ରାଉରକେଲା ‘ସରସ ମେଳା’ର ଚତୁର୍ଥ ଦିନ : ଲୋକଙ୍କ ମନ ମୋହିଲା ଓଡ଼ିଶାର ଲୋକନୃତ୍ୟ

ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହରର ଭଞ୍ଜ ଭବନ ପଡ଼ିଆଠାରେ ‘ସରସ ମେଳା’ ଆୟୋଜିତ ହେଉଛି। ବୁଧବାର ଏହି ମେଳା ଚତୁର୍ଥ ଦିନରେ ପହଞ୍ଚିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍ କୋର୍ଟ ଦେଖଣାହାରୀଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି। ଚତୁର୍ଥ ଦିନର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା।

ବୁଧବାର ଦିନ ସନ୍ଧ୍ୟାରେ ଗୁଜୁରାଟର କଳାକାରମାନଙ୍କ ଦ୍ବାରା ପରିବେଷିତ ସିଦ୍ଧି ଧମାଲ ନୃତ୍ୟ ଦେଖଣାହାରୀଙ୍କୁ ମନ ଜିଣିଥିଲା। ସେହିପରି ବଲାଙ୍ଗୀରର ଧୁଡୁକା ଓ ସୁନ୍ଦରଗଡ଼ର କରମା ନୃତ୍ୟ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ରାଉରକେଲା ମ୍ୟୁଜିକ ସର୍କଲର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ମେଳାରେ ଲାଗିଥିବା ଫୁଡ୍ କୋର୍ଟରେ ପ୍ରତିଦିନ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଛି। ବିଭିନ୍ନ ପ୍ରକାର ଦେଶୀ ଖାଦ୍ୟ ଖାଇବା ଲାଗି ଲୋକମାନେ ଆଗ୍ରହ ଦେଖାଉଛନ୍ତି। ଏଥିରେ କେନ୍ଦୁଝରର ପତ୍ରପୋଡ଼ା ଚିକେନର ସ୍ବାଦ ନେବା ପାଇଁ ଷ୍ଟଲ ଆଗରେ ବିଶେଷ ଭିଡ଼ ଲାଗୁଛି।

ସେହିପରି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଗୁଡ଼ିକ ନିଜ ହାତ ତିଆରି ଖାଦ୍ୟସାମଗ୍ରୀ, ହସ୍ତକଳା ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ ଆଦି ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ସେଠାରେ କେନ୍ଦୁଝର ବଡି ଓ କନ୍ଧମାଳ ହଳଦୀର ଚାହିଦା ଦେଖିବାକୁ ମିଳୁଛି। ଏହାବ୍ୟତୀତ କର୍ଣ୍ଣାଟକର କାଠ ତିଆରି ସାମଗ୍ରୀ, ଉତ୍ତରପ୍ରଦେଶର ସେରାମିକ୍ସ ଓ କାର୍ପେଟ ମଧ୍ୟ ଲୋକଙ୍କୁ ଟାଣୁଛି।

ବର୍ତ୍ତମାନ ଭୁବନେଶ୍ବର ଓ ରାଉରକେଲାଠାରେ ହକି ପୁରୁଷ ବିଶ୍ୱକପ୍ ଚାଲିଛି। ଏହି ଅବସରରେ ସହରରେ ପ୍ରଥମଥର ପାଇଁ ସରସ ମେଳାର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା କରାଯାଉଛି। ଏଥିରେ ୨୫୦ଟି ଷ୍ଟଲ୍ ପଡ଼ିଛି। ଏହି ମେଳା ଜାନୁଆରି ୨୭ ତାରିଖ ଯାଏଁ ଚାଲିବ।

ମେଳା ବୁଲିବାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ, ସେନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି। ଏହି ହକି ପାଭିଲିୟନରେ କୁନି କୁନି ପିଲାମାନେ ହକି ଖେଳର ମଜା ନେଉଛନ୍ତି।

nis-ad
Leave A Reply

Your email address will not be published.