥିଲା।

ଏହାପରେ ଟ୍ରଫି ଦେଓଭବନପୁର ଏବଂ ବୁଡାଡୁଙ୍ଗୁରି ଗ୍ରାମ ଦେଇ ତିଲେଇକାନି ହକି ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ ଟ୍ରଫିକୁ ଉତ୍ସାହ ସହିତ ସ୍ୱାଗତ କରାଯାଇଥିଲା। ତା’ଛଡ଼ା ପୁରୁଷ ଏବଂ ମହିଳା ବର୍ଗରେ ହକି ମ୍ୟାଚ ଆୟୋଜନ କରାଯାଇଥିଲା।

ସେହିପରି ସଉନାମରା ହକି ପ୍ରଶିକ୍ଷଣ କେନ୍ଦ୍ରଠାରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ସେଠାରେ ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ଏକ୍କା, ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ରେଙ୍ଗାଲି ଡ୍ୟାମ ନିକଟରେ ସ୍ଥାନୀୟ କଳାକାରମାନଙ୍କ କରମା ନୃତ୍ୟ ପରିବେଷଣ ଆକର୍ଷଣ ସାଜିଥିଲା।
ବାଲିଶଙ୍କରାର ତୁମୁଲିଆ ଗ୍ରାମପଞ୍ଚାୟତ ପରିସରରେ ଟ୍ରଫିକୁ ସ୍ୱାଗତ କରାଯାଇଛି। କାଇଁସରାସ୍ଥିତ ହକି ଅଭ୍ୟାସ କେନ୍ଦ୍ରଠାରେ ଖେଳାଳିମାନେ ହକିଷ୍ଟିକ ଧରି ଟ୍ରଫିକୁ ସମ୍ମାନ ଜଣାଇଥିଲେ। ଏହି ଅବସରରେ ସେଠାରେ ମହିଳା ବର୍ଗରେ ହକି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାସହ ଆଞ୍ଚଳିକ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଲୁଲକିଡିହିଠାରେ ଟ୍ରଫି ପହଞ୍ଚିବା ପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଝୁମେର ନୃତ୍ୟ ପରିବେଷଣ କରିଥିଲେ।

ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଟ୍ରଫି ପହଞ୍ଚିବା ପରେ ସ୍ଥାନୀୟ ଛାତ୍ରୀମାନେ ହକି ଥିମ୍ ସଙ୍ଗରେ ନୃତ୍ୟ ପରିବେଷଣ କରିଥିଲେ। କରମଡିହିଠାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଏବଂ ସାଧାରଣ ଲୋକେ ଟ୍ରଫିକୁ ସ୍ୱାଗତ କରିଥିଲେ।

ସବଡେଗା ବ୍ଲକ ପରିକ୍ରମା କରିବା ପରେ ଟ୍ରଫି ସୁନ୍ଦରଗଡ଼ ସହରକୁ ଫେରିଥିଲା। ଏହି ଟ୍ରଫି ଟୁର୍ ଅବସରରେ ବିକାଶ ଭବନଠାରେ ହକି ବିଶ୍ୱକପ ବିଷୟକୁ ନେଇ ଏକ ଆଲୋଚନାଚକ୍ର କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ସହ ବିଶିଷ୍ଟ ସାହିତ୍ୟିକ ଏବଂ ସାହିତ୍ୟ ଏକାଡେମୀର ସଦସ୍ୟମାନେ ଯୋଗ ଦେଇଥିଲେ।

ଆସନ୍ତାକାଲି ଟ୍ରଫି ବଡ଼ଗାଁ ଏବଂ କୁତ୍ରା ବ୍ଲକ ପରିକ୍ରମା ହେବ। ସେଠାରେ ଟ୍ରଫିକୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

nis-ad
Leave A Reply

Your email address will not be published.