ରାୟଗଡ଼ା ଲୋକଙ୍କ ମନରେ ଦୁଃଖ ଦେଲା ଚଇତି ପ୍ରସ୍ତୁତି ଅବ୍ୟବସ୍ଥା…


ରାୟଗଡ଼ା : ରାୟଗଡ଼ା ଜିଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା ଜିଲାର ପ୍ରଥମ ଲୋକ ମହୋତ୍ସବ ଚଇତି । ବିଶେଷ ଭାବେ ଅଞ୍ଚଳ ଲୋକକଳା, ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ । ହେଲେ ବର୍ତମାନ ବଦଳି ଯାଇଛି ଏହାର ରୂପରେଖ ବୋଲି ଜନସାଧାରଣଙ୍କ ମହଲରେ ଆଲୋଚନା ର ବିନ୍ଦୁ ବାନ୍ଧିଛି । ବୁଧବାର ଆରମ୍ଭ ହୋଇଥିବା ଚଇତିକୁ ନେଇ ଜନସାଧାରଣଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଯେ ଏଥରର ଚଇତି ୨୦୨୨ ନା ୨୦୨୩ । କାରଣ ୨୦୨୩ ମସିହାରେ ଚଇତି ପାଳନ ହେଉଥିବା ବେଳେ ପୋଷ୍ଟର ଓ ହୋଡ଼ିଂ ସହ ବିଭିନ୍ନ ନଥିରେ ଚଇତି-୨୦୨୨ ଲିଖିତ ରହିଛି । ଫଳରେ ଚଳିତ ଥର ଚଇତି ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିଛି । ଦ୍ୱନ୍ଦ ଦୂର କରିବା ପାଇଁ ଏ ବିଷୟରେ ଚଇତାଳି ପ୍ରସ୍ତୁତ କରୁଥିବା ଜଣେ କବି ତଥା ଲେଖକଙ୍କୁ ପଚାରିବାରୁ ସେ ଏହା ଭୁଲ ଅଛି ବୋଲି କହିଥିଲେ । ଏଭଳିକି ଏହି ଚଇତି ମହୋତ୍ସବ ବାସୀ ଚଇତି ବୋଲି କିଛି ଭିଆଇପି କଥା ହେଉଥିବା ଶୁଣିବାକୁ ମିଳିଥିଲା । ପ୍ରତି ବର୍ଷ ଚଇତି ଡିସେମ୍ବର ମାସରେ ଆୟୋଜନ ହେଉଥିଲା । ହେଲେ ଚଳିତ ବର୍ଷ ହକି ବିଶ୍ୱକପକୁ ଆଖିରେ ରଖି ଏହାକୁ ଜାନୁୟାରୀ ମାସକୁ ଘୁଂଚାଗଲା । ଏନେଇ ଜିଲା ଜନସାଧାରଣଙ୍କ ମତାମତ ନିଆଗଲା ନାହିଁ । ମନୋମୁଖୀ ଭାବେ ନିଷ୍ପତି ନେଲା ଜିଲା ପ୍ରଶାସନ ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
ମୁଖ୍ୟ ଅତିଥି ବିନା ଚଇତି ମନ୍ତ୍ରୀ
ଅତନୁ ଆସି ଫେରିଗଲେ, ପ୍ରଦୀପ ଅମାତଙ୍କ ଦେଖା ନାହିଁ
ଜିଲାସ୍ତରୀୟ ଏକମାତ୍ର ଲୋକ ମହୋତ୍ସବ ଚଇତି ବୁଧବାର ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନର ମୁଖ୍ୟ ଅତିଥି ରାୟଗଡ଼ା ଆସିବା ପରେ ସକାଳୁ ଫେରି ଯାଇଥିବା ବେଳେ ବିଶିଷ୍ଟ ଅତିଥି ପହଂଚି ନାହାନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଭୋର ସକାଳରେ ଟ୍ରେନ ଯୋଗେ ଆସି ପହଂଚିଥିଲେ ରାୟଗଡ଼ା ଠାରେ । ସେ ପହଂଚିବା ପରେ ଶାସକ ଦଳର ନେତା ଓ କର୍ମୀ ସ୍ୱାଗତ କରିବା ସହିତ ସର୍କିଟ ହାଉସ ପାଛୋଟି ନେଇଥିଲେ । ହେଲେ ସର୍କିଟ ହାଉସରେ ରହିବା ସମୟରେ ଗୋଟିଏ ଫୋନ କଲ ଆଟେଂଣ୍ଡ କରିଥିଲେ ମନ୍ତ୍ରୀ ଅତନୁ । ଏହାପରେ ତତକ୍ଷଣାତ ବାହାରିଗଲେ ଭୁବନେଶ୍ୱର ଅଭିମୁଖେ । ତେବେ କେଉଁ କାରଣରୁ ମନ୍ତ୍ରୀ ଅତନୁ ଭୁବନେଶ୍ୱର ଫେରିଗଲେ ସେନେଇ ଏବେ ଚର୍ଚ୍ଚା ଜୋର । ଜିଲା ବିଜେଡ଼ି ଗୋଷ୍ଠୀ କନ୍ଦଳ ନା ଅନ୍ୟ କିଛି କାରଣ ତାହା ବର୍ତମାନ ସନ୍ଦେହ ଘେରରେ । ହେଲେ ଏହାର ସଠିକ ସୂଚନା କେହି ଦେଇପାରୁ ନାହାନ୍ତି । ଏଭଳିକି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ନିକଟରେ ମଧ୍ୟ କୌଣସି ସୂଚନା ନାହିଁ । ସେ ଗଣମାଧ୍ୟମ ଠାରୁ ସୂଚନା ପାଇଥିଲେ ଯେ, ମନ୍ତ୍ରୀ ଅତନୁ ଭୁବନେଶ୍ୱର ଚାଲିଗଲେ । ଏହାପରେ ମନ୍ତ୍ରୀଙ୍କୁ ଫୋନ କରିଥିଲେ । ହେଲେ ତାଙ୍କ ଫୋନ ଲାଗିନଥିଲା । ସେହିଭଳି ବିଶିଷ୍ଟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା । ତେବେ ସେ ମୂଳରୁ ଆସିନଥିଲେ । ମଙ୍ଗଳବାର ପର୍ଯ୍ୟନ୍ତ ମନ୍ତ୍ରୀ ପ୍ରଦୀପ ଅମାତ ଆସିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର ହୋଇଥିଲା । ହେଲେ ମନ୍ତ୍ରୀ ଅମାତଙ୍କ ଗସ୍ତ କାର୍ଯ୍ୟକ୍ରମର କୌଣସି ସୂଚନା ବନ ବିଭାଗକୁ ତାଙ୍କ କାର୍ଯ୍ୟାଳୟ ତରଫରୁ ଆସିନଥିଲା । ହେଲେ ମନ୍ତ୍ରୀ ଅତନୁ ଆସି ଫେରିଯିବା ଏବଂମନ୍ତ୍ରୀ ପ୍ରଦୀପ ଅମାତ ନଆସିବା ବିଜେଡ଼ି ଦଳର ଗୋଷ୍ଠୀ କନ୍ଦଳ ନା ଆଉ କିଛି ତାହା ବର୍ତମାନ ଚର୍ଚ୍ଚାରେ । ଏଭଳିକି ଜିଲାର ଜଣେ ବିଶିଷ୍ଟ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ମଧ୍ୟ ଜିଲା ପ୍ରଶାସନ ଅଣଦେଖା କରିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।


ଡିଜିଟାଲ ପ୍ରଚାର ପଡ଼ିଲା ଫିକା : ନାମକୁ ମାତ୍ର ବୁଲିଥିଲା ଚଇତି ରଥ
ରାୟଗଡା- ଜିଲାର ପ୍ରସିଦ୍ଧ ଲୋକ ମହୋତ୍ସବ ଚଇତି ନିମନ୍ତେ ପୂର୍ବ ବର୍ଷଗୁଡ଼ିକରେ ହେଉଥିବା ବିଶେଷ ପ୍ରଚାର ପ୍ରସାର । ହେଲେ ଚଳିତ ବର୍ଷ ଏହି ପ୍ରଚାର ପ୍ରସାର ଏକ ପ୍ରକାର ଫିକା ପଡ଼ିଯାଇଥିବା ପରିଲକ୍ଷିତ ହୋଇଛି । କେବଳ ଲୋକ ଦେଖାଣିଆ ପାଲଟିଛି ପ୍ରଚାର ପ୍ରସାର । କାରଣ ୨୦୧୯ ମସିହାର ଚଇତି ପାଇଁ ଯେଉଁଭଳି ପ୍ରଚାର ପ୍ରସାର ହୋଇଥିଲା ତାହା କୌଣସି ରାଜ୍ୟସ୍ତରୀୟ ଉତ୍ସବ ପ୍ରଚାର ଠାରୁ ବହୁ ଗୁଣରେ ଅଧିକା ଥିଲା । ହେଲେ ଚଳିତବର୍ଷ ପ୍ରଚାରକୁ ବିଶେଷ ଗୁରୁତ୍ୱ ଦେଲା ନାହିଁ ଜିଲା ପ୍ରଶାସନ । ଏଭଳିକି ଗ୍ରାମାଂଚଳରେ ଚଇତି ପାଳନର ସୂଚନା ନାହିଁ । ଚନ୍ଦ୍ରପୁର ବ୍ଲକରେ ପାଳନ ହୋଇଥିବା