କ୍ରିକେଟ୍‌ ଖେଳିସାରି ଘରକୁ ଫେରିବା ବାଟରେ ଦୁର୍ଘଟଣା : ଟ୍ରକ୍‌ ଧକ୍କାରେ ୩ ଖେଳାଳି ମୃତ…

ଭବାନୀପାଟଣା: ତିନି ଜଣ କ୍ରିକେଟ୍‌ ଖେଳାଳିଙ୍କ ଉପରେ ଦ୍ରୁତଗାମୀ ଗ୍ୟାସ୍‌ ଟ୍ୟାଙ୍କର ମାଡ଼ିଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ କ୍ରିକେଟ୍‌ ଖେଳାଳି କଳାହାଣ୍ଡି ଜିଲ୍ଲା ଉତ୍‌କେଲାରେ ଆୟୋଜିତ କ୍ରିକେଟ୍‌ ମ୍ୟାଚ୍‌ ଖେଳିସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକମାନେ ଅକ୍ଷୟ ଗଉଡ଼, ଟୁଟୁ ଗଉଡ଼ ଓ ରଘୁନାଥ ଗଉଡ଼।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଉତ୍‌କେଲାରୁ କ୍ରିକେଟ ମ୍ୟାଚ୍‌ ଖେଳି ସାରି ଅକ୍ଷୟ ଗଉଡ଼, ଟୁଟୁ ଗଉଡ଼ ଓ ରଘୁନାଥ ଗଉଡ଼ ବାଇକ୍‌ରେ ଘରକୁ ଫେରୁଥିଲେ। ସେମାନଙ୍କୁ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଲାମାଲ ରେଡିଓ ଷ୍ଟେସନ ନିକଟରେ ଆଜି ଅପରାହ୍‌ଣ ସାଢ଼େ ୪ଟା ସମୟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଭବାନୀପାଟଣା ଲାଲପୁଲିଆ ଛକ ରୁନିପାଲି ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଭବାନୀପାଟଣା ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ‌ଉତ୍ତେଜନା ରହିଛି। ଲୋକେ ରାସ୍ତାରୋକ କରି କ୍ଷତିପୂରଣ ଦାବି କରିଛନ୍ତି। ମୃତକମାନଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳକୁ ପହଂଚିସାରିଛନ୍ତି। ପୁଲିସ ଲୋକଙ୍କୁ ବୁଝାସୁଛା କରୁଛି।

nis-ad
Leave A Reply

Your email address will not be published.