ବ୍ଲକସ୍ତରୀୟ ଚଇତିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ଗଣମାଧ୍ୟମକୁ ଭୁଲିଯାଇଥିଲା ବ୍ଲକ ପ୍ରଶାସନ । ସହରରେ ହାତଗଣତି ପୋଷ୍ଟର ମାରି ପ୍ରଚାର ପ୍ରସାର ସାରି ଦିଆଯାଇଛି । ଜିଲାର ୧୮୨ ପଂଚାୟତ ମଧ୍ୟରୁ ବହୁ ପଂଚାୟତରେ ହାତଗଣତି ପୋଷ୍ଟର ଲାଗିଛି । ପୂର୍ବରୁ ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଫ୍ଲେକ୍ସ ବ୍ୟାନର ଲାଗୁଥିଲା । ଏବେ କିନ୍ତୁ ଏହାର ଓଲଟା ଘଟିଛି । ଏଭଳିକି ଗଣମାଧ୍ୟମକୁ ମଧ୍ୟ ଅଣଦେଖା କରିଛି ଜିଲା ପ୍ରଶାସନ । ଚଳିତ ବର୍ଷ ଜଣେ ଇଭେଂଟ ମ୍ୟାନେଜମେଂଟ କମ୍ପାନୀ ହାତକୁ ଚଇତି ପ୍ରସ୍ତୁତି ଟେଣ୍ଡର ଦେଇଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି କିଛି ସରକାରୀ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।
ଶୋଭାଯାତ୍ରା ଏପଟ ସେପଟ
ରାୟଗଡା- ଚଳିତ ଥର ଚଇତି ଶୋଭାଯାତ୍ରାରେ ପୂର୍ବ ଭଳି ଜନ ସମାଗମ ନଥିବା ଲୋକେ ଟୁପୁରୁଟାପୁରୁ ହେଉଥିଲେ । ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ଓ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଠାରେ ପୂଜାର୍ଚ୍ଚନା ସହ ଏକ ବିରାଟ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ହେଲେ ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ଆଣିବା ସମୟରେ ଜିଲାପାଳଙ୍କୁ ଦେଖିବାକୁ ମିଳିନଥିଲା । ଏଭଳିକି ପ୍ରଶାସନିକ ଅଧିକାରୀ ମଧ୍ୟ ସେଭଳି ଆଖିଦୃଶିଆ ଥିଲେ । ରାୟଗଡ଼ା ବିଧାୟକ ଏବଂ କୋରାପୁଟ ସାଂସଦଙ୍କ ମଧ୍ୟ ଦେଖାନଥିଲା । ମଝି ର।।ସ୍ତାରେ କିଏ କେଉଁଠି ମିଶି ଫଟୋ ଉଠାଇ ନେଇଥିଲେ । ମନ୍ଦିରରୁ କଳସ ନେଇ ବାହାରିବା ପରମ୍ପରାରେ ମଧ୍ୟ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ଜିଲା ପରିଷଦ ନିର୍ବାହୀ ଅଧିକାରୀ ଏବଂ ରାୟଗଡ଼ା ତହସିଲଦାର କଳସ ଧରି ମାଁ ମଝିଘରିଆଣି ମନ୍ଦିରରୁ ବାହାରିଥିଲେ । ଏହାପରେ ଯେଉଁ ଶୋଭାଯାତ୍ରା ବାହାରିଥିଲା ତାହା କିଏ ପରିଚାଳନା କରୁଥିଲା କେହି ଜାଣିପାରୁନଥିଲେ । ବୋଧେ ଜିଲାପାଳଙ୍କ ଅନୁପସ୍ଥିତି ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ମୁକ୍ତ କରିଦେଇଥିଲା । କାରଣ ଶୋଭାଯାତ୍ରାରେ ନୃତ୍ୟ ଦଳ ନିଜ ବାଟରେ ଓ କଳସ ନିଜ ବାଟରେ ରହିଥିଲା । କିଏ କେତେବେଳେ କାହାକୁ କେଉଁ ମାଧ୍ୟମରେ ପରିଚାଳନା କରୁଥିଲା ତାହା ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ । ଏପରିକି ଚଳିତ ଥର ଜନ ସମାଗମ ମଧ୍ୟ ଉତ୍ସାହଜନକ ନଥିବା ନଜରକୁ ଆସିଛି । ଶୋଭାଯାତ୍ରା ଶେଷ ହୋଇ ଚଇତି ମଣ୍ଡପକୁ ପହଂଚି ମଶାଲ ଏବଂ କଳସ ସ୍ଥାପିତ ହେବାର ବହୁ ସମୟ ପରେ ଜିଲାପାଳ ମଣ୍ଡପରେ ଆସି ପହଂଚିଥିଲେ । ତେବେ ଜିଲାର ଏକମାତ୍ର ଲୋକ ମହୋତ୍ସବ ଚଇତିରେ ଜିଲାପାଳଙ୍କ ଅନୁପସ୍ଥିତି ଜନସାଧାରଣଙ୍କ ମନରେ ଅସନ୍ତୋଷ ଭରି ଦେଇଛି ।
କଣ୍ଠକୁ କଂଟା ଭାବିଲା କି ପ୍ରଶାସନ
ରାୟଗଡା- ରାୟଗଡା ଜିଲ୍ଲା ଲୋକମହୋତ୍ସବ ଚଇତି ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ୫ ଦିିନ ଭିତରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ୧୧ ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସମେତ ୩ ପୌରାଂଚଳ ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କୁ ଡକାଯାଇଛି । ହେଲେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀ(କଣ୍ଠ)ଙ୍କୁ ଆୟୋଜକ ଭୁଲିଗଲେ । ଯାହାକି ଗତକାଲି ନିମନ୍ତ୍ରଣ ପତ୍ର ବଂଟାଯିବା ପରେ ଜଣାପଡିଥିଲା । ଏହା ଜଣାପଡିବା ପରେ କାଶୀପୁର ବ୍ଲକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି । ବିଗତ ଦିନରେ କଣ୍ଠ ଭାସ୍କର ରାଓଙ୍କ ଟିକିରି ସମାବେଶରେ ଯୋଗଦାନ କରିଥିବା ଯୋଗୁଁ ତାଙ୍କୁ ଜାଣିଶୁଣି ଏଭଳି କରାଯାଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । କଣ୍ଠଙ୍କୁ ଜାଣିଶୁଣି ଏହିଭଳି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳିକି ଏହା ଏକ ବଡ କଂଟା ଶାସକ ଓ ପ୍ରଶାସକଙ୍କ ଗଳାରେ ଲାଗିଲା ବୋଲି ମଧ୍ୟ ଆଲୋଚନା ହେଉଛି । ବର୍ତମାନ ଠାରୁ ଏହାର ପ୍ରତିବାଦରେ ସ୍ୱର ଉଠୁଥିବା ବେଳେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବର୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଲା ଜଣେ ଜନ ପ୍ରତିନିଧିଙ୍କୁ ଏଭଳି ଅପମାନିତ କରିବାକୁ ପ୍ରଶାସନକୁ କିଏ ସାହସ ଯୋଗାଇଲା ତାହା ବର୍ତମାନ ଜିଲ୍ଲା ର ଜନସାଧାରଣଙ୍କ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି

nis-ad
Leave A Reply

Your email address will not be published.